ଅଧିକ ପେନାଲ୍‌ଟି, କମ୍‌ ଲାଲ୍‌ କାର୍ଡ

ମସ୍କୋ: ସଦ୍ୟ ସମାପ୍ତ ଫିଫା ବିଶ୍ୱକପ୍‌ରେ ଅନେକ ନାଟକୀୟ ମୁହୂର୍ତ ନଜରକୁ ଆସିଥିଲା। ସମାନ ସମୟରେ ଅନେକ ମାଇଲଖୁଣ୍ଟ ବି ଛାଡ଼ି ଯାଇଛି ମସ୍କୋ ସଂସ୍କରଣ। ଏହି ଅବସରରେ କିଛି ପ୍ରମୁଖ ସଂଖ୍ୟା ଉପରେ ଆସନ୍ତୁ ନଜର ପକାଇନେବା।
୧୬୯: ମୋଟ ଗୋଲ୍‌ ସଂଖ୍ୟା ଥିଲା ୧୬୯। ଯାହାକି ୧୯୯୮ ଏବଂ ୨୦୧୪ (ଉଭୟ ଥର ୧୭୧) ସଂସ୍କରଣ ପରେ ଥିଲା ଦ୍ୱିତୀୟ ସର୍ବାଧିକ।
୧୬୨୩: ମୋଟ ୧୬୨୩ ସଟ୍‌ ଗୋଲ୍‌କୁ ମରାଯାଇଥିଲା। ଯାହାକି ବିଗତ ୬ ସଂସ୍କରଣ ମଧ୍ୟରେ ସବୁଠୁ କମ୍‌ ଥିଲା।
୨୯: ମସ୍କୋ ବିଶ୍ୱକପ୍‌ରେ ସର୍ବାଧିକ ୨୯ ପେନାଲଟି ପାଇଥିଲେ ଖେଳାଳି। ଯେଉଁଥିରୁ ୨୨ଟି ଗୋଲ୍‌ରେ ପରିଣତ ହୋଇଥିଲା। ଏହା ମଧ୍ୟ ସର୍ବାଧିକ।
୧୨: ଏକବିଂଶ ସଂସ୍କରଣ ଫିଫା ବିଶ୍ୱକପ୍‌ରେ ମଧ୍ୟ ସର୍ବାଧିକ ୧୨ ଗୋଲ୍‌ ଆତ୍ମଘାତୀ ରହିଥିଲା। ନିଜ ଗୋଲ୍‌ ମୁହଁକୁ ଖେଳିଥିଲେ ନିଜ ଦଳର ଖେଳାଳି।
୪: ୧୯୭୮ ମସିହା ପରେ ସବୁଠୁ କମ୍‌ ଲାଲ୍‌ କାର୍ଡ ବିଦାୟୀ ପାଇଥିଲେ ମାତ୍ର ୪ ଖେଳାଳି।
୧୦: ବେଲଜିୟମ୍‌ର ସର୍ବାଧିକ ୧୦ ଜଣ ଖେଳାଳି ଅନ୍ୟୁନ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏଥିରୁ ଆତ୍ମଘାତୀ ଗୋଲ୍‌କୁ ବାଦ୍‌ ଦିଆଯାଇଛି। ୧୯୮୨ରେ ଫ୍ରାନ୍‌ସ ଏବଂ ୨୦୦୬ରେ ଇଟାଲିର ୧୦ ଜଣ ଖେଳାଳି ଗୋଲ୍‌ ଦେଇଥିବାରୁ ବେଲ୍‌ଜିୟମ୍‌ ଏବେ ଏହାର ସମକକ୍ଷ ହୋଇଛି।
୧୬/୧୧୩: ବେଲଜିୟମ୍‌ ମଧ୍ୟ ଦଳଗତ ଭାବେ ସର୍ବାଧିକ ୧୬ ଗୋଲ୍‌ ଦେଇଛି। କ୍ରୋଏସିଆ କିନ୍ତୁ ଗୋଲ୍‌ ମୁହଁରେ ସର୍ବାଧିକ ଟାର୍ଗେଟ୍‌ ଖେଳିଥିଲା (୧୧୩)।
୬/୨୬: ଇଂଲଣ୍ଡ ଅଧିନାୟକ ହ୍ୟାରି କେନ୍‌ ସର୍ବାଧିକ ୬ ଗୋଲ୍‌ ଦେଇ ସୁନା ଜୋତା ଜିତି ନେଇଥିଲେ। ବ୍ରାଜିଲ୍‌ର ନେମାର କିନ୍ତୁ ସର୍ବାଧିକ ୨୬ ସଟ୍‌ ଖେଳିଥିଲେ ଗୋଲ୍‌ ଦିଶାରୋ।
୭୪.୭%: ୨୦୧୦ ବିଜେତା ସ୍ପେନ୍‌ ସର୍ବାଧିକ ୭୪.୭ ପ୍ରତିଶତ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ପାସିଂ ପ୍ରଦାନରେ ଶ୍ରେଷ୍ଠ ପ୍ରତିଶତ (୯୧) ଅର୍ଜନ କରିଥିଲା। କିନ୍ତୁ ଗୋଲ୍‌ ରୂପାନ୍ତରରେ ୯.୭ ପ୍ରତିଶତ ରଖି ୧୪ତମ ସ୍ଥାନରେ ରହିଥିଲା।
୨୫: ଫ୍ରାନ୍‌ସ ସବୁଠୁ ଯୁବ ଦଳ ଭାବେ ଏହାର ପ୍ରାରମ୍ଭ ଏକାଦଶକୁ ୨୫ ବର୍ଷୀୟରେ ଖେଳାଇଥିଲା। ଅନ୍ୟ ଦୁଇ ଯୁବ ଦଳ ଥିଲେ ନାଇଜେରିଆ ଏବଂ ଇଂଲଣ୍ଡ। କିନ୍ତୁ ଆର୍ଜେଣ୍ଟିନା, କୋଷ୍ଟାରିକା, ଆଇସଲାଣ୍ଡ୍‌ ପ୍ରାରମ୍ଭ ଏକାଦଶରେ ହାରାହାରି ୩୦ ବର୍ଷୀୟଙ୍କୁ ନେଇ ଖେଳାଇଥିଲା।
୨୫୦୦: ପାନାମା ବିପକ୍ଷରେ ଟ୍ୟୁନିସିଆର ବେନ୍‌ ୟୁସୁଫ୍‌ ଦେଇଥିବା ଗୋଲ୍‌ ଫିଫା ବିଶ୍ୱକପ୍‌ ଇତିହାସର ଥିଲା ୨୫୦୦ ତମ।

ସମ୍ବନ୍ଧିତ ଖବର