ଭଜିଙ୍କ ଗୋଟିଏ ଓଭର ବୋଲିଂର କାରଣ କହିଲେନି ମୋର୍ଗାନ୍‌

ଚେନ୍ନାଇ : ଚଳିତ ଆଇପିଏଲ୍‌ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏହାର ଅଭିଜ୍ଞ ସ୍ପିନର୍‌ ହରଭଜନ ସିଂହଙ୍କୁ ଦଳରୁ ମୁକ୍ତ କରି ଦେଇଥିଲା। ସେ ସମୟରେ ଲାଗୁଥିଲା ୪୧ ବର୍ଷୀୟ ଭଜିଙ୍କ ଆଇପିଏଲ୍‌ ଜୀବନ ଶେଷ ହୋଇଗଲା। ହଠାତ୍‌ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ମୂଳ ଦରରେ କିଣି ଚକିତ କରି ଦେଇଥିଲା। ସଭିଏଁ ଆଶଙ୍କାରେ ପଡ଼ିଥିଲେ ୬୯୦ ଦିନ କ୍ରିକେଟଠାରୁ ଦୂରେଇ ରହିବା ପରେ ଏହି ମହାନ ସ୍ପିନର୍‌ କିଭଳି ପ୍ରଦର୍ଶନ କରିବେ।

ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ କିନ୍ତୁ ବୋଲିଂ ଓପନ୍‌ କରିବାକୁ କେକେଆର୍‌ ଅଧିନାୟକ ଇଅନ ମୋର୍ଗାନ୍‌ ବଲ୍ ବଢ଼ାଇ ତାଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଥିଲେ। ଭଜି ନିରାଶ କରିନଥିଲେ। ପ୍ୟାଟ୍ କମିନ୍ସ ଏକ ସହଜ କ୍ୟାଚ୍‌ ଛାଡ଼ିନଥିଲେ ଡେଭିଡ୍‌ ୱାର୍ନରଙ୍କ ୱିକେଟ୍ ଭଜିଙ୍କୁ ମିଳିଯାଇଥାନ୍ତା। ଭଜି ଏହି ଓଭରରେ ୮ ରନ୍ ଦେଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଏହା ପରେ ଭଜିଙ୍କୁ ଆଉ ବୋଲିଂ ମିଳିନଥିଳା। କେକେଆର୍‌ ଅବଶ୍ୟ ମ୍ୟାଚ୍‌ ଜିତିବା ସ୍ଥିତି ରଖି ଶେଷରେ ସଫଳ ହୋଇଥିଲା। ଏ ସମ୍ପର୍କରେ ଅଧିନାୟକ ମୋର୍ଗାନଙ୍କୁ ମ୍ୟାଚ୍‌ ପରେ ପ୍ରଶ୍ନ ହେବାରୁ ସେ ସ୍ପଷ୍ଟ ଉତ୍ତର ଦେଇନଥିଲେ। କହିଥିଲେ ‘ପ୍ରଥମ ଓଭରରେ ଭଜି ଭଲ ଆରମ୍ଭ କରିଥିଲେ, ମ୍ୟାଚ୍‌ର ଅନ୍ୟ ଭାଗରେ ତାଙ୍କୁ ବୋଲିଂ ମିଳିନଥିଲେ ବି ତାଙ୍କ ଅଭିଜ୍ଞତାକୁ ଉପଯୋଗ କରି ଅନ୍ୟକୁ ସହାୟତା କରିଥିଲେ’।

ସମ୍ବନ୍ଧିତ ଖବର