ମାଉଣ୍ଟ ୟୁନମ ଚଢ଼ିଲା ‘ଗୋ ଇଣ୍ଡିଆ ଆଡ‌ଭେଞ୍ଚର’ ଦଳ

ଭୁବନେଶ୍ବର: ଓଡ଼ିଶାର ସଫଳ ପର୍ବତାରୋହୀ ଓ ସମାଜସେବୀ ନୀଳାଚଳ ପରିଡ଼ାଙ୍କ ନେତୃତ୍ବରେ ଓଡ଼ିଶା, କର୍ଣ୍ଣାଟକ, ହରିୟାଣା ଓ ତେଲେଙ୍ଗାନାର ୧୮ ଜଣିଆ ‘ଗୋ ଇଣ୍ଡିଆ ଆଡଭେଞ୍ଚର’ ଦଳ ରବିବାର ୭୫ତମ ସ୍ବାଧୀନତା ଦିବସ ଅବସରରେ ୬,୧୧୧ ଉଚ୍ଚତା ବିଶିଷ୍ଟ ମାଉଣ୍ଟ ୟୁନମ ଆରୋହଣ କରିଛନ୍ତି। ହିମାଚଳପ୍ରଦେଶରେ ଥିବା ମାଉଣ୍ଟ ୟୁନମ ଚଢ଼ିବା ଲାଗି ସମଗ୍ର ଦଳ କଠିନ ଅଭ୍ୟାସ କରିଥିଲା। ଶେଷରେ ସ୍ବାଧୀନତା ଦିବସ ଅବସରରେ ଶିଖର ଛୁଇଁଥିଲା। ମାଉଣ୍ଟ ୟୁନମ ଶିଖରରେ ଏହି ଦଳ ୨୪ ଘଣ୍ଟା କଟାଇବା ସହ ସେଠାରେ ୧୫୧ ଫୁଟ ଲମ୍ବ ଜାତୀୟ ପତାକା ଉଡ଼ାଇଥିଲା। ଏହି ଅଭିଯାନ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇ ୧୫ରେ ଶେଷ ହୋଇଥିଲା। ଏହାକୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ହଲାଇ ଶୁଭାରମ୍ଭ କରିଥିଲେ। ପୂର୍ବରୁ ଓଡ଼ିଶାର କୌଣସି ପର୍ବତାରୋହୀ ଦଳ ଏଭଳି ଅଭିଯାନ କରି ନଥିଲା।

ଏହି ଅଭିଯାନକୁ କୋଭିଡ୍ ଯୋଦ୍ଧା, ସେନା ବାହିନୀ, କାରଗିଲ୍ ହିରୋ, ଓଡ଼ିଆ ପାଇକ, ସ୍ବାଧୀନତା ସଂଗ୍ରାମୀ ଏବଂ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛି ଗୋ ଇଣ୍ଡିଆ ଆଡଭେଞ୍ଚର ଦଳ। ଅଭିଯାନ ବେଳେ ଏହି ଦୁଃସାହସୀ ଦଳରେ ୨୨ ଜଣ ପର୍ବତାରୋହୀ ଥିଲେ। ହେଲେ ଖରାପ ପାଗ ପାଇଁ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେଥିରୁ ୪ ଜଣ ଓହରି ଯାଇଥିଲେ। ସଫଳତାର ସହ ୟୁନମ ଶିଖର ଛୁଇଁଥିବା ଦଳରେ ଓଡ଼ିଶା ଓ ଉତ୍ତର ପ୍ରଦେଶର ଜଣେ ଲେଖାଏଁ ମହିଳା ଥିଲା ବେଳେ ଅନ୍ୟ ୧୬ ଜଣ ହେଉଛନ୍ତି ପୁରୁଷ। ଏହି ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ନୀଳାଚଳ ପରିଡ଼ା (ଟିମ୍ ଲିଡର), ଜିରେନ୍ ଶତପଥୀ, ବବୁଲ ଦାସ, ମୃତ୍ୟୁଞ୍ଜୟ ବେହେରା, ବିଶ୍ବ ପ୍ରକାଶ ସାହୁ, ବିଶ୍ବଜିତ ବାରିକ, ଦେବୀତୋଷ ପାତ୍ର, ମୀନତି ପୁର୍ତି, ଚିତ୍ତ ନାୟକ, ରଞ୍ଜିତ ବାରା, ଚିନ୍ମୟ ସିଂହ, ବରୁଣ ବେହେରା, ମିଥୁନ ସ୍ବାଇଁ, ନାରାୟଣ ବେହେରା, ଚାରୁ ଗୁପ୍ତା, ଲେଙ୍କଳା ମହିପାଲ ରେଡ୍ଡୀ, ରିତେଶ ଭରଦ୍ବାଜ, ନରେନ୍ଦ୍ର କୁମାର।

ସମ୍ବନ୍ଧିତ ଖବର