ସାଇନା ଓ ସିନ୍ଧୁଙ୍କ ପାଇଁ କଡ଼ା ଆହ୍ବାନ, ଅଲ୍‌ ଇଂଲଣ୍ଡ୍‌ ଚାମ୍ପିଅନ୍‌ସିପ୍‌ ମାର୍ଚ ୬ରୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଲଳନା ପିଭି ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ପାଇଁ ଆଗାମୀ ଅଲ୍‌ ଇଂଲଣ୍ଡ୍‌ ଚାମ୍ପିଅନ୍‌ସିପ୍ରେ କଡ଼ା ଆହ୍ବାନ ଅପେକ୍ଷା କରିଛି। ଏହି ପ୍ରତିଯୋଗିତା ମାର୍ଚ ୬ ତାରିଖରୁ ଲଣ୍ଡନର ବିର୍ମିଙ୍ଗ୍‌ହାମ୍‌ରେ ଆରମ୍ଭ ହେବ। ଗତ ୧୮ ବର୍ଷ ଧରି ଏହି ପ୍ରତିଯୋଗିତାରେ ଗୋଟିଏ ହେଲେ ଟ୍ରଫି ଜିତିପାରିନଥିବା ଭାରତ ଏଥର ସିନ୍ଧୁ ଓ ସାଇନାଙ୍କ ଉପରେ ଭରସା ରଖିଛି। ହେଲେ ଆରମ୍ଭରୁ ଉଭୟ ସିନ୍ଧୁ ଓ ସାଇନାଙ୍କୁ ମହିଳା ଏକକରେ କଡ଼ା ପ୍ରତିଦ୍ବନ୍ଦ୍ବୀଙ୍କ ସାମ୍‌ନା କରିବାକୁ ପଡ଼ିବ। ଅଲିମ୍ପିକ୍‌ ଓ ବିଶ୍ବ ପ୍ରତିଯୋଗିତାର ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ଗତବର୍ଷ ଏଠାରେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ଉଠିଥିଲା ବେଳେ ଏଥର ଦକ୍ଷିଣ କୋରିଆର ସୁଙ୍ଗ୍‌ ଜି ହ୍ୟୁନ୍‌ଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ସେହିପରି ୨୦୧୫ରେ ଫାଇନାଲ୍‌ ପ୍ରବେଶ କରିଥିବା ତଥା ଇଣ୍ଡୋନେସିଆ ମାଷ୍ଟର୍ସ ବିଜୟିନୀ ସାଇନା ପ୍ରଥମ ରାଉଣ୍ଡ୍‌ରେ ସ୍କଟ୍‌ଲାଣ୍ଡ୍‌ର କ୍ରିଷ୍ଟି ଗିଲ୍‌ମୋର୍‌ଙ୍କୁ ଭେଟିବେ। ଯଦି ବି ସିନ୍ଧୁ ପ୍ରଥମ ରାଉଣ୍ଡ୍‌ ଜିତି ନିଅନ୍ତି, ତେବେ କ୍ବାର୍ଟର ଫାଇନାଲ୍‌ରେ ସମ୍ଭବତଃ ତୃତୀୟ ମାନ୍ୟତା ଚେନ୍‌ ୟୁଫେଇଙ୍କୁ ଭେଟିବେ। ସେହିପରି ବିଶ୍ବ ମାନ୍ୟତାର ପୂର୍ବତନ ଶୀର୍ଷ ସାଇନା ଯଦି ପ୍ରଥମ ରାଉଣ୍ଡ୍‌ ପାରି ହୁଅନ୍ତି, ତେବେ କ୍ବାର୍ଟର ଫାଇନାଲ୍‌ରେ ସମ୍ଭବତଃ ବିଶ୍ବ ମାନ୍ୟତାର ଶୀର୍ଷ ଖେଳାଳି ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଫ୍ରାନ୍‌ସର ବ୍ରିସ୍‌ ଲେଭର୍‌ଦେଜ୍‌ଙ୍କୁ ଭେଟିବାକୁ ଥିଲା ବେଳେ କ୍ବାର୍ଟର ଫାଇନାଲ୍‌ରେ ସମ୍ଭବତଃ ବିଶ୍ବ ମାନ୍ୟତାର ଶୀର୍ଷ କେଣ୍ଟୋ ମୋମୋଟାଙ୍କୁ ‌ଭେଟିବେ। ଅନ୍ୟତମ ଭାରତୀୟ ସମୀର ବର୍ମା ପୂର୍ବତନ ଶୀର୍ଷ ମାନ୍ୟତା ଡେନ୍‌ମାର୍କର ଭିକ୍ଟର ଆକ୍ସେଲସେନ୍‌ ପ୍ରଥମ ରାଉଣ୍ଡ୍‌ରେ ଭେଟିବାକୁ ଥିଲା ବେଳେ ବି ସାଇ ପ୍ରଣିତ ଓ ଏଚ୍‌ଏସ୍‌ ପ୍ରଣୟ ପରସ୍ପର ମୁହାଁମୁହିଁ ହେବେ। ମହିଳା ଯୁଗଳରେ ଅଶ୍ବିନୀ ପୋନାପ୍ପା-ଏନ୍‌ ସିକି ରେଡ୍ଡୀ ସପ୍ତମ ମାନ୍ୟତା ଜାପାନୀ ଯୋଡ଼ି ସିହୋ ଟନକା-କୋହାରୁ ୟୋନେ‌ମୋଟୋଙ୍କୁ, ମେଘନା ଜାକାମ୍ପୁଡି-ପୂର୍ବିର୍ଶା ରାମ ରୁଷିଆର ଏକ୍‌ଟେରିନା ବୋଲୋତୋଭା-ଆଲିନା ଡାଭ୍‌ଲେଟୋଭାଙ୍କୁ ଭେଟି ଅଭିଯାନ ଆରମ୍ଭ କରିବେ। ପୁରୁଷ ଯୁଗଳରେ ମନୁ ଅତ୍ରି-ବି ସୁମିତ୍‌ ରେଡ୍ଡୀ ଚୀନ୍‌ ଯୋଡ଼ି ଓଉ ଜୁନେଇ-ରେନ୍‌ ଜିଆଙ୍ଗ୍ୟୁଙ୍କୁ ପ୍ରଥମ ରାଉଣ୍ଡ୍‌ରେ ଭେଟିବେ। ଏଠାରେ ସୂଚନାଯୋଗ୍ୟ, ଶେଷ ଥର ପାଇଁ ଭାରତ ୨୦୦୧ରେ ଅଲ୍‌ ଇଂଲଣ୍ଡ୍‌ ଚାମ୍ପିଅନ୍‌ସିପ୍‌ ଜିତିଥିଲା।

ସମ୍ବନ୍ଧିତ ଖବର