ବେଙ୍ଗାଲୁରୁ: ନିରନ୍ତର ଭାବେ ୯୦+ ମିଟର୍ ଥ୍ରୋ କରିବାକୁ ହେଲେ ଅଧିକ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଆଭ୍ୟନ୍ତରୀଣ ମାଂସପେଶୀ ଉପରେ ଅଧିକ କାମ କରିବା ସହ ଟେକ୍ନିକ୍କୁ ବି ଶାଣିତ କରିବାକୁ ହେବ। ଏଭଳି ଅନୁଭବ କରିଛନ୍ତି ଡବଲ୍ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା। ନିଜ ନାମରେ ଏକ ବିଶ୍ବସ୍ତରୀୟ ଇଭେଣ୍ଟ୍ ହେବାକୁ ଯାଉଥିବାରୁ ସେ ଏଥି ପାଇଁ ଅତ୍ୟନ୍ତ ଗର୍ବିତ ହୋଇଛନ୍ତି। ଶନିବାର ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମ୍ରେ ନୀରଜ ଚୋପ୍ରା କ୍ଲାସିକ୍ ଜାଭଲିନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଶ୍ବର ପ୍ରମୁଖ ଜାଭଲିନ୍ ଫିଙ୍ଗାଳି ଭାଗ ନେଉଛନ୍ତି। ‘‘ପଦକ ଜିତିବା ଭିନ୍ନ କଥା, କିନ୍ତୁ ଏହା ମୋତେ ସ୍ବପ୍ନ ଭଳି ଲାଗୁଛି।
ଭାରତୀୟ ଆଥଲେଟ୍ମାନଙ୍କୁ ମୁଁ କିଛି ଦେଇ ପାରିଥିବାରୁ ଖୁସି ଲାଗୁଛି’’ ବୋଲି ପ୍ରାକ୍ ଇଭେଣ୍ଟ୍ ସାମ୍ବାଦିକ ସମ୍ମିଳନୀରେ ନୀରଜ ପ୍ରକାଶ କରିଛନ୍ତି। ସରକାରଙ୍କଠାରୁ ଆରମ୍ଭ କରି କର୍ଣ୍ଣାଟକ ଅଲିମ୍ପିକ୍ ଆସୋସିଏସନ୍, ବିଶ୍ବ ଆଥଲେଟିକ୍ସ ଓ ପ୍ରାୟୋଜକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସମର୍ଥନ ମିଳିଛି। ଏହି ଇଭେଣ୍ଟ୍ ଉନ୍ନତ ଭାବେ ହେବ ବୋଲି ବିଶ୍ବାସ ବି ରହିଛି ବୋଲି ନୀରଜ ପ୍ରକାଶ କରିଛନ୍ତି। ଆମେରିକା ଓ ୟୁରୋପରେ ଏଭଳି ପ୍ରତିଯୋଗିତା ନିୟମିତ ହେଉଛି। ଭାରତରେ ଏଭଳି ‘ଏ’, ‘ବି’ ଓ ‘ସି’ ଶ୍ରେଣୀଭୁକ୍ତ ପ୍ରତିଯୋଗିତା ଅତି କମ୍ରେ ୪/୫ଟି ହେବାର ଆବଶ୍ୟକତା ରହିଛି। ଆଗାମୀ ବିଶ୍ବ ପ୍ରତିଯୋଗିତା ପାଇଁ ଏହା ଭଲ ପ୍ରସ୍ତୁତି ବି ଦେବ ବୋଲି ଗତ ମାସରେ ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍ ଜିତିଥିବା ନୀରଜ ପ୍ରକାଶ କରିଛନ୍ତି।