ନାସ୍‌ଦାକ ବିଲବୋର୍ଡରେ ମୋହନ ବାଗାନ

କୋଲକାତା: ଏସିଆ ମହାଦେଶର ଅନ୍ୟତମ ପୁରାତନ ଫୁଟ୍‌ବଲ୍ କ୍ଲବ୍ ମୋହନ ବାଗାନ ଦେଶର ପ୍ରଥମ କ୍ରୀଡ଼ା କ୍ଲବ୍ ଭାବେ ଆମେରିକାର ନାସ୍‌ଦାକ୍ ଷ୍ଟକ୍ ଏକ୍ସଚେଞ୍ଜ୍ ବିଲବୋର୍ଡରେ ସ୍ଥାନ ପାଇଛି। ମୋହନ ବାଗାନ କ୍ଲବ୍ ୧୯୧୧ ମସିହା ଜୁଲାଇ ୨୯ ତାରିଖରେ ଆଇଏଫ୍‌ଏ ସିଲ୍ଡ ଜିତି ଇତିହାସ ରଚିଥିଲା ବେଳେ ଠିକ୍ ଏହି ଦିନ ନାସ୍‌ଦା୍‌କ ବିଲବୋର୍ଡରେ ସ୍ଥାନ ପାଇବା କ୍ଲବ୍ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଆଜକୁ ୧୦୯ ବର୍ଷ ତଳେ ଓ ଆଜିର ଦିନରେ ମୋହନ ବାଗାନ ଇଂଲଣ୍ଡର ଇଷ୍ଟ ୟର୍କସାୟାର ଦଳକୁ ୨-୧ ଗୋଲ୍‌ରେ ପରାସ୍ତ କରି ଏହି ପ୍ରତିଯୋଗିତାରେ ବ୍ରିଟିସ୍ ଆଧିପତ୍ୟକୁ ଶେଷ କରିଥିଲା। କ୍ଲବ୍‌ର ଖେଳାଳିମାନେ ଖାଲି ପାଦରେ ଖେଳି ଶକ୍ତିଶାଳୀ ବ୍ରିଟିସ୍ ଦଳକୁ ଧୂଳି ଚଟାଇ ଦେଇଥିଲା। ୧୮୮୯ ମସିହାରେ ସ୍ଥାପିତ ହୋଇଥିବା ଏହି ଦଳର ସ୍ମରଣୀୟ ବିଜୟ ମଧ୍ୟ ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମବିଶ୍ବାସ ବଢ଼ାଇଥିଲା। ଫୁଟବଲ୍ ପଡ଼ିଆ ଭଳି ସ୍ବାଧୀନତା ସଂଗ୍ରାମରେ ବି ଇଂରେଜମାନଙ୍କୁ ଯେ ହରାଇବା ସମ୍ଭବ, ତାହା ସେମା‌ନେ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ। ମୋହନ ବାଗାନର ଏହି ବିଜୟ ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା।

ସଂପ୍ରତି ସାରା ବିଶ୍ବ‌େର ମୋହନ ବାଗାନ ଦଳର ପ୍ରଶଂସକ ରହିଛନ୍ତି। ତେବେ ଆମେରିକୀୟ ଷ୍ଟକ ଏକ୍ସଚେଞ୍ଜ୍ ଏହି ଭାରତୀୟ କ୍ଲବ୍‌ର ଲୋଗୋ ଓ ରଙ୍ଗକୁ ଦେଖାଇବା ସବୁ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏହା ପୂର୍ବରୁ କୌଣସି ଭାରତୀୟ କ୍ରୀଡ଼ା କ୍ଲବ୍ ଏଭଳି ସମ୍ମାନର ଅଧିକାରୀ ହୋଇ ନଥିଲା। ‘‘ନାସ୍‌ଦାକରୁ ଆସିଥିବା‌ ଚିତ୍ର ପ୍ରମାଣିତ କରୁଛି ଯେ ମୋହନ ବାଗାନ କ୍ଲବ୍ ବିଶ୍ବସ୍ତରୀୟ ବୋଲି କ୍ଲବ୍‌ର ବରିଷ୍ଠ ଅଧିକାରୀ ଦେବାଶିଷ ଦତ୍ତ କହିଛନ୍ତି। କ୍ଲବ୍‌ର ପ୍ରଶଂସକମାନେ ମଧ୍ୟ ନାସଦାକ୍ ଷ୍ଟକ୍ ଏକ୍ସଚେଞ୍ଜ୍ ଦେଖାଇଥିବା ଚିତ୍ରକୁ ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରି ଖୁସି ମନାଇଛନ୍ତି। ସୂଚନାଯୋଗ୍ୟ ଯେ ମୋହନ ବାଗାନ କ୍ଲବ୍ ତିନି ଥର ଜାତୀୟ ଫୁଟ୍‌ବଲ୍ ଲିଗ୍ ଜିତିବା ସହ ଚଳିତବର୍ଷକୁ ମିଶାଇ ଦୁଇ ଥର ଆଇ-ଲିଗ୍ ଜିତିଛି। ଚଳିତବର୍ଷ ପ୍ରାରମ୍ଭରେ ଏହି କ୍ଲବ୍‌ର ଏଟିକେ କ୍ଲବ୍‌ ସହ ମିଶ୍ରଣ ହୋଇଛି। ଏଣିକି ଏହି କ୍ଲବ୍ ଏଟିକେ-ମୋହନବାଗାନ କ୍ଲବ୍ ଭାବେ ପରିଚିତ ହେବ। କ୍ଲବ୍ ମଧ୍ୟ ଆସନ୍ତା ଋତୁରେ ଏହି ନାମରେ ଆଇଏସଏଲ୍ ଖେଳିବ। ଏହି ପ୍ରତିଯୋଗିତା ବନ୍ଦ ଦ୍ବାର ଭିତରେ ଚଳିତବର୍ଷ ନଭେମ୍ବରରୁ ଆସନ୍ତାବର୍ଷ ମାର୍ଚ ମାସ ଯାଏ ଖେଳାଯିବ।

ସମ୍ବନ୍ଧିତ ଖବର