ଆବୁଧାବି: ଆଇପିଏଲ୍ର ୩୧ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ ସୋମବାର ଇଅନ୍ ମୋର୍ଗାନଙ୍କ କୋଲକାତା ନାଇଟ୍ ରାଇଡର୍ସ ୯ ୱିକେଟରେ ହରାଇ ଦେଇଛି। ଏଥି ସହିତ କୋଲକାତା ଅଷ୍ଟମ ମ୍ୟାଚ୍ରୁ ତୃତୀୟ ବିଜୟ ହାସଲ କରି ସ୍ଥିତି ସୁଧାରିବାର ସୁଯୋଗ ସୃଷ୍ଟି କରିଛି। ଅନ୍ୟପକ୍ଷରେ ପ୍ରଥମ ଟ୍ରଫି ସ୍ବପ୍ନ ଦେଖୁଥିବା ଆର୍ସିବି ଅଷ୍ଟମ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଛି। ସପ୍ତମ ସ୍ଥାନରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି। ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯାଦୁ (୪-୦-୧୩-୩) ଏବଂ ଆନ୍ଦ୍ରେ ରସେଲ (୩-୦-୯-୩)ଙ୍କ ପେସ୍ ଆକ୍ରମଣ ବଳରେ ସଂଘର୍ଷରତ କେକେଆର୍ ଶକ୍ତିଶାଳୀ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍କୁ ମାତ୍ର ୯୨ ରନ୍ରେ ଦଳି ଦେଇଥିଲା। ମାତ୍ର ୪ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଥିଲେ, ତେବେ ସର୍ବାଧିକ ୨୨ ରନ୍ କରିଥିଲେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡିକଲ୍।
ବୋଲିଂ ଓପନିଂ କରିଥିବା ବରୁଣ ଗ୍ଲେନ୍ ମ୍ୟାକ୍ସୱେଲ୍, ସଚିନ ବେବି, ୱାନିନ୍ଦୁ ହସରଙ୍ଗାଙ୍କୁ ଆଉଟ୍ କରିବା ସହହ କାଏଲ୍ ଜାମିସନଙ୍କୁ ରନ୍ ଆଉଟ କରିଥିଲେ। ପଞ୍ଚମ ବୋଲର୍ ଆନ୍ଦ୍ରେ ରସେଲ୍ (୩-୦-୯-୩) ମଧ୍ୟ ଚମତ୍କାର ବୋଲିଂ କରି କେକେଆର୍ ପାଇଁ ବାଟ ସଫା କରିଥିଲେ। ଫର୍ଗୁସନ୍ଙ୍କୁ ୨ ୱିକେଟ୍ ମିଳିଥିଲା। ‘ଗୋ ଗ୍ରିନ୍’ ଅଭିଯାନ ଲାଗି ଫିକା ନିଳ ରଙ୍ଗ ଜର୍ସିରେ ଖେଳି କୋଭିଡ୍ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିବା ଆର୍ସିବି କିନ୍ତୁ ଖେଳ ପଡ଼ିଆରେ ସମ୍ପୂର୍ଣ୍ଣ ଫିକା ପ୍ରଦର୍ଶନ କରିଥିଲା। ସମ୍ପୂର୍ଣ୍ଣ ଦଳ ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଦଳର ତିନି ବଡ଼ ତାରକା ବିରାଟ କୋହଲି (୫), ଏବି ଡି’ଭିଲିୟର୍ସ (୦) ଏବଂ ଗ୍ଳେନ୍ ମ୍ୟାକ୍ସୱେଲ୍ (୧୦) ଯଥାକ୍ରମେ ପ୍ରସିଦ୍ଧ କୃଷ୍ଣ, ଆନ୍ଦ୍ରେ ରସେଲ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ବାରା ପ୍ୟାଭିଲିଅନ୍ ଫେରିଥିଲେ। ପଦାର୍ପଣରେ ସିଂହଳୀ ତାରକା ୱାନିନ୍ଦୁ ହସରଙ୍ଗା ମଧ୍ୟ ଖାତା ଖୋଲି ପାରିନଥିଲେ।
ଜବାବରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଯୁବ ତାରକା ଶୁବମନ୍ ଗିଲ୍ (୪୮, ୩୪ ବଲ୍) ଏବଂ ପ୍ରଥମ ପଦାର୍ପଣକାରୀ ଭେଙ୍କଟେଶ ଆୟର (୪୧*, ୨୭ ବଲ୍)ଙ୍କ ପାଳି ଯଥେଷ୍ଟ ହୋଇଥିଲା। ଠିକ୍ ୧୦ ଓଭର ଖେଳି କୋଲକାତା ୧ ୱିକେଟ୍ ହରାଇ ୯୪ ରନ୍ ସଂଗ୍ରହ କରି ନେଇଥିଲା। ବରୁଣ ଚକ୍ରବର୍ତ୍ତୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମଙ୍ଗଳବାର କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ସହିତ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସର ମୁକାବିଲା ଦୁବାଇରେ ହେବ।
କୋହଲିଙ୍କ ୨୦୦ ଫିକା
ବିରାଟ କୋହଲି ସୋମବାର ତାଙ୍କ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳି ଏକ ମାଇଲଖୁଣ୍ଟ୍ ଛୁଇଁଥିଲେ ମଧ୍ୟ ବ୍ୟକ୍ତିଗତ ବିଫଳତା ସହ ଫିକା ପଡ଼ିଯାଇଥିଲେ। ଆଇପିଏଲ୍ ଇତିହାସରେ ସେ ପଞ୍ଚମ ଖେଳାଳିଭାବେ ୨୦୦ ମ୍ୟାଚ୍ ଖେଳିଥିଲେ। ୨୦୦୮ ପ୍ରଥମ ସଂସ୍କରଣରେ ସେ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିଥିଲେ। ସେ କିନ୍ତୁ ପ୍ରଥମ ଖେଳାଳିଭାବେ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ସମସ୍ତ ୨୦୦ ମ୍ୟାଚ୍ ଖେଳିଛନ୍ତି। ଖେଳ ଜୀବନ ସାରା ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ଖେଳିଛନ୍ତି। କୋହଲି ୧୩୩ ମ୍ୟାଚ୍ରେ ନେତୃତ୍ବ ନେଇ କେବଳ ମହେନ୍ଦ୍ର ସିଂହ ଧୋନି ( ୧୯୬)ଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ସେ ଲଗାତାର ୧୨୯ ମ୍ୟାଚ୍ରେ ଖେଳି ଆଉ ଏକ ମାଇଲଖୁଣ୍ଟ୍ ପ୍ରତିଷ୍ଠା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/4dg654adg654gda654gad65gdagdagdgdgd.jpg)