ମଣ୍ଟେନେଗ୍ରୋ ମୁଷ୍ଟିଯୁଦ୍ଧ: ବିନିକା, ଚାନୁଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ମଣ୍ଟେନେଗ୍ରୋର ବୁଦ୍‌ୱାଠାରେ ଚାଲିଥିବ‌ା ୩୦ତମ ଆଡ୍ରିଆଟିକ୍‌ ପର୍ଲ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଶନିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥି‌ଲେ ଅଲ୍‌ଫିୟା ପଠାନ୍‌। ରବିବାର ଭାରତକୁ ଆଉ ଦୁଇଟି ସ୍ବର୍ଣ୍ଣ ମିଳିଯାଇଛି। ବିନିକା (୬୦ କେଜି) ଓ ଟି ସାନମାଚା ଚାନୁ (୭୫ କେଜି) ଏହି ୨ ସ୍ବର୍ଣ୍ଣ ଜିତିଛନ୍ତି। ଏହା ବ୍ୟତୀତ ଭାରତକୁ ଆଉ ୫ (୨ ରୌପ୍ୟ, ୩ କାଂସ୍ୟ) ପଦକ ମଧ୍ୟ ମିଳିଛି। ଫାଇନାଲ୍‌ରେ ରୋହତକର ବିନିକା ୫-୦ରେ ମାଲ୍‌ଡୋଭାର କ୍ରିସ୍ତିନା କ୍ରିପରଙ୍କୁ ଏବଂ ମଣିପୁରୀ ଝିଅ ଚାନୁ ୫-୦ରେ ନିଜ ଦେଶର ରାଜ ସାହିବାଙ୍କୁ ପରାସ୍ତ କରିଥିଲେ। ଫଳ‌ରେ ୭୫ କେଜି ବର୍ଗରେ ଭାରତକୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିଲା। ୪୮ କେଜି ମହିଳା ଫାଇନାଲ୍‌ରେ ଗିତିକା ୧-୪ରେ ଉଜ୍‌ବେକିସ୍ତାନର ଫାର୍ଜୋନା ଫୋଜିଲୋଭଙ୍କଠୁ ହାରିଯିବାରୁ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ୫୭ କେଜି‌ ମହିଳା ସେମିଫାଇନାଲ୍‌ରେ ପ୍ରୀତି ୧-୪ରେ ମଣ୍ଟେନେଗ୍ରୋର ବୋଜାନା ‌ଗୋଜକୋଭିକ୍‌ଙ୍କଠୁ ହାରି ‌କାଂସ୍ୟ ପାଇଥିଲେ। ପୁରୁଷ ସେମିଫାଇନାଲ୍‌ରେ ପ୍ରିୟାଂଶୁ ଦବାସ (୯ କେଜି) ୨-୩ରେ ଉଜ୍‌ବେକିସ୍ତାନର ଇସ୍‌ଜୋ‌ନୋଭଙ୍କଠୁ ଏବଂ ଜୁଗନୁ (୯୧+ କେଜି) ୦-୫ରେ ୟୁକ୍ରେନର ଭାସିଲ କାଚୁକଙ୍କଠୁ ହାରି କାଂସ୍ୟରେ ଅଟକିଥିଲେ। ୬୪‌ କେଜି ମହିଳାରେ ଲକି ରଣା ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ସେମିରେ ସେ ୩-୦ରେ ଉଜ୍‌ବେକିସ୍ତାନର ଗୁଲସୋଦା ଇସ୍ତାମୋଭାଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ରେ ଲକି ଫିନ୍‌ଲାଣ୍ଡର ଲିଆ ପୁକିଲାଙ୍କୁ ଭେଟିବେ। ଲକିଙ୍କ ବାଦ୍‌ ଆଉ ଦୁଇ ଜଣ ଭାରତୀୟ ମହିଳା ବେବିରୋଜିସାନା ଚାନୁ (୫୧ କେଜି) ଓ ଅରୁନ୍ଧତୀ ଚୌଧୁରୀ (୬୯ କେଜି) ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବେବିରୋଜିସାନା ଉଜ୍‌ବେକିସ୍ତାନର ସାବିଦା ବୋବୋକୁଲୋଭା ଓ ଅରୁନ୍ଧତୀ ୟୁକ୍ରେନର ମାରିଆନା ଷ୍ଟୋଇକୋଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର