‘ଗୋଲାପି’ ଲଢ଼େଇକୁ ନେଇ ଅସୀମ ଉତ୍ସାହ, ମୋଟେରା ଏବେ କ୍ରିକେଟର୍‌ଙ୍କ ‘ସ୍ବପ୍ନର ରଙ୍ଗମଞ୍ଚ’

ମୋଟେରା: ଭାରତ-ଇଂଲଣ୍ଡ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଥିଲା ବେଳେ କ୍ରିକେଟ୍ ପ୍ରେମୀ ଓ ପଣ୍ଡିତଙ୍କ ସବୁ ନଜର ଏବେ ଶେଷ ଦୁଇ ଟେଷ୍ଟ୍ ଉପରେ ରହିଛି। ପ୍ରଥମ ଦୁଇ ଟେଷ୍ଟ୍ ଚେନ୍ନାଇର ଏମ୍‌ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଇଥିଲା। ବଳକା ଦୁଇ ଟେଷ୍ଟ୍ କିନ୍ତୁ ଅହମ୍ମଦାବାଦର ମୋଟେରାଠାରେ ନିର୍ମିତ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବାର ଅଛି। ଏଣୁ ଏହି ଷ୍ଟାଡିୟମ୍‌ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷ କରି ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଦିବା-ରାତ୍ର ବା ଗୋଲାପି ବଲ୍ ଟେଷ୍ଟ୍‌କୁ ନେଇ ଦେଶ ଓ ଦେଶ ବାହାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଦୁଇଟି ଯାକ ମ୍ୟାଚ୍ ଲାଗି ଗୁଜରାଟ କ୍ରିକେଟ୍ ସଂଘ ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିବା ମଧ୍ୟ କ୍ରିକେଟ୍ ଜଗତ ପାଇଁ ଆଉ ଏକ ବଡ଼ ଖୁସୀ ଖବର ହୋଇଛି।

ଲୌହମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ନାମିତ ମୋଟେରା ଷ୍ଟାଡିୟମ୍‌ରେ ୧୯୮୩ ମସିହାରେ ପ୍ରଥମ ଟେଷ୍ଟ୍ ଖେଳା ଯାଇଥିଲା। ଏଠାରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ରୂପେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ୨୦୧୫-୧୬ ମସିହାରୁ ଏହି ଷ୍ଟାଡିୟମ୍‌ର ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଗତବର୍ଷ ଶେଷ ହୋଇଛି। ୧,୧୦, ୦୦୦ ଦର୍ଶକ କ୍ଷମତା ଥିବାରୁ ସଂପ୍ରତି ଏହା ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ପାଲଟିଛି। ନବନିର୍ମିତ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ଗୋଲାପି ବଲ୍ ଟେଷ୍ଟ୍ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଏହା ପରେ ଏହି ଷ୍ଟାଡିୟମ୍ ଚତୁର୍ଥ ତଥା ଶେଷ ଟେଷ୍ଟ୍ ସହ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଆୟୋଜକ ମଧ୍ୟ ସାଜିବ। ଏଣୁ ଚଳିତ ମାସ ୨୪ ତାରିଖରୁ ଏହି ଷ୍ଟାଡିୟମ୍‌ରେ ଲଗାତାର ସାତଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ।

ଭାରତୀୟ ଖେଳାଳିମାନେ ଗୋଲାପି ବଲ୍ ଟେଷ୍ଟ୍ ଲାଗି ଏଠାରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନେ ମଧ୍ୟ ଷ୍ଟାଡିୟମ୍‌ର ସୁବିଧା‌ ସୁଯୋଗ ତଥା ସୁନ୍ଦରତା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। କେବଳ ଭାରତ ନୁହେଁ ବହୁ ବିଦେଶୀ ଖେଳାଳି ବି ଏହି ଷ୍ଟାଡିୟମ୍‌ର ଫଟୋ ପ୍ରକାଶ କରି ପ୍ରଶଂସା କରିଛନ୍ତି। ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଋଷବ ପନ୍ତ, ଷ୍ଟୁଆର୍ଟ ବ୍ରଡ୍, ‌ବେନ୍ ଷ୍ଟୋକ୍ସ ପ୍ରମୁଖ ନିଜ ନିଜ ଟ୍ବିଟର ପୃଷ୍ଠାରେ ମୋଟେରା ଷ୍ଟାଡିୟମ୍‌ର ଫଟୋ ଛାଡ଼ି ପ୍ରଶଂସକଙ୍କୁ ଏହାର ଝଲକ ଦେଖାଇଛନ୍ତି। ଏପରିକି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ୍ ମଧ୍ୟ ମୋଟେରାର ଫଟୋ ପ୍ରକାଶ କରି ଏହି ବିଶାଳ ଷ୍ଟାଡିୟମ୍‌କୁ କ୍ରିକେଟରଙ୍କ ‘ସ୍ବପ୍ନର ରଙ୍ଗମଞ୍ଚ’ ଭାବେ ବର୍ଣ୍ଣନା କରିଛନ୍ତି।

ସ୍ଥିରତା‌ ଉପରେ କୋହଲିଙ୍କ ଗୁରୁତ୍ବାରୋପ
ମୋଟେରାରେ ଉଭୟ ଇଂଲଣ୍ଡ ଓ ଭାରତୀୟ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି। ତେବେ ସ୍ଥିର ପ୍ରଦର୍ଶନ ହିଁ ସଫଳତାର ଅସଲ ଚାବିକାଠି ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ସେ ମଧ୍ୟ ଭାରତୀୟ ଦଳ ଅଭ୍ୟାସ କରୁଥିବାର କିଛି ଭିଡିଓ ପ୍ରକାଶ କରିଛନ୍ତି। ଅନ୍ୟମାନେ ମୋ‌ଟେରା ଷ୍ଟାଡିୟମର ବ୍ୟାୟାମଶାଳା ତଥା ଅନନ୍ୟ ସୁବିଧା‌ ସୁଯୋଗର ମଜା ନେଉଥିଲା ବେଳେ ଏହାର ଫଟୋ ନିଜ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଛନ୍ତି।

ଦୁଇ ଦିନ ଭିତରେ ଉମେଶଙ୍କ ଫିଟ୍‌ନେସ୍ ପରୀକ୍ଷା
ବଳକା ଦୁଇ ଟେଷ୍ଟ୍ ଲାଗି ସ୍ବତନ୍ତ୍ର ଡାକରା ପାଇଥିବା ଦ୍ରୁତ ବୋଲର ଉମେଶ ଯାଦବ ଆସନ୍ତା ଦିନେ ଦୁଇ ଦିନ ଭିତରେ ନିଜ ଫିଟ‌୍‌ନେସର ପ୍ରମାଣ ଦେବେ। ଏଥିରେ ଉତ୍ତୀର୍ଣ୍ଣ ହେ‌ଲେ ଦ୍ବିତୀୟ ଟେଷ୍ଟ୍‌ରୁ ବିଶ୍ରାମ ନେଇଥିବା ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମାଙ୍କ ସହ ସେ ଯୋଗଦେବେ। ଅନ୍ୟପକ୍ଷରେ ସାର୍ଦୁଲ ଠାକୁର ବିଜୟ ହଜାରେ ଟ୍ରଫି ଖେଳିବାକୁ ଚାଲିଯିବେ। ଅବଶ୍ୟ ଏଥିଲାଗି ତାଙ୍କୁ ମହମ୍ମଦ ସିରାଜଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ଆହତ ଜନିତ ସମସ୍ୟା ପାଇଁ ଗତ ଡିସେମ୍ବରରେ ଖେଳା ଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ନ ଟେଷ୍ଟ୍‌ଠାରୁ ଦଳରୁ ଦୂରେଇ ରହିବାକୁ ସେ ବାଧ୍ୟ ହୋଇଥିଲେ। ସେପଟେ ମୋଟେରା ଷ୍ଟାଡିୟମ୍‌ରେ ଖେଳିବା ନେଇ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ବେଶ୍ ଉଲ୍ଲସିତ ଥିବା ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର