ଅଧିକାଂଶ ଫିକ୍ସିଂ ଘଟଣାର ଚେର ଭାରତରେ, ଖେଳାଳିଙ୍କ ନାଁ କହିଲେ ଆକ୍ବିବ

ବିସିସିଆଇ ଓ ଆଇସିସିକୁ ଡି ସିଲ୍‌ଭାଙ୍କ ଅନୁରୋଧ

ଦୁବାଇ: ଆଇସିସି ସଂପ୍ରତି ୫୦ରୁ ଅଧିକ ଫିକ୍ସିଂ ଓ ଦୁର୍ନୀତି ମାମଲାର ତଦନ୍ତ କରୁଛି। ସେଥିମଧ୍ୟରୁ ଅଧିକାଂଶ ମାମଲାର ସଂପୃକ୍ତି ଭାରତ ସହ ରହିଛି। ୨୦୧୩ ମସିହାର ଆଇପିଏଲ୍ ଫିକ୍ସିଂ ମାମଲାରେ ପୁଲିସ ଧରପଗଡ଼କୁ ବ୍ୟାପକ କରାଯାଇଥିଲେ ମଧ୍ୟ ଏବେ ବି ଭାରତରେ ଏଭଳି କାର୍ଯ୍ୟ ହେଉଛି ବୋଲି ଆଇସିସି ଦୁର୍ନୀତି ନିବାରଣ ସଂସ୍ଥାର ସଂଯୋଜକ ଷ୍ଟିଭ୍ ରିଚାର୍ଡସନ୍ କହିଛନ୍ତି। ତେବେ ଖେଳାଳିମାନଙ୍କୁ ସେ କ୍ଲିନ୍ ଚିଟ୍ ଦେଇଛନ୍ତି। ‘‘ଫିକ୍ସିଂ ଶୃଙ୍ଖଳାର ଶେଷ ମୋହରା ହେଉଛନ୍ତି ଖେଳାଳି। ଯେଉଁ ଲୋକମାନେ ଦୁର୍ନୀତିର ଆୟୋଜନ କରୁଛନ୍ତି, ସେମାନେ ‌ହିଁ ଆଇସିସି ପାଇଁ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛନ୍ତି। ଖେଳ ପଡ଼ିଆ ବାହାରେ ରହି ଏମାନେ ସବୁବେଳେ ଖେଳାଳିଙ୍କୁ ଶିକାର କରିବାକୁ ଚେଷ୍ଟା କରୁଛନ୍ତି। ଏମିତି ୮ରୁ ୯ ଜଣ ବ୍ୟକ୍ତିଙ୍କ ନାଁ ମୁଁ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଦେଇ ପାରିବି। ସେମାନେ ନିୟମିତ ଭାବେ ଏଭଳି କୁକର୍ମରେ ଲିପ୍ତ ରହୁଛନ୍ତି।

କୋଭିଡ୍-୧୯ ସଙ୍କଟ ପାଇଁ ବିଶ୍ବର ଅଧିକାଂଶ କ୍ରିକେଟ୍ ଲିଗ୍ ବନ୍ଦ ରହିଛି। ନଚେତ ଏବେସୁଦ୍ଧା ସେମାନେ ସକ୍ରିୟ ହୋଇ ସାରିଥା’ନ୍ତେ’’ ବୋଲି ରିଚାର୍ଡସନ୍ କହିଛନ୍ତି। କ୍ରିକେଟ୍ ବେଟିଂ, ଫିକ୍ସିଂ ଓ ଦୁର୍ନୀତିର ବଜାର ୩୦୦୦୦ରୁ ୪୦୦୦୦ କୋଟି ଟଙ୍କାର। ଗୋଟିଏ ଗୋଟିଏ ମ୍ୟାଚ୍ ଲାଗି ଦୁଇ ତିନି କୋଟିରୁ ଅଧିକ ଟଙ୍କାର ବାଜି ଲାଗିଥାଏ ବୋଲି ସେ ସୂଚନା ଦେଇଛନ୍ତି। ଫିକ୍ସିଂକୁ ଫୌଜଦାରି ମାମଲା ଭାବେ ବିବେଚନା କରାନଯିବା ପର୍ଯ୍ୟନ୍ତ ଏହା କ୍ରିକେଟ୍‌ରୁ ସୂପର୍ଣ୍ଣ ରୂପେ ଦୂର ହେବନି ବୋଲି ସେ ଆଶଙ୍କା ଜାହିର କରିଛନ୍ତି।

ଖେଳାଳିଙ୍କ ନାଁ କହିଲେ ଆକ୍ବିବ
ଲାହୋର: ଧୀରେଧୀରେ ପାକିସ୍ତାନ କ୍ରିକେଟ୍‌ର ଅନେକ ଗୁମର କଥା ପଦାକୁ ଆସୁଛି। ଏହି ଦେଶରେ ଚାଲିଥିବା‌ ଫିକ୍ସିଂ କେଳେଙ୍କାରୀକୁ ନେଇ ଅତୀତରେ ଅନେକ ପୂର୍ବତନ ଖେଳାଳି ବିସ୍ଫୋରକ ବୟାନ ଦେଇଛନ୍ତି। ଏବେ ଏହି ତାଲିକାରେ ପୂର୍ବତନ ଦ୍ରୁତ ବୋଲର ଆକ୍ବିବ ଜାଭେଦ ସାମିଲ ହୋଇଛନ୍ତି। ଫିକ୍ସିଂ କରିବାକୁ ତାଙ୍କ ଉପରେ ଚାପ ପକାଇଥିବା ଖେଳାଳିଙ୍କ ନାଁର ପର୍ଦାଫାସ କରିଛନ୍ତି। ଏହି ଖେଳାଳି ଜଣଙ୍କ ହେଉଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ସଲିମ ପର୍ଭେଜ। ହେଲେ ସଲିମଙ୍କ ଏଭଳି କୁତ୍ସିତ ପ୍ରସ୍ତାବରେ ସେ ରାଜି ହୋଇ ନଥିଲେ। ସେଥିପାଇଁ ତାଙ୍କ ଖେଳ ଜୀବନ ଅକାଳରେ ଶେଷ ହୋଇ ଯାଇଥିଲା ବୋଲି ଆକ୍ବିବ ଅଭିଯୋଗ କରିଛନ୍ତି। ‘‘ଶିକାର ଖୋଜିବା ଲାଗି ଜଣେ ଖେଳାଳିଙ୍କୁ ଦାମୀ କାର୍‌ ଓ କୋଟି କୋଟି ଟଙ୍କା ଦିଆଯାଇଥିଲା। ମୋତେ ମଧ୍ୟ ଫିକ୍ସିଂ କରିବାକୁ କୁହାଯାଇଥିଲା। ଏଭଳି ନକଲେ ମୋ ଖେଳ ଜୀବନ ଶେଷ କରିଦେବେ ବୋଲି ମଧ୍ୟ ସେମାନେ ଧମକ ଦେଇଥିଲେ। ସଲିମ ପର୍ଭେଜ ନାମକ ଜଣେ ପୂର୍ବତନ କ୍ରିକେଟରଙ୍କ ମାଧ୍ୟମରେ ଖେଳାଳିଙ୍କୁ ଫିକ୍ସିଂ ପ୍ରସ୍ତାବ ଦିଆଯାଉଥିଲା। ମୁଁ ଯେତେବେଳେ ଏହି ବିଷୟ ଜାଣିଲି, ସେତେବେଳେ ଏହାର ତୀବ୍ର ବିରୋଧ କରିଥିଲି। ସେଥିପାଇଁ ଲୋକମାନେ ମୋତେ ଅଣଦେଖା କରିବା ଆରମ୍ଭ କରି ଦେଇଥିଲେ। ମୋ ଖେଳ ଜୀବନ ମଧ୍ୟ ବହୁ ପୂର୍ବରୁ ଶେଷ ହୋଇଯାଇଥିଲା ’’ ବୋଲି ଆକ୍ବିବ ରବିବାର ଏକ ପାକିସ୍ତାନୀ ଟେଲିଭଜିନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ଆକ୍ବିବ ଗୁରୁତର ଅଭିଯୋଗ ଆଣିଥିବା ଖେଳାଳି ସଲିମ ପର୍ଭେଜ ୧୯୮୦ ମସିହାରେ ପାକିସ୍ତାନ ପକ୍ଷରୁ ଗୋଟିଏ ଦିନିକିଆ ଖେଳିଥିଲେ।

ବିସିସିଆଇ ଓ ଆଇସିସିକୁ ଡି ସିଲ୍‌ଭାଙ୍କ ଅନୁରୋଧ
କଲମ୍ବୋ: ୨୦୧୧ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ନେଇ ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥଗାମାଗେ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଫାଇନାଲ୍‌ରେ ବିଜେତା ଭାରତ ନିକଟରୁ ଶ୍ରୀଲଙ୍କା ଦଳ ଜାଣିଶୁଣି ହାରିଯାଇଥିବା ମହିମାନନ୍ଦ ଗୁରୁତର ଅଭିଯୋଗ ଉଠାଇଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ମଧ୍ୟ ତଦନ୍ତ ନିର୍ଦେଶ ଦେଇଛି। ତେବେ ୨୮ ବର୍ଷ ପରେ ଭାରତ ପ୍ରଥମ ଥର ଲାଗି ବିଶ୍ବକପ୍‌ ଜିତିଥିଲା ବେଳେ କିଂବଦନ୍ତି କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର ସେହି ଦଳର ସଦସ୍ୟ ଥିଲେ। ସଚିନ୍‌ଙ୍କୁ ସାଥୀ ଖେଳାଳିମାନେ ତୋଳିଧରି ତାଙ୍କ ପାଇଁ ବିଜୟ ଉତ୍ସର୍ଗ କରିଥିଲା ବେଳେ ଭାରତୀୟ ପ୍ରଶଂସକମାନେ କିଛି କମ୍‌ ଉତ୍‌ଫୁଲିତ ହୋଇନଥିଲେ। ସଚିନ୍‌ଙ୍କ ପାଇଁ ମଧ୍ୟ ସେହି ବିଶ୍ବକପ୍‌ ସବୁବେଳେ ସ୍ମୃତି ହୋଇ ରହିଯାଇଛି। ଫିକ୍ସିଂ ବୋଲି ପ୍ରମାଣିତ ହେଲେ ବିଶ୍ବକପ୍‌ ବିଜୟ ଭାରତ ପାଇଁ କଳଙ୍କ ସଦୃଶ ହେବ। ଭାରତ ଖେଳିକି ନୁହେଁ, ବରଂ ଫିକ୍ସିଂ କରି ବିଶ୍ବ ବିଜେତା ହୋଇଥିବାର ଦୁର୍ନାମ ମୁଣ୍ଡାଇବ। ତେଣୁ ସଚିନ୍‌ ଓ ପ୍ରଶଂସକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ସେହି ମ୍ୟାଚ୍‌ ଫିକ୍ସିଂ ହୋଇଥିଲା ନା ନାହିଁ ସେନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଧ୍ୟ ତଦନ୍ତ କରିବା ଉଚିତ ବୋଲି କହିଛନ୍ତି ପୂର୍ବତନ ସିଂହଳୀ ଅଧିନାୟକ ଅରବିନ୍ଦ ଡି ସିଲ୍‌ଭା। ପୂର୍ବତନ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀଙ୍କ ଅଭିଯୋଗକୁ ସେହି ବିଶ୍ବକପ୍‌ର ଦୁଇ ମହାନ୍‌ ତାରକା ମାହେଲା ଜୟବର୍ଧନେ ଏବଂ କୁମାର ସାଙ୍ଗାକାରା ହସରେ ଉଡାଇ ଦେଇଥିଲେ ମଧ୍ୟ ବିସିସିଆଇ ତଦନ୍ତ କରିବା ଉଚିତ ବୋଲି ଅନୁରୋଧ କରିଛନ୍ତି ଡି ସିଲ୍‌ଭା। ଏପରିକି ଫିକ୍ସିଂ ଅଭିଯୋଗକୁ ତଦନ୍ତ ଜରିଆରେ ସ୍ବଚ୍ଛ କରିବା ସହିତ ପୁନର୍ବାର ଯେପରି ଏଭଳି ଅଭିଯୋଗ ଆସିନପାରିବ ସେ ନେଇ ପଦକ୍ଷେପ ନେବାକୁ ବିସିସିଆଇ ଏବଂ ଆଇସିସିକୁ ଅନୁରୋଧ କରିଛନ୍ତି ଡି ସିଲ୍‌ଭା।

ସମ୍ବନ୍ଧିତ ଖବର