ଖେଳ ପଡ଼ିଆରେ ମା-ପୁଅ : ପାର୍ବତୀ ସେଠୀ ସମ୍ବଲପୁରରେ, ଆଦିତ୍ୟ କଟକରେ ପଦକ ଜିତିଲେ

ଭୁବନେଶ୍ବର : ଗୋଟିଏ ଦିନରେ ମା-ପୁଅଙ୍କ ଧମାଲ। ମା’ ସମ୍ବଲପୁରରେ ପଦକ ଜିତିଥିଲା ବେଳେ ପୁଅ କଟକରେ କମାଲ କରିଛି। ରବିବାର ରାଜ୍ୟର ପୁରୁଖା କ୍ରୀଡ଼ା ତାରକା ପାର୍ବତୀ ସେଠୀ ସମ୍ବଲପୁରରେ ଆୟୋଜିତ ଚତୁର୍ଥ ରାଜ୍ୟ ମାଷ୍ଟର୍ସ କ୍ରୀଡ଼ାର ଡିସ୍‌କସ୍‌ ଥ୍ରୋ ଏବଂ ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେପଟେ କଟକର ସେଣ୍ଟ୍‌ଜାଭିୟର୍ସ ହାଇସ୍କୁଲରେ ଅନୁଷ୍ଠିତ ଦୌଡ଼କୁଦ ପ୍ରତିଯୋଗିତା‌ରେ ତାଙ୍କ ପୁଅ ଆଦିତ୍ୟ କୁମାର ବେହେରା ୫୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପାର୍ବତୀଙ୍କ ସ୍ବପ୍ନ ଥିଲା ତାଙ୍କ ଭଳି ପୁଅ ମଧ୍ୟ ଖେଳ ଦୁନିଆରେ ପାଦ ରଖୁ। ଏବେ ଏହାର ମୂଳଦୁଆ ପଡ଼ିଛି। ପୁଅ ମଧ୍ୟ ମା’ଙ୍କ ପଦାଙ୍କ ଅନୁସରଣ କରି ନିଜ ପ୍ରଥମ ପ୍ରତିଯୋଗିତାରେ ସ୍ବର୍ଣ୍ଣିମ ସଫଳତା ହାସଲ କରିବାର ଅନନ୍ୟ ସଫଳତା ଲାଭ କରିଛି।

ସୂଚନାଯୋଗ୍ୟ ଯେ ପାର୍ବତୀ ଗତ ୨୭ ବର୍ଷ ହେବ ଡିସ୍‌କସ୍‌ରେ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ପୁଅ ମଧ୍ୟ ତାଙ୍କ ପରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣୁ ବୋଲି ପାର୍ବତୀ ଚାହାନ୍ତି। ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଆଦିତ୍ୟ ଦିନେ ତାଙ୍କୁ ବଳିଯିବ ବୋଲି‌ ସେ ଆଶା ରଖିଛନ୍ତି। ପାର୍ବତୀଙ୍କ ପତି କୁବେର ବେହେରା ମଧ୍ୟ ଜଣେ ଜାତୀୟସ୍ତରୀୟ ଫୁଟ୍‌ବଲ୍ ଖେଳାଳି। ପାର୍ବତୀ ରେଳବାଇରେ ଚାକିରି କରୁଥିଲା ବେଳେ କୁବେର ଓଡ଼ିଶା ପୁଲିସର କର୍ମଚାରୀ।

ସମ୍ବନ୍ଧିତ ଖବର