ବିଶ୍ବ ହୁଇଲ୍‌ଚେୟାର ଅସିଚାଳନା‌ ପାଇଁ ଅର୍ଥ ବାଧକ, ଅଂଶଗ୍ରହଣ ଚିନ୍ତାରେ ରାଖାଲ ଓ ରମେଶ

ଭୁବନେଶ୍ବର: ବିଶ୍ବ ହୁଇଲଚେୟାର ଅସିଚାଳନା ଲାଗି ୪ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ରାଖାଲ କୁମାର ସେଠୀ ଓ ଭି ରମେଶ ରାଓ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା କୋରିଆର ଇଞ୍ଚିଅନ୍‌ରେ ଖେଳାଯିବ। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନେ ସିଧାସଳଖ ଟୋକିଓ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ଅର୍ଜନ କରିବେ। ୨୦୧୯ ଜାତୀୟ ପ୍ରତିଯୋଗିତାରେ ଶ୍ରେ‌ଷ୍ଠ ପ୍ରଦର୍ଶନ ହିଁ ରାଖାଲ ଓ ରମେଶଙ୍କୁ ଭାରତୀୟ ଦଳରେ ସ୍ଥାନ ଦେଇଥିଲା। ଚଳିତ ବର୍ଷ ରାଖାଲ ଦଳଗତ ବର୍ଗରେ ୨ ସ୍ବର୍ଣ୍ଣ ଏବଂ ରମେଶ ବ୍ୟକ୍ତିଗତ ବର୍ଗରେ ଗୋଟିଏ ଓ ଦଳଗତ ବର୍ଗରେ ୨ଟି ସ୍ବର୍ଣ୍ଣ ଜିତିଥିଲେ। ରାଖାଲ ଓ ରମେଶଙ୍କ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଖେଳାଳି ‌ହେଲେ ସନ୍ଦୀପ ଗୌରବ ଓ ବିନୟ ମୁକୁନ୍ଦ ସାବଲେ। ଏହି ପ୍ରତିଯୋଗିତା ଲାଗି ରାଖାଲ ଓ ରମେଶ ମନୋନୀତ ହୋଇଥିଲେ ମଧ୍ୟ ଅର୍ଥାଭାବ ନେଇ ଚିନ୍ତିତ ଅଛନ୍ତି। ପ୍ରତିଯୋଗିତାରେ ଭଗନେବା ଲାଗି ପାଖାପାଖି ୨ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ। ଭାରତୀୟ ହୁଇଲଚେୟାର ଅସିଚାଳନା ସଂଘ ଦେଇଥିବା ନିମନ୍ତ୍ରଣ ପତ୍ରରେ ଖେଳାଳିମାନେ ନିଜ ଖର୍ଚ୍ଚରେ ଅଂଶଗ୍ରହଣ ଲାଗି ‌ଦର୍ଶାଯାଇଛି। ଫଳରେ ଏତେ ଟଙ୍କା ଯୋଗାଡ଼ କରିବା ଉଭୟଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ଉଭୟ ଖେଳାଳି ୧୫ ତାରିଖରେ ‌କୋରିଆ ଗସ୍ତ କରିବାର ରହିଛି। ଆମେ ଧାର ଉଧାର କରି ଟିକେଟ୍‌ ଓ ଭିସା କରି ସାରିଛୁ। ବିଭିନ୍ନ ସଂସ୍ଥାକୁ ସାହାଯ୍ୟ ପାଇଁ ଚିଠି ଦେଇଛୁ‌ ହେଲେ କେବଳ ପିପିଏଲ୍‌ ୨୫,୦୦୦ ଟଙ୍କା ସହଯୋଗ କରିଛି। ସରକାର କି ଅନ୍ୟ କୌଣସି କର୍ପୋରେଟ୍‌ ସଂସ୍ଥା ଅମକୁ ସାହାଯ୍ୟର ହାତ ବଢ଼ାଇଲେ ଆମେ ଅଭ୍ୟାସରେ ଅଧିକ ଧ୍ୟା‌ନ ଦେଇପାରିବୁ। ଏଥି ସହ କୋରିଆରେ ଭଲ କରିବା ସହ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାରେ ଅଧିକ ଧ୍ୟାନ ନିବେଶ କରିବୁ ବୋଲି କହିଛନ୍ତି ରାଖାଲ।

ସମ୍ବନ୍ଧିତ ଖବର