‘ଅଲିମ୍ପିକ୍ସ ପାଇଁ ଆହୁରି ପରିଶ୍ରମ କର’

ଏସିଆଡ଼୍‍ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭେଟିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ନୂଆଦିଲ୍ଲୀସ୍ଥିତ ନିଜ ବାସ ଭବନରେ ଏହି କୃତି କ୍ରୀଡ଼ାବିତ୍‌ମାନଙ୍କୁ ଭେଟିବା ବେଳେ ଶ୍ରୀ ମୋଦି ସେମାନଙ୍କୁ ମନଖୋଲା ପ୍ରଶଂସା କରିଥିଲେ। ସେହିଭଳି ସେମାନଙ୍କ ଉନ୍ନତ ପ୍ରଦର୍ଶନ ବିଶ୍ୱ ଦରବାରରେ ଭାରତର ଭାବମୂର୍ତି ଓ ସମ୍ମାନକୁ ବହୁଗୁଣରେ ବଢ଼ାଇ ଦେଇଛି ବୋଲି କହିଥିଲେ। ହେଲେ ଏସିଆଡ଼୍‍ ସଫଳତା ପାଇଁ ମିଳୁଥିବା ଯଶ, ଖ୍ୟାତି ଓ ଅର୍ଥ ପାଇଁ ପଥଭ୍ରଷ୍ଟ ହୋଇ ଏକାଗ୍ରତା ନହରାଇବାକୁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଛୋଟ ଛୋଟ ସହର, ଗ୍ରାମାଞ୍ଚଳ ଏବଂ ଗରିବ ପରିବାରରୁ ଆସି ମହାଦେଶୀୟସ୍ତରରେ ସଫଳତା ହାସଲ କରିଥିବା ଖେଳାଳିଙ୍କ ସହ କଥାହେଲା ବେଳେ ପ୍ରଧାନମନ୍ତ୍ରୀ ଭାବବିହ୍ଵଳ ହୋଇ ଯାଇଥିଲେ।  ଏଥିଲାଗି ସେ ଅଧିକ  ଆନନ୍ଦିତ ଥିବା ପ୍ରକାଶ କରିଥିଲେ।  ଏସିଆଡ଼୍‌ରେ ପଦକ ଜିତିଥିବା ଓଡ଼ିଆ ତାରକା ଦୂତି ଚାନ୍ଦ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିତ ଦାସ, ଲିଲିମା ମିଞ୍ଜ, ଦୀପଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା  ଆଜି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର