ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ଶୁକ୍ରବାରର ସନ୍ଧ୍ୟା ଅଧିବେସନରେ କଳିଙ୍ଗରେ ଅଭ୍ୟାସ କରୁଥିବା ଦୁଇ ତାରକା ଶ୍ରାବଣୀ ଓ ଆନ୍ଧ୍ରପ୍ରଦେଶର ଜ୍ୟୋତି ୟାରିଜିଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼ରେ ଲଢ଼େଇ ଦେଖିବାକୁ ମିଳିଥିଲା। ଏଥିରେ ‌ଜ୍ୟୋତି (୧୧.୪୬ ସେକେଣ୍ଡ) ସ୍ବର୍ଣ୍ଣ ଜିତିଥିଲା ବେଳେ ଶ୍ରାବଣୀ (୧୧.୫୯) ‌ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ।

Advertisment

ହରିୟାଣାର ହମିଶ୍ରୀ ରୟ (୧୧.୭୯) କାଂସ୍ୟ ଜିତିଥିଲେ। ତେବେ ପୁରୁଷ ୧୦୦ ମିଟରରେ ଭାରତର ଦ୍ରୁତତମ ଧାବକ ଓଡ଼ିଆ ପୁଅ ଅମିୟ ମଲ୍ଲିକ ନିରାଶ କରିଛନ୍ତି। ୮ ଜଣିଆ ଫାଇନାଲ୍‌ରେ ଅମୀୟ (୧୦.୫୮ ସେକେଣ୍ଡ) ଶେଷ ସ୍ଥାନରେ ରହିଥିଲା ବେଳେ ଲାଲୁ ପ୍ରସାଦ ଭୋଇ (୧୦.୪୮ ସେକେଣ୍ଡ) ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ତାମିଲନାଡ଼ୁର ଶିବ କୁମାର ବି (୧୦.୩୭), ପଞ୍ଜାବର ହରଜିତ ସିଂହ (୧୦.୪୫) ଓ ତାମିଲନାଡ଼ୁର ଏଲାକିୟାଦାସାନ କେ (୧୦.୪୭) ପ୍ରଥମ ୩ ସ୍ଥାନରେ ରହି ପଦକ ଜିତିଥିଲେ। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଓଡ଼ିଶାର ସୁସ୍ମିତା ଟିଗା (୧୧:୦୦.୮୫) ଷଷ୍ଠରେ ରହିଥିଲା ବେଳେ ଉତ୍ତରପ୍ରଦେଶର ପାରୁଲ ଚୌଧୁରୀ (୯:୩୪.୨୩) ମିଟ୍‌ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତିଥିଲେ। ଏଥିସହ ଏସୀୟ କ୍ରୀଡ଼ା ଯୋଗ୍ୟତା ମଧ୍ୟ ଅର୍ଜନ କରିଥିଲେ। ମହିଳା ଡିସ୍‌କସ୍‌ରେ ଓଡ଼ିଶାର ସା‌ଲ୍‌ମି କିସ୍‌ପୋଟା (୪୭.୭୧ ମିଟର) ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଉତ୍ତରପ୍ରଦେଶର ସୀମା ପୁନିଆ (୫୬.୫୦ ମିଟର) ‌ସ୍ବର୍ଣ୍ଣ ପଦକ ପାଇଥିଲେ।

୪୦୦ ମିଟର ଦୌଡ଼ରେ କେରଳର ମହମ୍ମଦ ଆନସ (୪୫.୭୬)ଙ୍କୁ ପଛରେ ପକାଇ ଶ୍ରୀଲଙ୍କାର କଳିଙ୍ଗ କୁମାରାଗେ (୧୦.୬୪) ସ୍ବର୍ଣ୍ଣ ପଦକ ଜିତିଥିଲେ। ମହିଳାରେ ହରିୟାଣାର ଅଞ୍ଜଳି ଦେବୀ (୫୧.୪୮) ଚଳିତ ଋତୁର ଶ୍ରେଷ୍ଠ ସମୟ ସହ ସ୍ବର୍ଣ୍ଣ ଜିତିଥିଲେ। ୪୦୦ ମିଟର ଉଭୟ ପୁରୁଷ ଓ ମହିଳା ଇଭେଣ୍ଟର ଶୀର୍ଷ ୪ ଜଣ ଏସୀୟ ‌କ୍ରୀଡ଼ା ମାନଦଣ୍ଡ ଡେଇଁଥିଲେ। ମହିଳା ୧୫୦୦ ମିଟର‌ରେ ପ୍ରମୁଖ ପଦକ ଦାବିଦାର ପଞ୍ଜାବର ହମିର୍ଲାନ ବେନ୍ସଙ୍କୁ ପଛରେ ପକାଇ ମଧ୍ୟପ୍ରଦେଶର କେଏମ୍‌ ଦୀକ୍ଷା ସ୍ବର୍ଣ୍ଣ ଜିତିଥିଲେ।

ଏହି ଇଭେଣ୍ଟରେ ମଧ୍ୟ ପ୍ରଥମ ୪ ଜଣ ଏସୀୟ ‌କ୍ରୀଡ଼ା ମାର୍କ ପାରି କରିଥିଲେ। ପୁରୁଷ ୮୦୦ ମିଟରରେ ହରିୟାଣାର କ୍ରିଷନ କୁମାର (୧:୪୬.୧୭) ସ୍ବର୍ଣ୍ଣ ଏବଂ କେରଳର ମହମ୍ମଦ ଅଫ୍‌ସାଲ ପି (୧:୪୭.୪୭) ରୌପ୍ୟ ଓ ପ୍ରଦୀପ ସେନ୍ଥିଲକୁମାର (୧:୪୮.୧୦) କାଂସ୍ୟ ଜିତିଥିଲେ। ଏମାନେ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ଡେଇଁଥିଲେ। ୩୫ କିମି ଚାଲି ମହିଳାରେ ପଞ୍ଜାବର ମଞ୍ଜୁ ରାଣୀ (୩:୨୧:୩୧.୦୦) ଏବଂ ପୁରୁଷରେ ହରିୟାଣାର ଜୁନେଦ (୩:୦୦:୩୭.୦୦), ୩୦୦୦ ମିଟର ପୁରୁଷ ଷ୍ଟିପଲଚେଜ୍‌ରେ ହରିୟାଣାର ବାଲ୍‌କିଶନ (୮:୩୮.୯୮), ପୁରୁଷ ଡିସ୍‌କସ୍‌ରେ ପଞ୍ଜାବର କ୍ରିପାଲ ସିଂହ (୫୭.୩୯ ମିଟର), ମହିଳା ଟ୍ରିପଲ ଜମ୍ପ୍‌ରେ କେରଳର ସୀନା ଏନ୍‌ଭି (୧୩.୬୦ ମିଟର) ଏସୀୟ କ୍ରୀଡ଼ା ଯୋଗ୍ୟତା ସହ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହି ପ୍ରତିଯୋଗିତାରରୁ ଡଜେନରୁ ଅଧିକ ଖେଳାଳି ଚଳିତ ବର୍ଷ ସେପ୍ଟେମ୍ବରରେ ଚୀନ୍‌ରେ ହେବାକୁଥିବା ହାଙ୍ଗଝୋଉ ଏସୀୟ କ୍ରୀଡ଼ାର ଯୋଗ୍ୟତା ମାନଦଣ୍ଡ ଡେଇଁଥିଲେ।

ଏହିପରି ଏକାସାଙ୍ଗରେ ଏକାଧିକ ପ୍ରତିଯୋଗିତା କରିବାକୁ ଇଚ୍ଛା: କ୍ରୀଡ଼ା ସଚିବ

ସଂପ୍ରତି କଳିଙ୍ଗ ‌ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ସହ ୬୨ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଏକାସାଙ୍ଗେ ଚାଲିଛି। ଏହା ଉଭୟ ଅନ୍ତର୍ଜତୀୟ ଓ ଜାତୀୟ ଆଥ୍‌ଲେଟ୍‌ଙ୍କ ପାଇଁ ଭାରତର ନୂଆ ଲଞ୍ଚପ୍ୟାଡ୍‌ ଭାବେ କାର୍ଯ୍ୟକରୁଛି। ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ୧୮ରେ ଏବଂ ଅନ୍ତଃରାଜ୍ୟ ଦୌଡ଼କୁଦ ୧୯ରେ ସରିବ। ‘‘ଯେତେବେଳେ ଏହି ଦୁଇ ପ୍ରତିଯୋଗିତା ଆୟୋଜନ ପ୍ରସ୍ତାବ ଆସିଲା ଆମେ ଗ୍ରହଣ କରିଥିଲୁ। ଜୁନ୍‌ରେ କରିବାକୁ ସ୍ଥିର କଲୁ। ‌ଏସୀୟ କ୍ରୀଡ଼ା ଯୋଗ୍ୟତାର ଯୋଗୁଁ ଦୁଇଟି ଯାକ ପ୍ରତିଯୋଗିତା ଏକାସାଙ୍ଗରେ କରିବାକୁ ବାଧ୍ୟ ହୋଇଥିଲୁ। ଏବଂ ସୂଚାରୁ ରୁପେ ମଧ୍ୟ ଆୟୋଜନ କରୁଛୁ। ଆମ‌ର ମଧ୍ୟ ଇଚ୍ଛା ‌ଏହିପରି ଗୋଟିଏ ଭେନ୍ୟୁରେ ଏକାସାଙ୍ଗରେ ପ୍ରତିଯୋଗିତା ଆୟୋଜନ କରିବା। କାରଣ ଆମ ପାଖରେ ଉନ୍ନତ ଧରରଣ ଭିତ୍ତିମୂମି ରହିଛି’’ ବୋଲି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା କହିଛନ୍ତି।