ମୋର୍ଗାନ୍‌ ଓହରିଲେ; ବିଶ୍ୱ ଏକାଦଶର ନେତୃତ୍ୱ ନେବେ ଆଫ୍ରିଦି

ଲଣ୍ଡନ: ଆସନ୍ତାକାଲି ଐତିହାସିକ ଲର୍ଡସ୍‌ ପଡ଼ିଆରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଦର୍ଶନୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଆଇସିସି ବିଶ୍ୱ ଏକାଦଶ ଦଳର ଅଧିନାୟକ ଇଓ୍ଵିନ୍‌ ମୋର୍ଗାନ୍‌ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ପାକ୍‌ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦିଙ୍କ ନେତୃତ୍ୱ ଭାର ଦିଆଯାଇଛି। ଗତ ରବିବାର କାଉଣ୍ଟି ମ୍ୟାଚ୍‌ରେ କ୍ଷେତ୍ରରକ୍ଷଣ ବେଳେ ମୋର୍ଗାନ୍‌ଙ୍କ ଆଙ୍ଗୁଠି ଭାଙ୍ଗି ଯିବାରୁ ସେ ଶେଷକ୍ଷଣରେ ଓହରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଆଇସିସି ଟ୍ଵିଟ୍‌ କରିଛି। ମୋର୍ଗାନ୍‌ଙ୍କ ବଦଳରେ ଅନ୍ୟତମ ଇଂଲଣ୍ଡ ଖେଳାଳି ସାମ୍‌ ବିଲିଙ୍ଗ୍‌ସ ବିଶ୍ୱ ଏକାଦଶ ଦଳରେ ସ୍ଥାନ ପାଇଛନ୍ତି। ସରେ ଅଲ୍‌ରାଉଣ୍ଡର ସାମ୍‌ କୁରାନ୍‌ ଓ ଇଂଲଣ୍ଡ ଦ୍ରୁତ ବୋଲର ଟାଇମଲ୍‌ ମିଲ୍‌ସ ମଧ୍ୟ ବିଶ୍ୱ ଏକାଦଶ ଦଳରେ ସାମିଲ ଅଛନ୍ତି। ଗତକାଲି ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଅସୁସ୍ଥ ଯୋଗୁଁ ଓହରି ଯାଇଥିବାରୁ ତାଙ୍କ ବଦଳରେ ଦ୍ରୁତ ବୋଲର ମହମ୍ମଦ ସାମି ସାମିଲ ହୋଇଥିଲେ। ଫଳରେ ବିଶ୍ୱ ଏକାଦଶ ଦଳରେ କାର୍ତିକଙ୍କ ସହ ସାମି ଦ୍ୱିତୀୟ ଭାରତୀୟ ଖେଳାଳି ରହିଛନ୍ତି।

ସମ୍ବନ୍ଧିତ ଖବର