ମୁଡିଙ୍କ ସ୍ବପ୍ନର ବିଶ୍ବ ଟି-୨୦ ଏକାଦଶ, ରୋହିତ ଅଧିନାୟକ

ପ୍ରଶଂସକ ହିଁ ସବୁ ଖେଳରେ ଗ୍ଲାମର୍ ଭରନ୍ତି: ରୋହିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର୍‌ ତଥା ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପ୍ରଶିକ୍ଷକ ଟମ୍ ମୁଡି ନିଜର ସ୍ବପ୍ନର ବିଶ୍ବ ଟି-୨୦ ଦଳ ବାଛିଛନ୍ତି। ଏଥିରେ ସେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ରଖିଛନ୍ତି। ନିକଟରେ କ୍ରିକବଜ୍‌ରେ କ୍ରିକେଟ୍ ସମୀକ୍ଷକ ହର୍ଷ ଭୋଗଲେଙ୍କ ସହ ବାର୍ତ୍ତାଳାପ ବେଳେ ମୁଡିଙ୍କୁ ଏକ ବିଶ୍ୱ ଟି-୨୦ ଏକାଦଶ ବାଛିବା ପାଇଁ କୁହାଯାଇଥିଲା। ଗତ ଦଶ ବର୍ଷ ମଧ୍ୟର ଖେଳାଳିଙ୍କ କୀର୍ତ୍ତିମାନ ଓ ସଫଳତାକୁ ଦେଖି ମୁଁ ଦଳ ବାଛୁନି। ଆଗାମୀ ୩ ସପ୍ତାହ ମଧ୍ୟରେ ଏକ ପ୍ରତିଯୋଗିତାରେ ଖେଳିଳା ଭଳି ଦଳ ବାଛୁଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ରୋହିତଙ୍କ ସହ ଅଷ୍ଟ୍ରେଲିଆ ତାରକା ଡେଭିଡ ୱାର୍ନରଙ୍କୁ ରଖୁଛି। କାରଣ ବାମ ଓ ଡାହଣହାତୀର ମିଶ୍ରଣ ରହିବ। ବିରାଟ କୋହଲିଙ୍କୁ ୩ ନମ୍ବର ଓ ଏବି ଡି’ ଭିଲିୟର୍ସଙ୍କୁ ୪ ନମ୍ବର ସ୍ଥାନରେ ରଖିବାକୁ ଚାହୁଁଛି ବୋଲି ମୁଡି କହିଛନ୍ତି। ୫ ନମ୍ବର ସ୍ଥାନ ପ‌ାଇଁ ବାଛିବା କଷ୍ଟକର। ଏଥିଲାଗି ଜୋସ୍‌ ବଟଲର୍‌ଙ୍କୁ ନେବାକୁ ଚାହୁଁଛି।

ହେଲେ ପ୍ରଶିକ୍ଷକ ଭାବେ ମୋତେ ଏହି ସ୍ଥାନ ଲାଗି ବାମହାତୀ ଦରକାର। ସେଥିପାଇଁ ନିକୋଲାସ ପୂରନଙ୍କୁ ନେବାକୁ ଚାହେଁ। କାରଣ ମଧ୍ୟ ଭାଗରେ ମୋତେ ବାମ ଓ ଡାହଣର ସନ୍ତୁଳନ ଆବଶ୍ୟକ। ଯଦି ବର୍ତ୍ତମାନ ପାଇଁ ଏହି ଦଳ ବାଛି ନଥାନ୍ତି ତେବେ ‌ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ଦେଇଥା’ନ୍ତି ବୋଲି ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ସଫଳତା ଦେଇଥିବା ମୁଡି କହିଛନ୍ତି। ଆନ୍ଦ୍ରେ ରସେଲଙ୍କୁ ଷଷ୍ଠ, ସୁନିଲ ନରିନଙ୍କୁ ସପ୍ତମରେ ଖେଳାଇବାକୁ ଚାହିଁବି। ଏମାନଙ୍କ ପଛକୁ ମିଚେଲ ଷ୍ଟାର୍କ, ରସିଦ ଖାନ୍‌, ଯଶପ୍ରୀତ ବୁମ୍‌ରା ଓ ଜୋଫ୍ରା ଆର୍ଚର ରହିବେ। ଦ୍ବାଦଶ ଖେଳାଳି ଭାବେ ଚମତ୍କାର କ୍ଷେତ୍ରରକ୍ଷଣ ପାଇଁ ବିନା ଦ୍ବିଧାରେ ମୁଁ ରବୀନ୍ଦ୍ର ଜାଦୋଜାଙ୍କୁ ବାଛିବି ବୋଲି ଆଇପିଏଲ୍‌ ବିଜେତା ଦଳର ପ୍ରଶିକ୍ଷକ ମୁଡ଼ି କହିଛନ୍ତି। ଅଧିକ ଆଇପିଏଲ୍‌ ଟ୍ରଫି ଜିତିଥିବାରୁ ରୋହିତଙ୍କୁ ନେତୃତ୍ବ ଭାର ଦେଇଥିବା ମୁଡ଼ି କହିଛନ୍ତି।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଶନିବାର କହିଛନ୍ତି ପ୍ରଶଂସକମାନେ ହିଁ ଖେଳର ଅବିଛେଦ୍ୟ ଅଙ୍ଗ। ବିଶ୍ବବ୍ୟାପୀ ସବୁ ଖେଳରେ ସେମାନେ ଅତିରିକ୍ତ ଚମକ ଆଣିଥାନ୍ତି ଏବଂ ସମ୍ପୃକ୍ତ ଖେଳକୁ ଗ୍ଲାମରସ୍‌ କରିଦିଅନ୍ତି। ଲା ଲିଗାର ଅଫିସିଆଲ୍‌ ଫେସ୍‌ବୁକ୍‌ ହ୍ୟାଣ୍ଡଲ୍‌ରେ ଉପସ୍ଥାପକ ଜୋ ମୋରିସନ୍‌ଙ୍କ ସହିତ ଆଲୋଚନା ବେଳେ ରୋହିତ ଏଭଳି କଥା କହିଛନ୍ତି। ବିନା ପ୍ରଶଂସକରେ ଖେଳ କିଭଳି ଚାଲିବ ବୋଲି ପ୍ରଶ୍ନ କରାଯାଇଥିଲା। ରୋହିତ କହିଥିଲେ ପ୍ରଶଂସକମାନେ ସାରା ବିଶ୍ବରେ କ୍ରୀଡ଼ା ପ୍ରତିଯୋଗିତା ଗୁଡିକରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାନ୍ତି। ବର୍ତମାନର ପରିସ୍ଥିତିରେ ସେମାନଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ। କିନ୍ତୁ ସେମାନଙ୍କୁ ଦିନେ ନା ଦିନେ ପଡିଆ ଭିତରକୁ ଆସିବାକୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା ଏବଂ କୁଲଦୀପ ଯାଦବ ଫୁଟ୍‌ବଲ୍‌ ଖେଳର ବଡ଼ ପ୍ରଶଂସକ ଭାବେ ବେଶ ଜଣାଶୁଣା।

ଗତ ମାର୍ଚ ମାସରୁ ସମସ୍ତ ପ୍ରକାର କ୍ରିକେଟ୍ କାର୍ଯ୍ୟକଳାପ ବନ୍ଦ ରହିଥିବା ବେଳେ ପ୍ରଥମ ପ୍ରମୁଖ ପ୍ରତିଯୋଗିତା ଭାବେ ଜର୍ମାନିର ବୁ‌ନ୍ଦେସଲିଗା ପ୍ରତ୍ୟାବର୍ତନ କରିଛି। ହେଲେ ଗୋଲ୍ ଉତ୍ସବ ବେଳେ ଆଉ ଖେଳାଳିମାନେ ଏକାଠି ହୋଇପାରୁନାହାନ୍ତି। ଜର୍ମାନି ସରକାର ସାମାଜିକ ଦୂରତା ନିୟମ ପ୍ରତି କଡ଼ା ନିର୍ଦେଶ ରଖିଛନ୍ତି। ଅନ୍ୟପକ୍ଷରେ ସ୍ପାନିସ୍ ଫୁଟ୍‌ବଲ୍ ପତ୍ରିଯୋଗିତା ଲା ଲିଗା ମଧ୍ୟ ଜୁନ୍‌ ୮ ତାରିଖରୁ ଆରମ୍ଭ ହେବ ବୋଲି ସ୍ପେନ୍ ସରକାର ଅନୁମତି ପ୍ରଦାନ କରିଛନ୍ତି। ଲକ୍‌ଡାଉନ୍ ନିୟମରେ କୋହଳ କରାଯିବା ପରେ ମେ’ ୪ ତାରିଖରୁ ଖେଳାଳିଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର