ଶ୍ରୀଲଙ୍କା ସହ ସଂଶ୍ଲିଷ୍ଟ ହେବାକୁ ମାହେଲା ମନାକଲେ

‘ମାଥ୍ୟୁସ କ୍ରିକେଟ୍ ରାଜନୀତିରେ ଅଧିକ ଜଡ଼ିତ’

କଲମ୍ବୋ: ପ୍ରଖ୍ୟାତ ବ୍ୟାଟସମ୍ୟାନ୍‌ ତଥା ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଧନେ ଆଗାମୀ ବିଶ୍ବକପ୍‌ ପାଇଁ ଜାତୀୟ ଦଳ ସହ ଯୋଡ଼ି ହେବା ଲାଗି ମନା କରି ଦେଇଛନ୍ତି। ଏହି ଦ୍ବୀପରାଷ୍ଟ୍ରରେ କ୍ରିକେଟ୍‌ର ଅବସ୍ଥାକୁ ନେଇ ନିରାଶ ମାହେଲା କୌଣସି ଭୂମିକା ତୁଲାଇବାକୁ ରାଜି ହୋଇନାହାନ୍ତି। ‘ମୋତେ ଆମନ୍ତ୍ରିତ କରାଯାଇଥିଲା, କିନ୍ତୁ ଅନ୍ୟ ଦାୟିତ୍ବ ରହିଛି। ଏପରିକି ମୁଁ କେଉଁ ଭୂମିକା ତୁଲାଇବି ତାହା ବୁଝାପଡ଼ୁନଥିଲା। ଦଳୀୟ କୌଶଳରେ ସମ୍ପୃକ୍ତ ହେବାର ପ୍ରଶ୍ନ ଉଠୁନାହିଁ। ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରେ ମୁଁ କିଛି କହି ପାରିବି ନାହିଁ। ଦଳ ଚୟନ ସରିଛି ଏବଂ ସବୁକିଛି ଧୂଳିସାତ୍ କରିଦିଆଯଇଛି। ମୁଁ ଏବେ ସମ୍ପୃକ୍ତ ହୋଇ କିଛି ଯୋଡ଼ିବା ଲାଗି ସୁଯୋଗ ହିଁ ନାହିଁ ବୋଲି ମାହେଲା କହିଛନ୍ତି। ଦଳୀୟ ପରିଚାଳନା ସହିତ ମୁଁ କରିଥିବା ସ୍ବଳ୍ପ ଅବଦାନରେ ଖୁସୀ। କିନ୍ତୁ ଶ୍ରୀଲଙ୍କା କ୍ରିକେଟ୍ ସହିତ କିଛି କରିବାର ନାହିଁ। ମୁଁ ଏକଥା ନିଜକୁ ବି କହି ସାରିଛି। ମୋ ପାଇଁ ଯେଉଁଟି ଠିକଣା ସ୍ଥାନ ନୁହେଁ ସେଭଳି ଯାଗାକୁ ଯାଇ କାହା ପାଇଁ କାମ କରିବାର ଆଗ୍ରହ ମୋ ପାଖରେ ନାହିଁ ବୋଲି ମାହେଲା ପ୍ରକାଶ କରିଛନ୍ତି।

ଦୀର୍ଘ ୮ ମାସ ବ୍ୟୟ କରି ମୁଁ ଏକ ପେସାଦାର କ୍ରିକେଟ୍ ବ୍ୟବସ୍ଥା ସୃଷ୍ଟି କରିଥିଲି। ଏହାକୁ ପ୍ରତିଷ୍ଠା ଲାଗି କହିଥିଲି, କିନ୍ତୁ ସେମାନେ (ଏସ୍‌ଏଲ୍‌ସି) ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ମୁଁ ଚାହୁଁଥିଲି ଆମ ଅଭିଜ୍ଞ ଖେଳାଳିମାନେ ଆମ ବ୍ୟବସ୍ଥା ଭିତରେ ରୁହନ୍ତୁ। ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ଯାଇ ଲିଗ୍ କ୍ରିକେଟ୍‌ ନ ଖେଳନ୍ତୁ। ଆମ ବ୍ୟବସ୍ଥାରେ ଏବେ ଏଭଳି କିଛି ପ୍ରଥମ ଶ୍ରେଣୀ ଦଳ ରହିଛି ଯାହାର ହାରାହାରି ବୟସ ୨୫ ବର୍ଷ, ଏହା ଦୁଃଖର କଥା। ଆମେ ଖେଳିବା ବେଳେ ବରିଷ୍ଠ ଖେଳାଳିମାନେ ଥିଲେ ଯେଉଁମାନେ ଆମକୁ ମାର୍ଗଦର୍ଶନ ଦେଉଥିଲେ। ନିଜ ବ୍ୟବସ୍ଥା ଭିତରେ ଏମାନେ ନ ରହିଲେ ଦୃଢ଼ ଦଳ ଗଢ଼ି ହେବ ନାହିଁ। ଏହା କରାଯାଇ ନପାରିଲେ, ଷ୍ଟାଡିୟମ୍‌ ନିର୍ମାଣ କରିବାର କିଛି ମାନେ ନାହିଁ ବୋଲି ମାହେଲା ପ୍ରକାଶ କରିଛନ୍ତି। ଏପରିକି ଆଞ୍ଜେଲୋ ମାଥ୍ୟୁସ ଏବଂ ଦୀନେଶ ଚାନ୍ଦିମାଳଙ୍କ ନେତୃତ୍ବକୁ ସେ ସମାଲୋଚନା କରିଥିଲେ। ମାଥ୍ୟୁସ ଦଳର ନେତୃତ୍ବକୁ ନିୟନ୍ତ୍ରଣକୁ ନେବା ପରିବର୍ତେ ଆଭ୍ୟନ୍ତରୀଣ ରାଜନୀତିରେ ‌ଜଡ଼ିତ ରହୁଛନ୍ତି। ଏହା ଫଳରେ ଚାନ୍ଦିମାଳ କ୍ରିକେଟ୍ ରାଜନୀତିର ଶିକାର ହୋଇଛନ୍ତି। ସୂଚନାଯୋଗ୍ୟ, ୨୦୧୫ ମସିହାରେ ମାହେଲା ଅବସର ନେବା ପରେ ମାଥ୍ୟୁସ ନେତୃତ୍ବ ନେଇଥିଲେ। ଏହା ପରେ ଦୀନେଶ ଚାନ୍ଦିମାଳ, ତିସରା ପେରେରା, ଲସିଥ୍ ମାଲିଙ୍ଗା, ଚାମରା କାପୁଗେଦେରାଙ୍କ ସହିତ ଦିମୁଥ କରୁଣାରତ୍ନେ ସଦ୍ୟ ଦାୟିତ୍ବ ନେଇଛନ୍ତି। ମାଥ୍ୟୁସ ଦୃଢ଼ ନେତୃତ୍ବ ଅପେକ୍ଷା କ୍ରିକେଟ୍‌ ରାଜନୀତିରେ ଜଡ଼ିତ ରହୁଥିଲେ। ଅନ୍ୟମାନଙ୍କୁ ନିଷ୍ପତ୍ତି ନେବାକୁ ‌ସୁଯୋଗ ଦେଉଥିଲେ ଏବଂ ଖେଳାଳିଙ୍କ ପାଇଁ ବାହାରୁନଥିଲେ। ତା ନ ହୋଇଥିଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା ବୋଲି ମାହେଲା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର