ନୂଆଦିଲ୍ଲୀ: ଚଳିତବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଟି-୨୦ ବିଶ୍ବକପ୍ ର ରୋମାଞ୍ଚ ପରେ ଆଇସିସି ଏବେ ବଡ଼ ଘୋଷଣା କରିଛି। ଆଗାମୀ ବିଶ୍ୱକପଗୁଡ଼ିକରେ ଦଳ ସଂଖ୍ୟା କୁ ନେଇ ଏହି ଘୋଷଣା କରାଯାଇଛି ।
ଗତ ଜୁନ୍ ରେ ଅନୁଷ୍ଠିତ ଏହି ବିଶ୍ୱକପ୍ ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ଟି-୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇସିସି ଏବେ ମହିଳା ଟି-୨୦ ବିଶ୍ୱକପର ପରିସର ବି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଏବଂ ଆଗାମୀ ଟୁର୍ଣ୍ଣାମେଣ୍ଟରେ ଏହାକୁ ୧୬କୁ ବୃଦ୍ଧି କରାଯିବ। ଟି-୨୦ କ୍ରିକେଟର ଲୋକପ୍ରିୟତା ବୃଦ୍ଧି ଏବଂ ନୂଆ ଦେଶର ଦଳର ପ୍ରଦର୍ଶନରେ ଉନ୍ନତିକୁ ଦୃଷ୍ଟିରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଛି।
ଗତ ଶନିବାର ଏବଂ ରବିବାର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଆଇସିସି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ବ୍ୟତୀତ ବୋର୍ଡ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଇସିସିର ସମସ୍ତ ସଦସ୍ୟ ବୋର୍ଡ ଅଧିକାରୀ ଉପସ୍ଥିତ ଥିଲେ ଏବଂ ଏହି ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ମହିଳା ଟି-୨୦ ବିଶ୍ୱକପରେ ଦଳ ସଂଖ୍ୟା ବୃଦ୍ଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପୁରୁଷ ଓ ମହିଳା କ୍ରିକେଟରେ ସମାନତାକୁ ପ୍ରୋତ୍ସାହିତ କରିବା ଅଭିଯାନର ଏକ ଅଂଶ ଭାବରେ ଆଇସିସି ଏହି ନିଷ୍ପତ୍ତି ନେଇଛି।
ଅନ୍ତର୍ଜାତୀୟ ପରିଷଦ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଧୀରେ ଧୀରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଦଳର ସଂଖ୍ୟା ବୃଦ୍ଧି କରାଯିବ। ୨୦୩୦ ସୁଦ୍ଧା ଉଭୟ ମହିଳା ଓ ପୁରୁଷ ଟି-୨୦ ବିଶ୍ବକପରେ ଅଧିକ ଦଳଙ୍କୁ ସାମିଲ କରାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-22-at-21.01.06.jpeg)