ଧୋନିଙ୍କ ସାମ୍ନାରେ ମୋର୍ଗାନ୍‌

ମୁମ୍ବାଇ: ବିଶ୍ବ କପ୍‌ ବିଜେତା ଦୁଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଇଅନ ମୋର୍ଗାନ୍‌ ବୁଧବାର ଆଇପିଏଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଗତବର୍ଷ ନିରାଶାଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏଥର ପ୍ରଥମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ଏକତରଫା ଭାବେ ହାରିଥିଲେ ମଧ୍ୟ ପରବର୍ତୀ ଦୁଇ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ସହଜରେ ହରାଇ ଆତ୍ବବିଶ୍ବାସ ବଢ଼ାଇଛି। ଅନ୍ୟପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ୩ଟି ମ୍ୟାଚ୍‌ରୁ ଦୁଇଟି ହାରି ସଂଘର୍ଷ କରୁଛି।

ଧୋନିଙ୍କ ଶାନ୍ତ ସ୍ବାଭାବ ନେତୃତ୍ବ ଅଧୀନରେ ଦୀପକ ଚହରଙ୍କ ପ୍ରଶଂସନୀୟ ବୋଲିଂ ଏବଂ ଦୁଇ ଇଂଲିସ୍ ଅଲରାଉଣ୍ଡର୍‌ ମୋଇନ୍ ଅଲୀ ଓ ସାମ୍ କରନଙ୍କ ପ୍ରଦର୍ଶନ ଦଳକୁ ସଜାଡ଼ି ଦେଇଛି। ୩ ନମ୍ବର ସ୍ଥାନରେ ଖେଳି ମୋଇନ୍‌ ଦିଲ୍ଲୀ ବିପକ୍ଷରେ ୨୪ ବଲ୍‌ରୁ ୩୬, ପଞ୍ଜାବ ବିପକ୍ଷରେ ୩୧ ବଲ୍‌ରୁ ୪୬ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ୍‌ ବିଜୟୀ ୨୦ ବଲ୍‌ରୁ ୨୬ ରନ୍‌ କରିଥିଲେ। ନିଜ ଅଫ୍‌ସ୍ପିନ୍ ଜରିଆରେ ୱାଙ୍ଖ୍‌ଡେ ପିଚ୍‌ରେ ମଝି ଓଭର ଦାୟିତ୍ବ ସମ୍ଭାଳିଛନ୍ତି। ‌ସୋମବାର ରାତିରେ‌ ସେ ରାଜସ୍ଥାନ ରୟାଲ୍ସର ଡେଭିଡ୍‌ ମିଲର୍, ରିୟାନ ପରାଗ ଓ କ୍ରିସ୍ ମୋରିସଙ୍କ ୱିକେଟ୍‌ ନେଇ ୩-୦-୭-୩ ଚିତ୍ର ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ରବୀନ୍ଦ୍ର ଜାଦେଜାଙ୍କ ବୋଲିଂ ମଧ୍ୟ ସୋମବାର ରାତିରେ ସୁଫଳ ଦେଇଥିଲା। ଗୋଟିଏ ଓଭରରେ ସେ ଜୋସ୍‌ ବଟଲର୍‌ ଓ ଶିଭମ ଦୁବେଙ୍କୁ ଆଉଟ୍‌ କରିଥିଲେ। ଡ୍ବାନ ବ୍ରାଭୋ ମଧ୍ୟ ବ୍ୟାଟ୍‌ ଓ ବଲ୍‌ରେ ଅବଦାନ ରଖିଥିଲେ। କହିବାକୁ ଗଲେ ଚେନ୍ନାଇ ସଜାଡି ହୋଇଯାଇଛି। ସିଏସ୍‌କେ ପାଇଁ ଏକମାତ୍ର ଚିନ୍ତା ଋତୁରାଗ ଗାଏକ୍ବାଡଙ୍କ ଫର୍ମ। ସେ ଗତ ୩ ପାଳିରେ ଯଥାକ୍ରମେ ୫, ୫, ୧୦ ରନ୍‌ କରିଛନ୍ତି। ତାଙ୍କ ବଦଳରେ ଭେଟେରାନ୍‌ ରବିନ୍‌ ଉଥପ୍ପାଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି।
ଦୁଇ ଥର ବିଜେତା କୋଲ୍‌କାତା ନାଇଟ୍ ରାଇଡର୍ସ କିନ୍ତୁ ଲୟ ପାଇବାକୁ ସଂଘର୍ଷ କରୁଛି।

ଏଥିପାଇଁ କୋଲ୍‌କାତା ବୁଧବାର ମ୍ୟାଚ୍‌କୁ ନିଶ୍ଚିତ କିଛି ପରିବର୍ତନ ଓ ନୂଆ ରଣକୌଶଳରେ ଖେଳିବ ବୋଲି ବିଶ୍ବାସ କରାଯାଉଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ଖେଳିବା ପରେ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ନିକଟରୁ ପରାଜୟ ବରଣ କରି ପଞ୍ଚମ ସ୍ଥାନରେ ସଂଘର୍ଷ କରୁଛି। ବରୁଣ ଚକ୍ରବର୍ତ୍ତୀ ଭଲ ବୋଲିଂ କରି ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଏବଂ ରଜତ ପଟିଦାରଙ୍କୁ ଆଉଟ୍‌ କରିବା ପରେ ମୋର୍ଗାନ ତାଙ୍କୁ ବୋଲିଂ ଆକ୍ରମଣରୁ ହଟାଇ ବଡ଼ ଭୁଲ କରିଥିଲେ। ଫଳରେ ଏବି ଡି’ଭିଲିୟର୍ସ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍‌ ଆର୍‌ସିବିକୁ ୨୦୪ ରନ୍‌ ସ୍କୋର୍‌ ପ୍ରଦାନ କରିଥିଲେ। ଏବେ ସାକିବ୍ ଅଲ ହାସନଙ୍କୁ ନେଇ ମୋର୍ଗାନ୍‌ ବୁଧବାର ମ୍ୟାଚ୍‌ ଖେଳିବେ କି ବେନ୍‌ କଟିଂଙ୍କୁ ସୁଯୋଗ ଦେବେ ଦେଖିବାର ଅଛି। ହରଭଜନ ସିଂହଙ୍କୁ ମୋର୍ଗାନ୍‌ ପୂର୍ବ ୩ ମ୍ୟାଚ୍‌ରେ ପ୍ରଥମ ଓଭର ବୋଲିଂ କରାଉଥିଲେ ମଧ୍ୟ ସେ ସେଭଳି ପ୍ରଭାବୀ ରହୁନାହାନ୍ତି। ତାଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଖେଳାଇବା ଯୋଜନାରେ ରହିଛନ୍ତି ମୋର୍ଗାନ୍‌। ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍‌ ମଧ୍ୟ ଏହି ମ୍ୟାଚ୍‌କୁ ଦଳ କିଛି ପରିବର୍ତନ ସହ ଖେଳିବ ବୋଲି ସୂଚନା ଦେଇସାରିଛନ୍ତି।

ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଏମ୍ ଆସିଫ, ଦୀପକ ଚହର, ଡ୍ବେନ୍ ବ୍ରାଭୋ, ଫାଫ୍ ଡୁ’ପ୍ଲେସିସ୍, ଇମ୍ରାନ ତାହିର, ଏନ୍ ଜଗଦୀଶାନ, କର୍ଣ୍ଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଦେଜା, ଋତୁରାଜ ଗାଏକ୍ବାଡ୍, ଶାର୍ଦୁଳ ଠାକୁର, ସାମ୍ କରନ, ଆର ସାଇକିଶୋର, ମୋଇନ ଅଲ୍ଲୀ, କେ ଗୌତମ, ଚେତେଶ୍ବର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି ହରି ନିଶାନ୍ତ।

କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍‌ ଜ୍ୟାକସନ୍‌, ‌ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍‌, ବେନ୍‌ କଟିଂ, ଭେଙ୍କଟେଶ ଆୟର୍‌, ପବନ ନେଗି।

ସମ୍ବନ୍ଧିତ ଖବର