ମୋମିନୁଲ୍‌ଙ୍କ ଶତକ; ବାଂଲାଦେଶ ୩୧୫/୮

ଚିଟାଗଙ୍ଗ: ବଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଘରୋଇ ବାଂଲାଦେଶ ଦଳ ପ୍ରଥମ ଦିବସରେ ମୋମିନୁଲ୍‌ ହକ୍‌ (୧୨୦)ଙ୍କ ଚିତାକର୍ଷକ ଶତକ ସାଙ୍ଗକୁ ଅବିଭାଜିତ ନବମ ୱିକେଟ୍‌ରେ ନୟିମ୍‌ ହାସନ୍‌ (୨୪*) ଓ ତାଇଜୁଲ୍‌ ଇସ୍‌ଲାମ (୩୨)ଙ୍କ ୫୬ ରନ୍‌ ଭାଗୀଦାରି ବଳରେ ୮ ୱିକେଟ୍‌ ବିନିମୟରେ କରିଛି ୩୧୫ ରନ୍‌। ଅନ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଇମ୍ରୁଲ କେୟସ ୪୪, ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ୩୪, ମେହେଦି ହାସନ୍‌ ମିରାଜ୍‌ ୨୨ ଓ ମହମ୍ମଦ ମିଥୁନ୍‌ ୨୦ ରନ୍‌ର ଯୋଗଦାନ ରଖିଥିଲେ। ଦ୍ବିତୀୟ ୱିକେଟ୍‌ରେ କେୟସ ଓ ‌ମୋମିନୁଲ୍‌ଙ୍କ ୧୦୪ ଏବଂ ନବମ ୱିକେଟ୍‌ରେ ଅବିଭାଜିତ ୫୬ ରନ୍‌ ହିଁ ପ୍ରଥମ ଦିବସର ମୁଖ୍ୟାଂଶ ଥିଲା। ସେହିପରି ଦିବସର ତୃତୀୟ ତଥା ଶେଷ ଅଧିବେସନରେ ୪ ୱିକେଟ୍‌ ଅକ୍ତିଆର କରି ଇଣ୍ଡିଜ୍‌ ଦ୍ରୁତ ବୋଲର ସାନନ୍‌ ଗାବ୍ରିଏଲ୍‌ ଘରୋଇ ଦଳର ବଡ଼ ସ୍କୋର୍‌ ସମ୍ଭାବନାରେ ବାଧକ ସାଜିଥିଲେ। ଏକ ସମୟରେ ୨୨୨ ରନ୍‌ରେ ୩ ୱିକେଟ୍‌ ହରାଇ ଦୃଢ଼ ସ୍ଥିତିରେ ରହିଥିବା ବାଂଲାଦେଶକୁ ଗାବ୍ରିଏଲ୍‌ ରୋକିବାରେ ପ୍ରମୁଖ ଭୂମିକା ନେଇଥିଲେ। ତାଙ୍କ ବ୍ୟତୀତ ୱାରିକାନ୍‌ ୨, କେମାର ରୋଚ୍‌ ଓ ଦେବେନ୍ଦ୍ର ବିଶୁ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର