ନୂଆଦିଲ୍ଲୀ: ୧୯ମହଲା ଉପରୁ ଡେଇଁ ଜୀବନ ହାରିବାକୁ ଚାହୁଥିଲେ ମହମ୍ମଦ ସାମି। ଏବେ ତାଙ୍କ ବନ୍ଧୁ ଉମେଶ କୁମାର ଏହି ବଡ଼ ଖୁଲାସା କରିଛନ୍ତି। ସାମିଙ୍କ ବନ୍ଧୁ ଉମେଶ ପ୍ରକାଶ କରିଛନ୍ତି ଯେ, ଏଭଳି ଏକ ସମୟ ଥିଲା ଯେତେବେଳେ ସାମି ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ। ଏକ ସାକ୍ଷାତକାରରେ ଉମେଶ ଏହିସବୁ ବିଷୟରେ ପ୍ରକାଶ କରିଛନ୍ତି।

Advertisment

ଗତ କିଛି ବର୍ଷ ସାମିଙ୍କ ପ‌ାଇଁ କଷ୍ଟଦାୟକ ଥିଲା। ପତ୍ନୀଙ୍କଠାରୁ ଅଲଗା ହେବା ସହ ତାଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂର ଆରୋପ ଲାଗିଥିଲା। ତାଙ୍କ ପତ୍ନୀ ହସିନ ଜାହାନ ମଧ୍ୟ ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ କରିବା ସହ ଜଣେ ପାକିସ୍ତାନୀ ମହିଳାଙ୍କଠାରୁ ଟଙ୍କା ନେଇ ସାମି ମ୍ୟାଚ୍ ଫିକ୍ସିଂ କରିଥିବାର ଅଭିଯୋଗ କରିଥିଲେ। ଏହି ସମୟରେ ସାମି ଅଧିକ ଭାଙ୍ଗିପଡ଼ିବା ସହ ଜୀବନ ହାରିବାକୁ ଚାହୁଥିଲେ ବୋଲି କହିଛନ୍ତି ଉମେଶ।

ତାଙ୍କ କହିବା ମୁତାବକ, "ସାମି ସେ ସମୟରେ ଅନେକ ସମସ୍ୟା ସହ ଲଢ଼ୁଥିବା ବେଳେ ମୋ ସହ ରହୁଥିଲେ। ମ୍ୟାଚ୍ ଫିକ୍ସିଂର ଆରୋପ ଲାଗିବା ପରେ ତାଙ୍କର ଯାଞ୍ଚ କରାଯାଇଥିଲା। ଯେଉଁଦିନ ରାତିରେ ଯାଞ୍ଚ ହୋଇଥିଲା ସେଦିନ ରାତିରେ ସେ ଶୋଇନଥିଲେ। ମୁଁ ଭୋର ୪ଟା ବେଳେ ପାଣି ପିଇବାକୁ ଉଠିବା ବେଳେ ସେ ବାଲକୋନୀରେ ବସିଥିଲେ। ତାଙ୍କୁ ଦେଖି ମୁଁ ଚମକିପଡ଼ିଲି। ପରେ ତାଙ୍କ ସହ କଥା ହେବାରୁ ଜାଣିପାରିଲି ଯେ, ସେ ଜୀବନ ହାରିବା ବିଷୟରେ ଚିନ୍ତା କରୁଥିଲେ। ସେ ମୋତେ କହିଥିଲେ ମୁଁ ସବୁ ସହିଯିବି। ହେଲେ ଦେଶ ପ୍ରତି ବିଶ୍ବାସଘାତକତା କରିଥିବାର ଆରୋପ ସହିପାରିବି ନାହିଁ। କିଛି ଦିନ ବିତିବା ପରେ ତାଙ୍କୁ ମ୍ୟାଚ୍ ଫିକ୍ସିଂ ଆରୋପରୁ କ୍ଲିନ ଚିଟ୍ ମିଳିଥିଲା। ସେହି ଦିନ ସାମିଙ୍କ ପାଇଁ ବହୁତ ବଡ଼ ଖୁସିର ଦିନ ଥିଲା।"