ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ବିଜୟୀ ପାଳି ଖେଳିବା ପରେ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଆଇସିସିର ଧଳାବଲ୍ ଇଭେଣ୍ଟ୍ରେ ସଂଗ୍ରହ କରିଥିବା ରନ୍ ଭିତ୍ତିରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କୁ ଟପି ଯାଇଛନ୍ତି। ଦିନିକିଆ ବିଶ୍ବକପ୍ର ୨୭ ମ୍ୟାଚ୍ରୁ କୋହଲି ୧,୧୧୫ ରନ୍ (୪୮.୪୭ ହାର ଓ ୮୫.୫୦ ଷ୍ଟ୍ରାଇକ୍ ରେଟ୍) ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨ ଶତକ ଓ ୭ ଅର୍ଦ୍ଧଶତକ ସାମିଲ ଅଛି। ବିଶ୍ବକପ୍ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ସେ ଦଶମ ସ୍ଥାନରେ ଅଛନ୍ତି। ଏହାବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ କୋହଲି ୧୩ ମ୍ୟାଚ୍ରୁ ୫ ଅର୍ଦ୍ଧଶତକ ସହ ୫୨୯ ରନ୍ (୮୮.୧୬ ହାର) କରିଛନ୍ତି। ଏଠାରେ ମଧ୍ୟ ସେ ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ଏକାଦଶ ସ୍ଥାନରେ ରହିଛନ୍ତି। ପୁଣି ୨୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ରୁ ୮୧.୫୦ ହାରରେ ୧,୧୪୧ ରନ୍ ସଂଗ୍ରହ କରିବା ସହ ୧୪ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ସେ କିନ୍ତୁ ସର୍ବାଧିକ ରନ୍ ସଂଗ୍ରହକାରୀ ଅଛନ୍ତି। ଏହି ତିନି ଆଇସିସି ଇଭେଣ୍ଟକୁ ମିଶାଇଲେ କୋହଲି ୬୭ ମ୍ୟାଚ୍ରୁ ୬୬.୩୦ ହାରରେ ୨୭୮୫ ରନ୍ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ଭାରତୀୟଙ୍କ ମଧ୍ୟରେ ଧଳାବଲ୍ରେ ସବୁଠୁ ଅଧିକ ରନ୍ କରିଥିଲେ। ସଚିନ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳି ନ ଥିଲା ବେଳେ ୪୫ ଦିନିକିଆ ବିଶ୍ବକପ୍ ଓ ୧୬ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଖେଳିଛନ୍ତି। ବିଶ୍ବକପ୍ରେ ସଚିନ ୨,୨୭୮ ରନ୍ ସହ ସର୍ବାଧିକ ରନ୍ ସଂଗ୍ରହକାରୀ ଥିଲା ବେଳେ ୬ ଶତକ ଓ ୧୫ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି। ସେହିପରି ଚାମ୍ପିଅନ୍ସ ଟ୍ରଫିରେ ସେ ୧୪ ପାଳିରୁ ୪୪୧ ରନ୍ ସଂଗ୍ରହ କରିଛନ୍ତି। ଏହି ଦୁଇଟି ଇଭେଣ୍ଟ୍ର ସ୍କୋରକୁ ମିଶାଇଲେ ସଚିନ ୫୨.୨୮ ହାରରେ ୨୭୧୯ ରନ୍ କରିଛନ୍ତି। ଏହି ତାଲିକାରେ ରୋହିତ ଶର୍ମା (୨୪୨୨ ରନ୍, ୬୪ ପାଳି), ଯୁବରାଜ ସିଂହ (୧୭୦୭ ରନ୍, ୬୨ ପାଳି) ଓ ସୌରଭ ଗାଙ୍ଗୁଲି (୧୬୭୧ ରନ୍, ୩୨ ପାଳି) ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଛନ୍ତି।
କୋହଲି-ରାହୁଲ ସଫଳ ଯୋଡ଼ି
ବିରାଟ କୋହଲି (୮୫) ଓ କେଏଲ୍ ରାହୁଲ (୯୭*) ଭାରତକୁ ଆହ୍ବନଭରା ୨୦୦ ରନ୍ ଲକ୍ଷ୍ୟକୁ ସହଜ କରିଦେଇଥିଲେ। କୋହଲିଙ୍କ ଉକ୍ତ ଚମତ୍କାର ପାଳି ଯୋଗୁଁ ସେ ବିଶ୍ବକପ୍ର ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ଶୀର୍ଷ ୧୦ ଜଣଙ୍କ ଭିତରେ ପ୍ରବେଶ କରିଛନ୍ତି। ତେବେ ଚଳିତ ସଂସ୍କରଣରେ କୋହଲି ଚତୁର୍ଥ ସ୍ଥାନକୁ ବଡ଼ ଲମ୍ପ ମାରିବା ପାଇଁ ଅପୂର୍ବ ସୁଯୋଗ ରହିଛି। ଚତୁର୍ଥ ସ୍ଥାନରେ ୱେଷ୍ଟଇଣ୍ଡିଜ୍ର ବ୍ରାଏନ୍ ଲାରା (୧,୨୨୫) ରହିଛନ୍ତି। ଏବେ କୋହଲି ତାଙ୍କଠୁ ୧୧୦ ରନ୍ ପଛରେ ଅଛନ୍ତି। ଯଦି ଏହି ବିଶ୍ବକପ୍ରେ ସେ ୧୧୧ ରନ୍ ସଂଗ୍ରହ କରନ୍ତି, ତାହେଲେ ଚତୁର୍ଥ ସ୍ଥାନ ସୁରକ୍ଷିତ କରିପାରିବେ। ଏହାବ୍ୟତୀତ ଦିନିକିଆ କ୍ରିକେଟ୍ରେ ପଶ୍ଚାତ୍ଧାବନ ସମୟରେ ସଂଗ୍ରହ ହେଉଥିବା ରନ୍ କ୍ଷେତ୍ରରେ ସଚିନ (୫,୪୯୦)ଙ୍କୁ ପଛରେ ପକାଇଛନ୍ତି କୋହଲି (୫,୫୧୭)। ଅପରପକ୍ଷେ ବିପର୍ଯ୍ୟୟଗ୍ରସ୍ତ ଭାରତୀୟ ପାଳିରେ କୋହଲି-ରାହୁଲ ଯୋଡ଼ି ୧୬୫ ରନ୍ ଯୋଡ଼ିବା ଦ୍ବାରା ଏହା ବିଶ୍ବକପ୍ରେ ଚତୁର୍ଥ କିମ୍ବା ଏହାଠୁ ନିମ୍ନ ୱିକେଟ ଭାଗୀଦାରିରେ ଦ୍ବିତୀୟ ସର୍ବାଧିକ ହୋଇପାରିଛି। ଏଥିସହିତ ଦିନିକିଆ କ୍ରିକେଟ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର ସର୍ବୋଚ୍ଚ ଭାଗୀଦାରି ସାବ୍ୟସ୍ତ ହୋଇାଛି।
କ୍ଷେତ୍ରରକ୍ଷଣ ପାଇଁ କୋହଲିଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ
ଅଷ୍ଟ୍ରେଲିଆ ବିପକ୍ଷରେ ୬ ୱିକେଟ୍ର ବିଜୟ ପରେ ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଷ୍ଟ୍ରେଲିଆ ପାଳିରେ ସ୍ଲିପ୍ ଅଞ୍ଚଳରେ ମିଚେଲ୍ ମାର୍ଶଙ୍କୁ ଆଉଟ କରିବାକୁ ଯାଇ ବାମ ପଟକୁ ଡାଇଭ୍ ମାରି ଶୂନ୍ୟରେ କ୍ୟାଚ୍ ଧରିଥିଲେ। ଏହି କ୍ୟାଚ୍ ପାଇଁ ତାଙ୍କୁ ଭାରତୀୟ ଦଳର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଟି ଦିଲୀପ ଏହି ପଦକ ପ୍ରଦାନ କରିଛନ୍ତି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରେ ଭାରତୀୟ ଡ୍ରେସିଂ ରୁମ୍ ଭିତରେ କୋହଲିଙ୍କୁ ଦିଲୀପ ଏହି ପଦକ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି। କୋହଲି ମଧ୍ୟ ପଦକ ପାଇବା ପରେ ତାହାକୁ ପାଟିରେ କାମୁଡି ଫଟୋ ପାଇଁ ପୋଜ୍ ଦେଇଥିଲେ। ଏହି ପଦକ ପ୍ରଦାନ ସମୟରେ ଦିଲୀପ ମଧ୍ୟ ଶ୍ରେୟସ ଆୟରଙ୍କୁ ଡାଇଭିଂ ଓ ବଲ୍କୁ ରୋକିବା କୌଶଳ ପାଇଁ ବଧେଇ ଜଣାଇଥିଲେ। କେବଳ ଏହି ଗୋଟିଏ କ୍ୟାଚ୍ ନୁହେଁ, ଅନ୍ୟ ସାଥୀ ଖେଳାଳିଙ୍କୁ ଉନ୍ନତ ଧରଣର ପ୍ରଦର୍ଶନ ପାଇଁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ କୋହଲିଙ୍କୁ ପ୍ରଶଂସା କରିଥିଲେ।