ଆଇସିସି ଇଭେଣ୍ଟ‌ରେ ସର୍ବାଧିକ ଅର୍ଦ୍ଧଶତକ: ସଚିନ୍‌ଙ୍କୁ ଟପିଲେ କୋହଲି

ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ କରିବାରେ ତୃତୀୟ ବ୍ୟାଟର୍‌, ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ସ୍କୋରର୍‌

ମେଲ୍‌ବର୍ଣ୍ଣ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ଭାରତର ଉତ୍କଣ୍ଠାପୂର୍ଣ୍ଣ (ଶେଷ ବଲ୍‌) ବିଜୟର ନାୟକ ବନିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ସେ ଏହି ମ୍ୟାଚ୍‌ରେ ୫୩ ବଲ୍‌ରୁ ଅପରାଜିତ ୮୨ ରନ୍‌ କରିଥିଲେ। ଯେଉଁଥିରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ଏହି ପାଳି ଅବସରରେ କୋହଲି ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ୮୨ ରନ୍‌ର ଅପରାଜିତ ପାଳି ଆଇସିସି ଇଭେଣ୍ଟ୍‌ରେ କୋହଲିଙ୍କ କ୍ୟାରିୟରର ୨୪ତମ ୫୦+ ସ୍କୋର୍‌ ଥିଲା। ଏକ୍ଷେତ୍ରରେ କୋହଲି କିଂବଦନ୍ତି ଭାରତୀୟ ସଚିନ୍‌ ତେନ୍ଦୁଲକର (୨୩)ଙ୍କୁ ଟପି ଯାଇଥିଲେ।

ଆଉ ଏକ ମାଇଲଖୁଣ୍ଟ ଭାବେ କୋହଲି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଇତିହାସରେ ସର୍ବାଧିକ ରନ୍‌ ‌ସ୍କୋରର୍‌ ହୋଇଛନ୍ତି। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସେ ୩୭୯୪ ରନ୍‌ କରିଛନ୍ତି। କୋହଲି ୧୧୦ ମ୍ୟାଚ୍‌ (୧୦୨ ପାଳି)ରୁ ୫୧.୯୭ ହାରରେ ୩୭୯୪ ରନ୍‌ କରିଥିଲା ବେଳେ ସେଥିରେ ଗୋଟିଏ ଶତକ ଏବଂ ୩୪ ଅର୍ଦ୍ଧଶତକ ସାମିଲ ରହିଛି। ଏହି ଫର୍ମାଟ୍‌ରେ କୋହଲିଙ୍କ ଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୧୨୨ ରହିଛି। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବାଧିକ ସ୍କୋରର୍‌ ହେବାରେ କୋହଲି ନିଜ ଦେଶର ଅଧିନାୟକ ରୋହିତ ଶର୍ମା (୩୭୪୧), ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ (୩୫୩୧), ପାକିସ୍ତାନ ଅଧିନାୟକ ବାବର ଆଜମ୍‌ (୩୨୩୧) ଏବଂ ଆୟର୍ଲାଣ୍ଡ୍‌ର ପଲ୍‌ ଷ୍ଟିର୍ଲିଂ (୩୧୧୯)ଙ୍କ ପଛରେ ପକାଇ ଦେଇଛନ୍ତି।

ସେହିପରି ଆଇସିସି ବିଶ୍ବକପ୍‌ରେ ୬ ମ୍ୟାଚ୍‌ରୁ କୋହଲିଙ୍କ ରନ୍‌ ସଂଖ୍ୟା ୧୦୩୦କୁ ବୃଦ୍ଧି ପାଇଛି। ତାଙ୍କ ହାରାହାରି ୪୬.୮୧ ରହିଥିଲା ବେଳେ ସେଥିରେ ୨ ଶତକ ଓ ୬ ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ୧୦୭ ରହିଛି। କିନ୍ତୁ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ କୋହଲି ୨୨ ମ୍ୟାଚ୍‌ (୨୦ ପାଳି) ଖେଳିଥିଲା ବେଳେ ୯୨୭ ରନ୍‌ (୮୪.୨୭ ହାର) କରିଛନ୍ତି। ସେଥିରେ ୧୧ ଅର୍ଦ୍ଧଶତକ (ଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୮୯) ସାମିଲ ରହିଛି। ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ସର୍ବାଧିକ ରନ୍‌ କରିବାରେ କୋହଲି ଏବେ ୱେଷ୍ଟ୍‌ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୯୬୫ ରନ୍‌) ଏବଂ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ (୧୦୧୬)ଙ୍କ ପଛକୁ ତୃତୀୟ ବ୍ୟାଟର୍‌ ହୋଇଛନ୍ତି। ଅନ୍ୟପକ୍ଷରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ୧୩ ମ୍ୟାଚ୍‌ (୧୨ ପାଳି)ରେ କୋହଲି ୫୨୯ କରିଛନ୍ତି। ଫଳରେ ମିଳିତ ଭାବେ ୬୧ ଆଇସିସି ଇଭେଣ୍ଟ ମ୍ୟାଚ୍‌ (୬୦ ପାଳି) ଖେଳି କୋହଲି ୨୪୮୬ ରନ୍‌ (୨ ଶତକ, ୨୨ ଅର୍ଦ୍ଧଶତକ) କରିଛନ୍ତି।

ସୀମିତ ଓଭର ତଥା ଧଳାବଲ୍‌ ଆନ୍ତର୍ଜାତିକ (ଉଭୟ ‌ଟ୍ବେଣ୍ଟି-୨୦ ଓ ଦିନିକିଆ) କ୍ରିକେଟ୍‌ରେ କୋହଲି ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ୧୬୦୦୦ ରନ୍‌ ଅତିକ୍ରମ କରିବାରେ ଦ୍ବିତୀୟ ଖେଳାଳି ହୋଇଛନ୍ତି। ରବିବାର ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ପରେ ତାଙ୍କ ମୋଟ ରନ୍‌ ସଂଖ୍ୟା ୧୬୦୦୪ରେ ପହଞ୍ଚିଛି। ୩୬୯ ସୀମିତ ଓଭର ମ୍ୟାଚ୍‌ରୁ ୫୫.୯୫ ହାରରେ ଏବଂ ୯୭ ଅର୍ଦ୍ଧଶତକ ଜରିଆରେ କୋହଲି ଏହି ରନ୍‌ କରିଛନ୍ତି। ଏକ୍ଷେତ୍ରରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ପଛକୁ ରହିଛନ୍ତି। ସଚିନ୍‌ ୪୬୪ ମ୍ୟାଚ୍‌ରୁ ୧୮୪୩୬ ରନ୍‌ କରି ତାଲିକାର ଶୀର୍ଷରେ ରହିଛନ୍ତି। ସେହିପରି ଆନ୍ତର୍ଜାତିକ କ୍ରିକେଟ୍‌ (ତିନିଟିଯାକ ଫର୍ମାଟ୍‌)ରେ ସର୍ବାଧିକ ରନ୍‌ କରିବାରେ କୋହଲି ମଧ୍ୟ ରାହୁଲ ଦ୍ରାବିଡ୍‌ଙ୍କୁ ପଛରେ ପକାଇ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ଭାରତୀୟ ଦଳର ଏବର ମୁଖ୍ୟ ପ୍ରଶିକ୍ଷକ ଦ୍ରାବିଡ୍‌ ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୪୦୬୪ ରନ୍‌ କରିଥିଲା ବେଳେ କୋହଲି ୪୭୧ ମ୍ୟାଚ୍‌ରୁ ୨୪୦୭୮ ରନ୍‌ କରିସାରିଛନ୍ତି। ଏକ୍ଷେତ୍ରରେ ସଚିନ୍‌ ତେନ୍ଦୁଲକର (୩୪୩୫୭ ରନ୍‌, ୬୬୪ ମ୍ୟାଚ୍‌) ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ମୋଟାମୋଟି ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ରନ୍‌ କରିବାରେ କୋହଲି ସପ୍ତମରେ ରହିଛନ୍ତି। ତାଙ୍କ ଉପରକୁ ସଚିନ୍‌, କୁମାର ସାଙ୍ଗାକାରା (୨୮୦୧୬, ୫୯୪ ମ୍ୟାଚ୍‌), ରିକି ପଣ୍ଟିଂ (୨୭୪୮୩, ୫୬୦ ମ୍ୟାଚ୍‌), ମାହେଲା ଜୟବର୍ଦ୍ଧନେ (୨୫୯୫୭, ୬୫୨ ମ୍ୟାଚ୍‌), ଜାକ୍ସ କାଲିସ (୨୫୫୩୪, ୫୧୯ ମ୍ୟାଚ୍‌) ଏବଂ ରାହୁଲ ଦ୍ରାବିଡ୍‌ (୨୪୨୦୮, ୫୦୯ ମ୍ୟାଚ୍‌) ରହିଛନ୍ତି। ଦ୍ରାବିଡ୍‌ ୨୪୦୬୪ ରନ୍‌ କରିଥିଲା ବେଳେ ଏସିଆ ଏକାଦଶ ଏବଂ ଆଇସିସି ବିଶ୍ବ ଏକାଦଶରେ ଖେଳି ୧୪୪ ରନ୍‌ କରିଥିବାରୁ ତାଙ୍କ ସ୍କୋର୍‌ ୨୪୨୦୮ ଗଣାଯାଉଛି।

ଚହଲଙ୍କୁ ଟପିଲେ ଭୁବନେଶ୍ବର
ରବିବାର ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଗୋଟିଏ ୱିକେଟ୍‌ ଦଖଲ କରିଥିଲେ। ସେ ନିମ୍ନକ୍ରମରେ ବିସ୍ଫୋରକ ବ୍ୟାଟିଂ (୧୬ ରନ୍‌, ୮ ବଲ୍‌, ୧ ଚୌକା, ୧ ଛକା) କରୁଥିବା ସାହିନ ଆଫ୍ରିଦିଙ୍କୁ ଶେଷ ଓଭରର ଦ୍ବିତୀୟ ବଲ୍‌ରେ କଟ୍‌ ଆଣ୍ଡ୍‌ ବୋଲ୍‌ଡ କରିଥିଲେ। ଏଥି ସହିତ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ତାଙ୍କ ମୋଟ ୱିକେଟ୍‌ ସଂଖ୍ୟାକୁ ୮୬ରେ ପହଞ୍ଚାଇଥିଲେ। ଆଉ ଏକ୍ଷେତ୍ରରେ ସେ ନିଜ ଦଳୀୟ ସାଥୀ ୟୁଝ୍‌ବେନ୍ଦ୍ର ଚହଲଙ୍କୁ ଟପି ଯାଇଥିଲେ। ପାକିସ୍ତାନ ବିପକ୍ଷ ଗତ ରବିବାର ମ୍ୟା‌ଚ୍‌ ପୂର୍ବରୁ ଭୁବନେଶ୍ବର ମଧ୍ୟ ଚହଲଙ୍କ ସହ ଯୁଗ୍ମ ସର୍ବାଧିକ ୱିକେଟ୍‌ଦଖଲକାରି ତାଲିକାରେ ରହିଥିଲେ।

 

ସମ୍ବନ୍ଧିତ ଖବର