ସୁନ୍ଦରଗଡ଼/ବାଲିଶଙ୍କରା: ହାତରେ ପଦକ, ମୁହଁରେ ଗଡ଼ ଜିଣା ହସ। ପ୍ୟାରିସ୍‌ରୁ ଜନ୍ମମାଟିକୁ ଫେରିଲେ ସଉନାମୁରାର ସୁନାପୁଅ ଅମିତ ରୋହିଦାସ। ଦ୍ବାର ମୁହଁରେ ଫୁଲ, ଚାଉଳ ମିଶା ହଳଦୀ ପାଣିରେ ପୁଅର ପାଦ ଧୋଇ ପାଛୋଟି ନେଲେ ମା’ ଗୋଲାପି। ଘର ପର୍ଯ୍ୟନ୍ତ ପାଦେ ପାଦେ ବିଛା ଯାଇଥିବା ଫୁଲ ଚାଙ୍ଗୁଡ଼ିରେ ପାଦ ପକାଇ ପକାଇ ଘରକୁ ପଶିଲେ ଅମିତ। ମା’ଙ୍କୁ ପିନ୍ଧାଇ ଦେଇଥିଲେ ପ୍ୟାରିସ୍‌ରୁ ଜିତି ଆଣିଥିବା ଚକ୍‌ଚକିଆ ପଦକ। ପୁଅ ଓ ପଦକକୁ ଛାତିରେ ଲଗାଇ ଖୁସିରେ କାନ୍ଦି ପକାଇଥିଲେ ଗୋଲାପି। ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତୀ ଏବଂ ତିନି ଭଉଣୀ ସବିତା, ଲକ୍ଷ୍ମୀ ଓ ସସ୍ମିତାଙ୍କ ପାଦ ଖୁସିରେ ତଳେ ଲାଗୁ ନଥିଲା। ପ୍ୟାରିସ ଅଲିମ୍ପିକ୍‌ରୁ ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ନେଇ ଭାରତୀୟ ହକି ଦଳର ସୁରକ୍ଷା ପ୍ରାଚୀର ଅମିତ ଭୁବନେଶ୍ବରରୁ ଆସି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ସ୍ଥ ନିଜ ଗାଁ ସଉନାମୁରାରେ ପହଞ୍ଚିବା ପରେ ଘରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ଅମିତଙ୍କୁ ପାଇ ପୂରା ଘର ପରିବାର ଓ ଗାଁ ଭାବବିହ୍ବଳ ହୋଇପଡ଼ିଥିଲା। ମଧ୍ୟାହ୍ନରେ ଗାଁ’ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆ, ଯେଉଁଠି ଅମିତ ପିଲାଦିନେ କାଠଫାଳିଆକୁ ହକି ବାଡ଼ି ଓ ଅଣ୍ଡା କାର୍ଟୁନକୁ ପ୍ୟାଡ୍ କରି ଆରମ୍ଭ କରିଥିଲେ ହକି ଯାତ୍ରା, ସେଇଠି ଗାଁ ଲୋକେ ଓ ସ୍ଥାନୀୟ ପ୍ରଶାସନ ଦେଇଥିଲା ଭବ୍ୟ ସମ୍ବର୍ଦ୍ଧନା। ଘରୁ ଛାତ୍ରଛାତ୍ରୀ, ଗ୍ରାମବାସୀ, ଆଦିବାସୀ ନୃତ୍ୟଗୀତ ଓ ମାଦଳର ତାଳେତାଳେ ଗାଁ ମଧ୍ୟ ଦେଇ ଶୋଭାଯାତ୍ରାରେ ମଞ୍ଚଯାଏ ପାଛୋଟି ନେଇଥିଲେ। ସେଠାରେ ସୁନାପୁଅକୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲା ଗାଁ। ଅମିତଙ୍କ ପିଲାଦିନର ସାଙ୍ଗ ଜର୍ଜ କେର୍କେଟାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ। ଅମିତଙ୍କ ସହ ତାଙ୍କ ମା’ ଗୋଲାପି ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ, ଫାଦର ଆନ୍ଧ୍ରେସ କେର୍କେଟା, ବାଲିଶଙ୍କରା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ କୁଳମଣି ସାହୁ, ୟୁଜି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ବୀରେନ୍ଦ୍ର ବେହେରା, ମିସନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୁମତି କୁଜୁର, ହକି ପ୍ରଶିକ୍ଷକ ବିଜୟ ଲାକ୍ରା, ହକି ତାରକା ଦୀପସାନ ତିର୍କି, ଦୀପସାନଙ୍କ ବାପା ପଂଖ୍ରାସିସ୍‌ ତିର୍କି, ବାଲିଶଙ୍କରା ତହସିଲଦାର ଗୌରହରି ମହନ୍ତ, ସରପଞ୍ଚ ଚୁଲୁ ବାର୍ଲା, ସମିତିସଭ୍ୟା ବେଲମତି ଧ୍ରୁଆ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କିଙ୍କ ପତ୍ନୀ ମୀରା ତିର୍କି, ତଳସରା ବିଧାୟକଙ୍କ ପ୍ରତିନିଧି ରବିରତ୍ନ ପଟେଲ ପ୍ରମୁଖ ଯୋଗଦେଇ ପାଖରୁ ଦେଖିଥିବା ଅମିତଙ୍କ ସଂଘର୍ଷ ଓ ଗୌରବମୟ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ ଅମିତ ଓ ତାଙ୍କ ମା’ଙ୍କ ସମେତ ସମସ୍ତ ଅତିଥିଙ୍କୁ ଆଦିବାସୀ ଆତିଥ୍ୟ ପରମ୍ପରା ଅନୁସାରେ ମହିଳାମାନେ ଥାଳିପାଣିରେ ହାତଧୋଇ ସ୍ବାଗତ କରିଥିଲେ। ପରେପରେ ମହିଳାମାନେ ଆଦିବାସୀ ଗୀତ, ନୃତ୍ୟ ମାଧ୍ୟମରେ ଅମିତଙ୍କୁ ସଉନାମୁରାର ଗର୍ବ ଓ ଗୌରବ ବୋଲି କହିଥିଲେ। ସମ୍ବର୍ଦ୍ଧନାର ଉତ୍ତର ଦେଲାବେଳେ ଭାବବିହ୍ବଳ ହୋଇ ପଡ଼ିଥିଲେ ଅମିତ। ମା’ ଓ ଗାଁ ମାଟିର ସମ୍ବର୍ଦ୍ଧନା ସବୁଠୁ ଅନନ୍ୟ ବୋଲି କହିଥିଲେ। ଶୁକ୍ରବାର ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅମିତଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡ଼ିଛି।