ସିଡ୍‌ନି ଓ ମ୍ୟୁନିକ୍‌ରେ ଗଡ଼ିବ ବିଶ୍ୱକପ୍‌ ବସ୍‌

ସକାଳେ ଓଡ଼ିଶା, ସଞ୍ଜରେ ହକି

ଭୁବନେଶ୍ୱର: ଦେଶ ଭିତରେ ଭୁବନେଶ୍ୱର ହକି ବିଶ୍ୱକପ୍‌ର ପ୍ରଚାର ଲାଗି ବ୍ୟାପକ ଯୋଜନା ପ୍ରସ୍ତୁତ କରି ସାରିବା ପରେ ବିଦେଶ ମାଟି ଉପରେ ରାଜ୍ୟ ସରକାର ନଜର ପକାଇଛନ୍ତି। ଅଷ୍ଟ୍ରେଲିଆ ଏବଂ ଜର୍ମାନି ଭଳି ଦେଶ, ଯେଉଁଠି ହକି ବେଶ୍‌ ଲୋକପ୍ରିୟ, ସେଠାରେ ବିଶ୍ୱକପ୍‌ ସହ ଓଡ଼ିଶା ପର୍ଯ୍ୟଟନର ପ୍ରସାର ଭଳି ଯୁଗଳ ଲକ୍ଷ୍ୟକୁ ପୂରଣ କରିବା ଲାଗି ବସ୍‌ ବିଜ୍ଞାପନର ସହଯୋଗ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅଷ୍ଟ୍ରେଲିଆର ସିଡ୍‌ନି ଏବଂ ଜର୍ମାନିର ମ୍ୟୁନିକରେ ଚାଲୁଥିବା ବସ୍‌ରେ ‘ସକାଳେ ଓଡ଼ିଶା, ସଞ୍ଜରେ ହକି’ ବା ‘ଓଡ଼ିଶା ବାଇ ମର୍ନିଂ, ହକି ବାଇ ଇଭିନିଂ’ ଭଳି ସ୍ଲୋଗାନ ଲେଖାଯିବ। ଏଥିରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଏବଂ ସେଗୁଡ଼ିକର ବିଶେଷତ୍ୱକୁ ଚିତ୍ର ମାଧ୍ୟମରେ ପ୍ରକାଶ କରାଯିବ। ଯାହାଦ୍ୱାରା ବିଶ୍ୱକପ୍‌ ଏବଂ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାରର ଯୁଗଳ ଲକ୍ଷ୍ୟ ସାଧନ ହୋଇପାରିବ। ସେହିଭଳି ଅଷ୍ଟ୍ରେଲିଆ ଓ ଜର୍ମାନିର ଅଧିକରୁ ଅଧିକ ହକିପ୍ରେମୀ ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଆସିବା ଲାଗି ଆକୃଷ୍ଟ ହେବେ। ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖିବା ଲାଗି ମଧ୍ୟ ଆଗ୍ରହ ପ୍ରକାଶ କରିବେ। ଦିନବେଳେ ବିଦେଶୀ ହକିପ୍ରେମୀ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖାପାଖରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ ଯାଇ ପରିବାର ଏବଂ ବନ୍ଧୁ ବର୍ଗଙ୍କ ସହ ନିଜ ଦଳକୁ ଉତ୍ସାହିତ କରି ପାରିବେ। ସିଡନିରେ ଏହି ଅଭିଯାନ ଆସନ୍ତା ୨୪ ତାରିଖ ଏବଂ ମ୍ୟୁନିକରେ ଅକ୍ଟୋବର ପହିଲାରେ ଆରମ୍ଭ ହେବ। ଏଥିନେଇ କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି ଯେ ନିଜ ବାର୍ତାକୁ ସ୍ଥାନୀୟ ଜନତାଙ୍କ ପାଖରେ ପହଞ୍ଚାଇବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ବସ୍‌ ବିଜ୍ଞାପନ । ଏହା ଦ୍ୱାରା ହକି ପ୍ରଶଂସକ ଭୁବନେଶ୍ୱର ହକି ବିଶ୍ୱକପ୍‌ ବିଷୟରେ ବହୁତ କିଛି ଜାଣିପାରିବେ। ସେହିଭଳି ଓଡ଼ିଶା ମଧ୍ୟ କ୍ରୀଡ଼ା ଏବଂ ପର୍ଯ୍ୟଟନର ପେଣ୍ଠ ସ୍ଥଳ ଭାବେ ବିଶ୍ୱବାସୀଙ୍କ ପାଖରେ ପହଞ୍ଚିପାରିବ। ପୂର୍ବରୁ ମହିଳା ହକି ବିଶ୍ୱକପ୍‌ ବେଳେ ଇଂଲଣ୍ଡର ଲଣ୍ଡନ ସହରରେ ଏହିଭଳି ଭାବେ ବିଶ୍ୱକପ୍‌ର ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହା ବେଶ୍‌ ଲୋକପ୍ରିୟ ହୋଇଥିଲା। ଦେଶ ଭିତରେ ବିଶ୍ୱକପ୍‌ର ପ୍ରଚାର ଲାଗି ରାଜ୍ୟ ସରକାର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍‌କାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ୬ ମେଟ୍ରୋ ସହର ସହ ଦେଶର ୧୭ ସହରରେ ରୋଡ୍‌ ସୋ’ କରିବାକୁ ଯୋଜନା କରିଛନ୍ତି।

ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ଆଜି ପହଞ୍ଚିବେ ଖେଳାଳି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିର ଲାଗି ରବିବାର ଖେଳାଳି ପହଞ୍ଚିବେ। ସୋମବାରଠାରୁ ଶିବିର ଆନୁଷ୍ଠାନିକ ଭାବେ ଆରମ୍ଭ ହେବ। ଏହି ଶିବିରରେ ଅଷ୍ଟାଦଶ ଏସିଆଡ୍‌ରେ କାଂସ୍ୟ ପଦକ ଜିତିଥିବା ବହୁ ଖେଳାଳି ସାମିଲ ହେବେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାର କୌଣସି ଖେଳାଳିଙ୍କୁ ଏଥିରେ ସ୍ଥାନ ମିଳିନାହିଁ। ପାଖାପାଖି ମାସେ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ପରିଚାଳନା କରିବେ। ଏହି ପ୍ରଶିକ୍ଷଣ ଶିବିର ଅକ୍ଟୋବର ୧୪ରେ ଶେଷ ହେବ। ୪ ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୧୮ରୁ ଓମାନର ମାସ୍କଟଠାରେ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। କଳିଙ୍ଗ ଷ୍ଟାଡିୟମ୍‌ ଶିବିରରୁ ହିଁ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷଣା କରାଯିବ। ସେଥିପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଜଣେ ହେଲେ ବି ଓଡ଼ିଆ ଖେଳାଳି ନଖେଳିବାର ଯଥେଷ୍ଟ ଆଶଙ୍କା ରହିଛି। ୨୫ ଜଣିଆ ତାଲିକା: ପିଆର୍‌ ଶ୍ରୀଜେସ, ସୂରଜ କେର୍କେରା, କୃଷ୍ଣ ବାହାଦୂର ପାଠକ (ଗୋଲ୍‌ ରକ୍ଷକ), ହର୍‌ମନ୍‌ପ୍ରୀତ ସିଂହ, ରୂପୀନ୍ଦର ପାଲ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠାଲ୍‌ଜିତ ସିଂହ ଖାଡ଼ଙ୍ଗବାମ, ସୁରେନ୍ଦର କୁମାର, ଜର୍ମନପ୍ରୀତ ସିଂହ, ପ୍ରଦୀପ ସିଂହ (ରକ୍ଷଣଭାଗ), ମନପ୍ରୀତ ସିଂହ, ଚିଙ୍ଗ୍ଲେନସାନା ସିଂହ କଙ୍ଗୁଜାମ, ସୁମିତ, ସିମ୍ରନଜିତ ସିଂହ, ନୀଳକଣ୍ଠ ଶର୍ମା, ହାର୍ଦିକ ସିଂହ, ଲଳିତ କୁମାର ଉପାଧ୍ୟାୟ, ବିବେକ ସାଗର ପ୍ରସାଦ (ମଧ୍ୟଭାଗ), ଏସ୍‌ଭି ସୁନୀଲ, ଆକାଶଦୀପ ସିଂହ, ଗୁରଜାଣ୍ଟ ସିଂହ, ମନଦୀପ ସିଂହ, ଦିଲପ୍ରୀତ ସିଂହ, ସୁମିତ କୁମାର (ପୂରୋଭାଗ)

ସମ୍ବନ୍ଧିତ ଖବର