ଅଧିନାୟକ ଭାବେ ସର୍ବାଧିକ ଦିନିକିଆ ବିଜୟ

ଲୟଡ୍‌ ଓ ପଣ୍ଟିଂଙ୍କ ସମକକ୍ଷ ହେଲେ କୋହଲି

ଟ୍ରେଣ୍ଟ୍‌ବ୍ରିଜ୍‌, ୧୩|୭: ଗୁରୁବାର ରାତିରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ମ୍ୟାଚ୍‌ ଥିଲା। ଆଉ କୋହଲି ମଧ୍ୟ ଏହି ମ୍ୟାଚ୍‌କୁ ଜିତି ସ୍ମରଣୀୟ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୮ ଓ୍ଵିକେଟ୍‌ରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଥିଲା। ରୋହିତ ଶର୍ମା ଅପରାଜିତ ୧୩୪ ରନ୍‌ କରିଥିଲା ବେଳେ କୋହଲି ୭୫ ରନ୍‌ର ପାଳି ଖେଳିଥିଲେ। ଭାରତ ଏହି ମ୍ୟାଚ୍‌ ଜିତିନେବା ପରେ କୋହଲି ଅଧିନାୟକ ଭାବେ ସବୁଠୁ ଅଧିକ ଦିନିକିଆ ବିଜୟରେ େଓ୍ଵଷ୍ଟଇଣ୍ଡିଜ୍‌ର କ୍ଲାଇବ୍‌ ଲୟଡ୍‌ ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୫୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୩୯ ଜିତିଥିଲା ବେଳେ ଉଭୟ ଲୟଡ୍‌ ଓ ପଣ୍ଟିଂ ଅଧିନାୟକ ଭାବେ ନିଜ ନିଜର ପ୍ରଥମ ୫୦ ଦିନିକିଆରୁ ସମାନ ସଂଖ୍ୟକ ୩୯ ବିଜୟ ପାଇଥିଲେ। ଏମାନଙ୍କ ପଛକୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୧ ବିଜୟ) ରହିଛନ୍ତି।

 

କୋହଲିଙ୍କୁ କାଟିଲେ ରୋହିତ

ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ କୌଣସି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କରିବାରେ ରୋହିତ ଶର୍ମା ନିଜ ଅଧିନାୟକ ବିରାଟ କୋହଲିଙ୍କୁ କାଟି ଦେଇଛନ୍ତି। ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ପୂର୍ବରୁ ସର୍ବାଧିକ ସ୍କୋର୍‌ କରିବାର କୀର୍ତିମାନ କୋହଲିଙ୍କ ନାମରେ ଥିଲା। କୋହଲି ୨୦୧୧ରେ କାର୍ଡିଫ୍‌ ଦିନିକିଆରେ ୧୦୭ ରନ୍‌ କରିଥିଲା ବେଳେ ଗୁରୁବାର ଟ୍ରେଣ୍ଟ୍‌ବ୍ରିଜ୍‌ ଦିନିକିଆରେ ରୋହିତ ଅପରାଜିତ ୧୩୪ ରନ୍‌ କରି କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ମଧ୍ୟ ତାଙ୍କର ୧୮ତମ ଶତକ ଜମାଇଥିଲା ବେଳେ ପିଛା କରିବାରେ ସପ୍ତମ ତଥା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥିଲା। ପୁଣି ଏହା କ୍ରମାଗତ ସପ୍ତମ ଦିନିକିଆ ଶୃଙ୍ଖଳା ଥିଲା ଯେଉଁଥିରେ କି ରୋହିତ ଅତି କମ୍‌ରେ ଗୋଟିଏ ଶତକ ଜମାଇଲେ। ରୋହିତ ମଧ୍ୟ ଶେଷ ୧୪ ଶୃଙ୍ଖଳାରେ ୧୨ ଶତକ ଜମାଇ ସାରିଲେଣି।

 

କୁଲ୍‌ଦୀପ୍‌ଙ୍କ କୀର୍ତିମାନ

ଟେ୍ଵଣ୍ଟି-୨୦ ଭଳି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମଧ୍ୟ ଭାରତୀୟ ସ୍ପିନର କୁଲ୍‌ଦୀପ୍‌ ଯାଦବ ଚମତ୍କାର ଆରମ୍ଭ ପାଇଲେ। ମାଞ୍ଚେଷ୍ଟର ଟେ୍ଵଣ୍ଟି-୨୦ରେ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିବା କୁଲ୍‌ଦୀପ୍‌ ଗୁରୁବାର ଟ୍ରେଣ୍ଟ୍‌ବ୍ରିଜ୍‌ ଦିନିକିଆରେ ୨୫ ରନ୍‌ରେ ୬ ଓ୍ଵିକେଟ୍‌ ଝଡ଼ାଇ ଦେଲେ। ଏଥି ସହିତ ସର୍ବୋଚ୍ଚ ଦଳୀୟ ସ୍କୋର୍‌ର ଦୁଇ ଦୁଇଟି ବିଶ୍ୱ କୀର୍ତିମାନ ନିକଟରେ ପାଇଥିବା ପଡ଼ିଆରେ ୬ ଓ୍ଵିକେଟ୍‌ ଦଖଲ କରିବାରେ କୁଲ୍‌ଦୀପ୍‌ ପ୍ରଥମ ବାମହାତୀ କଚଟି ସ୍ପିନର ହେବାର କୀର୍ତିମାନ ପାଇଲେ। ଏକ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ବାମହାତୀ କଚଟି ସ୍ପିନର ବ୍ରାଡ୍‌  ହଗ୍‌ (୫/୩୨)ଙ୍କ ନାମରେ ଥିବା କୀର୍ତିମାନକୁ ପଛରେ ପକାଇଦେଲେ। କୁଲ୍‌ଦୀପ୍‌ଙ୍କ ୬/୨୫ ମଧ୍ୟ ଦିନିକିଆ  ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ମଧ୍ୟ ଜଣେ ବାମହାତୀ ସ୍ପିନରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏକ୍ଷେତ୍ରରେ ସେ ଭାରତୀୟ ସ୍ପିନର ମୁରଲୀ କାର୍ତିକ (୬/୨୭, ୨୦୦୭ ଅଷ୍ଟ୍ରେଲିଆ ବିପକ୍ଷ ମୁମ୍ବାଇ ଦିନିକିଆ)ଙ୍କୁ ଟପିଗଲେ। କୁଲ୍‌ଦୀପ୍‌ଙ୍କ ବୋଲିଂ ଚିତ୍ର କୌଣସି ଭାରତୀୟ ବୋଲର ଭାବେ ଚତୁର୍ଥ ଶ୍ରେଷ୍ଠ ଏବଂ ଇଂଲଣ୍ଡରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶ୍ରେଷ୍ଠ। କେବଳ ଷ୍ଟୁଆର୍ଟ ବିନ୍ନିଙ୍କ ବାଂଲାଦେଶ ବିପକ୍ଷ ୬/୪ ବୋଲିଂ ଚିତ୍ର ଏବେ ବି କୌଣସି ଭାରତୀୟ ବୋଲରଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ରହିଆସିଛି। କୁଲ୍‌ଦୀପ୍‌ଙ୍କ ପୂର୍ବରୁ ଇଂଲଣ୍ଡରେ କୌଣସି ବି ସ୍ପିନର ଏଭଳି ସଫଳତା ପାଇନଥିଲେ। ଏହା ପୂର୍ବରୁ ୨୦୦୪ ଚାମ୍ପିଅନ୍‌ସ ଟ୍ରଫିରେ କେନିଆ ବିପକ୍ଷରେ ପାକିସ୍ତାନର ସାହିଦ୍‌ ଆଫ୍ରିଦିଙ୍କ ୫/୧୧ ଇଂଲଣ୍ଡ ମାଟିରେ ସର୍ବଶ୍ରେଷ୍ଠ ଥିଲା। ତାଙ୍କ ପୂର୍ବରୁ ସିଂହଳୀ କିମ୍ବଦନ୍ତୀ ମୁଥେୟା ମୁରଲୀଧରନ୍‌ ୧୯୯୮ ଲର୍ଡସ୍‌ ମ୍ୟାଚ୍‌ରେ ୫/୩୪ ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର