ମୋମିନୁଲ୍‌ଙ୍କ ଦ୍ୱିତୀୟ ଶତକ: ଚିଟ୍ଟାଗଙ୍ଗ ଟେଷ୍ଟ ଅମୀମାଂସିତ

ସିଡ୍‌ନି: ଚତୁର୍ଥ ଦିବସରେ ଭଲ ସ୍ଥିତିରେ ପହଞ୍ଚି ଯାଇଥିବା ଶ୍ରୀଲଙ୍କା ଦଳ ବିଜୟ ସୁଯୋଗ ହାତଛଡ଼ା କଲା। ରବିବାର ପଞ୍ଚମ ତଥା ଅନ୍ତିମ ଦିବସରେ ବିଜୟ ପାଇଁ ୭ ଓ୍ଵିକେଟ୍‌ ଦଖଲ କରିବା ଦରକାର ଥିଲା ବେଳେ ୪ ଓ୍ଵିକେଟ୍‌ ଅକ୍ତିଆର କରିବାକୁ ସକ୍ଷମ ହୋଇପାରିଲା। ବିଶେଷକରି ମୋମିନୁଲ୍‌ ହକ୍‌ଙ୍କ ଶତକ ସାଙ୍ଗକୁ ଓ୍ଵିକେଟ୍‌ ରକ୍ଷକ ଲିଟନ୍‌ ଦାସଙ୍କ ୯୪ ରନ୍‌ ହିଁ ଶ୍ରୀଲଙ୍କାକୁ ବିଜୟରୁ ରୋକି ଦେଇଥିଲା। ଚତୁର୍ଥ ଦିବସରେ ୮୧ ରନ୍‌ ମଧ୍ୟରେ ୩ ଓ୍ଵିକେଟ୍‌ ହରାଇ ସଂକଟରେ ପଡ଼ିଯାଇଥିବା ବାଂଲାଦେଶକୁ ମୋମିନୁଲ୍‌ ଓ ଲିଟନ୍‌ ରକ୍ଷା କରିଥିଲେ। ଦୁହେଁ ଚତୁର୍ଥ ଓ୍ଵିକେଟ୍‌ରେ ୧୮୦ ରନ୍‌ ଯୋଡ଼ିବା ସହିତ ୫୦ ଓଭର ପର୍ଯ୍ୟନ୍ତ ସିଂହଳୀ ବୋଲରଙ୍କୁ ନୟାନ୍ତ କରିଥିଲେ। ମୋମିନୁଲ୍‌ ୧୦୫ ରନ୍‌ କରିଥିଲେ। ଏହି ଟେଷ୍ଟରେ ମୋମିନୁଲ୍‌ଙ୍କ ଏହା ଦ୍ୱିତୀୟ ଶତକ ଥିଲା। ପ୍ରଥମ ପାଳିରେ ସେ ୧୭୬ ରନ୍‌ କରିଥିଲେ। ଫଳରେ ଗୋଟିଏ ଟେଷ୍ଟର ଉଭୟ ପାଳିରେ ଶତକ ଜମାଇବାରେ ମୋମିନୁଲ୍‌ ପ୍ରଥମ ବାଂଲାଦେଶ ବ୍ୟାଟ୍‌ସମ୍ୟାନ୍‌ର କୀର୍ତିମାନ ପାଇଲେ। ଲିଟନ୍‌ ଆଉଟ୍‌ ହେଲା ବେଳକୁ ବାଂଲାଦେଶ ୮୩ ଓଭର ଖେଳି ସାରିଥିଲା। ପରେ ଅଧିନାୟକ ମାହମୁଦୁଲ୍ଲା (୨୮) ଓ ମୋସାଡେକ୍‌ ହୋସେନ୍‌ (୮) ଅପରାଜିତ ରହି ଶ୍ରୀଲଙ୍କାର ବିଜୟ ଆଶାରେ ପାଣି ଢାଳି ଦେଇଥିଲା ବେଳେ ବାଂଲାଦେଶକୁ ପରାଜୟରୁ ରକ୍ଷା କରିଥିଲେ। ପଞ୍ଚମ ଦିବସରେ ବାଂଲାଦେଶ ଦ୍ୱିତୀୟ ପାଳି ୧୦୦ ଓଭରରେ ୩୦୭/୫ ଥିଲା ବେଳେ ଉଭୟ ଦଳର ଅଧିନାୟକଙ୍କ ସହମତିରେ ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା। ସେତେବେଳକୁ ଆଉ ୧୭ ଓଭର ଖେଳ ବାକିଥିଲା ଏବଂ ବାଂଲାଦେଶ ୧୦୭ ରନ୍‌ରେ ଆଗୁଆ ହୋଇଯାଇଥିଲା। ରଙ୍ଗନା ହେରାଥ୍‌ ୨ ଏବଂ ଧନଞ୍ଜୟ ଡି ସିଲ୍‌ଭା, ଦିଲ୍‌ରୁଓ୍ଵାନ୍‌ ପେରେରା ଓ ଲକ୍ଷ୍ମଣ ସନ୍ଦକନ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଫଳରେ ଚିଟ୍ଟାଗଙ୍ଗ ଟେଷ୍ଟ ଅମିମାଂସିତ ଭାବେ ଶେଷ ହୋଇଥିଲା। ମୋମିନୁଲ୍‌ ହକ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଲେ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି-୫୧୩। ଶ୍ରୀଲଙ୍କା ପ୍ରଥମ ପାଳି-୭୧୩/୯ରେ ଘୋଷିତ (କୁସାଲ୍‌ ମେଣ୍ଡିସ୍‌ ୧୯୬, ଧନଞ୍ଜୟ ଡି ସିଲ୍‌ଭା ୧୭୩, ରୋସେନ୍‌ ସିଲ୍‌ଭା ୧୦୯, ଦୀନେଶ ଚାନ୍ଦିମଲ୍‌ ୮୭, ନିରୋସାନ୍‌ ଡିକ୍‌େଓ୍ଵଲା ୬୨, ତାଇଜୁଲ୍‌ ଇସ୍‌ଲାମ୍‌ ୪/୨୧୯, ମେହଦି ହାସନ୍‌ ମିରାଜ୍‌ ୩/୧୭୪)। ବାଂଲାଦେଶ ଦ୍ୱିତୀୟ ପାଳି ୩୦୭/୫ (ମୋମିନୁଲ୍‌ ହକ୍‌ ୧୦୫, ଲିଟନ୍‌ ଦାସ ୯୪, ରଙ୍ଗନା ହେରାଥ୍‌ ୨/୮୦)।

ସମ୍ବନ୍ଧିତ ଖବର