ମୋଇନ୍‌, ଲିଚ୍‌ ଦେଲେ ବିଜୟ

ଶ୍ରୀଲଙ୍କା ୪୨ ରନ୍‌ରେ ପରାସ୍ତ  ଇଂଲଣ୍ଡ୍‌ ୩-୦ରେ ଶୃଙ୍ଖଳା ଜିତିଲା

କଲମ୍ବୋ: ଏକମାତ୍ର ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଜିତିବା ପରେ ଦିନିକଆ ଶୃଙ୍ଖଳାକୁ ୩-୧ରେ କବ୍‌ଜା କରିସାରିଥିବା ଇଂଲଣ୍ଡ୍‌ ଶେଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଘରୋଇ ଶ୍ରୀଲଙ୍କାକୁ ମୂଳପୋଛ କରିଦେଲା। ତିନି ସ୍ପିନର ମୋଇନ୍‌ ଅଲ୍ଲୀ (୪/୯୨), ଜାକ୍‌ ଲିଚ୍‌ (୪/୭୨) ଓ ଆଦିଲ୍‌ ରସିଦ୍‌ (୧/୨୫) ମିଳିତ ଭାବେ ମୋଟ ୯ ୱିକେଟ୍‌ ବାଣ୍ଟିନେଇ ଇଂଲଣ୍ଡ୍‌ ଦଳକୁ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟ୍‌ରେ ବିଜୟ ଭେଟିଦେଲେ। ସ୍ପିନରଙ୍କ ଯାଦୁ ବଳରେ ଇଂଲଣ୍ଡ୍‌ ୪ ଦିନ ମଧ୍ୟରେ କଲମ୍ବୋ ଟେଷ୍ଟ୍‌କୁ ଶେଷ କରିଦେଲା। କଲମ୍ବୋ ଟେଷ୍ଟ୍‌ରେ ପ୍ରଥମ ପାଳିରେ ଶତକ ଜମାଇଥିବା ଜନି ବେୟାରଷ୍ଟୋ ମ୍ୟାଚ୍‌ର ଏବଂ ବେନ୍‌ ‌ଫୋକ୍‌ସ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ।
୩୨୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ଘରୋଇ ଶ୍ରୀଲଙ୍କା ଦଳ ଦ୍ବିତୀୟ ପାଳିରେ ୨୮୪ ରନ୍‌ରେ ଅଟକିଗଲା। ତୃତୀୟ ଦିବସ ଶେଷରେ ୫୩/୪ରୁ ଚତୁର୍ଥ ଦିନ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ପାଖାପାଖି ୭୦ ଓଭର ପର୍ଯ୍ୟନ୍ତ ଲଢ଼ି ୨୩୧ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍‌ ହରାଇଥିଲା। କୁସାଲ୍‌ ମେଣ୍ଡିସ୍‌ (୮୬) ଓ ରୋସନ୍‌ ସିଲ୍‌ଭା (୬୫)ଙ୍କ ଅର୍ଧଶତକ ବ୍ୟତୀତ ଶେଷ ବ୍ୟାଟ୍‌ସମ୍ୟାନ୍‌ ମାଲିନ୍ଦା ପୁଷ୍ପକୁମାରା (ଅପରାଜିତ ୪୨) କିଛି ସମୟ ଲଢ଼ିଥିଲେ ମଧ୍ୟ ଇଂଲଣ୍ଡ୍‌ ସ୍ପିନରମାନେ ବିଜୟ ଛଡ଼ାଇ ନେଇଥିଲେ। ଶ୍ରୀଲଙ୍କା ଦ୍ବିତୀୟ ପାଳିର ଅବଶିଷ୍ଟ ୱିକେଟ୍‌ ଭାବେ ମେଣ୍ଡିସ୍‌ ରନ୍‌ ଆଉଟ୍‌ ହୋଇଥିଲେ। ତେବେ ଅଧିନାୟକ ସୁରଙ୍ଗା ଲାକ୍‌ମଲ୍‌ଙ୍କୁ ଆଉଟ୍‌ କରି ଲିଚ୍‌ ଇଂଲଣ୍ଡ୍‌ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଫଳରେ ୪୨ ରନ୍‌ରେ ଘରୋଇ ଦଳ ହାରିଗଲା। ଏଥି ସହିତ ପୁଣି ଥରେ ଦ୍ରୁତ ବୋଲର ୱିକେଟ୍‌ଶୂନ୍ୟ ରହିଥିଲା ବେଳେ ସ୍ପିନର ହିଁ ଇଂଲଣ୍ଡ୍‌କୁ ବିଜୟୀ କରାଇଥିଲେ। କେବଳ ସେତିକି ନୁହେଁ, ୧୯୬୩ ମସିହା ପରେ ବିଦେଶରେ ଇଂଲଣ୍ଡ୍‌ ମଧ୍ୟ ପ୍ରଥମ ଥର ଲାଗି ୩-୦ରେ ଶୃଙ୍ଖଳା ମୂଳପୋଛ କରିବାର ଗୌରବ ପାଇଲା। ‌ଅନ୍ୟପକ୍ଷରେ ତୃତୀୟ ଥର ପାଇଁ ଶ୍ରୀଲଙ୍କା ମଧ୍ୟ ଘରୋଇ ଶୃଙ୍ଖଳାରେ ସମସ୍ତ ତିନିଟିଯାକ ଟେଷ୍ଟ୍‌ ହାରିଗଲା। ଏହା ପୂର୍ବରୁ ୨୦୧୪ରେ ଅଷ୍ଟ୍ରେଲିଆ ଏବଂ ଗତବର୍ଷ ଭାରତ ନିକଟରୁ ଶ୍ରୀଲଙ୍କାକୁ ଏପରି ଶୋଚନୀୟ ଶୃଙ୍ଖଳା ପରାଜୟ ଭୋଗିବାକୁ ପଡ଼ିଥିଲା।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୩୩୬ ଓ ଦ୍ବିତୀୟ ପାଳି: ୨୩୦ (ଜୋସ୍‌ ବଟ୍ଟଲର୍‌-୬୪, ବେନ୍‌ ଷ୍ଟୋକ୍‌ସ-୪୨, ଫୋ‌କ୍‌ସ-୩୬*, ଆଦିଲ ରସିଦ୍‌-୨୪, ଦିଲ୍‌ରୁୱାନ୍‌ ପେରେରା-୫/୮୮, ପୁଷ୍ପକୁମାରା-୩/୨୮, ଲକ୍ଷ୍ମଣ ସନ୍ଦକନ୍‌-୨/୭୬)। ଶ୍ରୀଲଙ୍କା ପ୍ରଥମ ପାଳି: ୨୪୦ ଓ ଦ୍ବିତୀୟ ପାଳି: ୨୮୪ (କୁସାଲ ମେଣ୍ଡିସ୍‌-୮୬, ରୋସନ୍‌ ସିଲ୍‌ଭା-୬୫, ମାଲିନ୍ଦା ପୁଷ୍ପକୁମାରା-୪୨* ମୋଇନ୍‌ ଅଲ୍ଲୀ-୪/୯୨, ଜାକ୍‌ ଲିଚ୍‌-୪/୭୨)।

ସମ୍ବନ୍ଧିତ ଖବର