ଆଜି ମୁକ୍ତିଲାଭ କରିବ ‘ମାଉଣ୍ଟେନ୍‌ ହକି’

ଜଣେ ଉତ୍ସର୍ଗୀକୃତ ପ୍ରଶିକ୍ଷକ ଓ ଆଦିବାସୀ ବାଳିକାଙ୍କ ପ୍ରେରଣାଦାୟୀ କାହାଣୀ

ଡିଜ୍‌ନି ହଟ୍‌ଷ୍ଟାର୍‌ରେ ପ୍ରଦର୍ଶିତ ହେବ

ସମ୍ବଲପୁର/ ଭୁବନେଶ୍ବର : ଏହା ଜାତୀୟ ମହିଳା ହକି ଦଳର କାହାଣୀ ନୁହେଁ। ଏଥିରେ ଶାହାରୁଖ୍ ଖାନ୍‌ଙ୍କ ଭଳି ବିଶିଷ୍ଟ ନାୟକ ଅଭିନୟ କରି ନାହାନ୍ତି। କିନ୍ତୁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ୍‌ର ପାହାଡ଼ ଜଙ୍ଗଲ ଘେରା ଏକ ଗାଁ ଅମଲିଖମନ୍‌ରେ ସୁଟିଂ କରା ଯାଇଥିବା ଏହି ପ୍ରାମଣିକ ଚଳଚ୍ଚିତ୍ରଟି ଚର୍ଚ୍ଚିତ ବଲିଉଡ୍‌ ସିନେମା ‘ଚକ୍‌ଦେ ଇଣ୍ଡିଆ’ଠାରୁ କିଛି କମ୍ ପ୍ରେରଣାଦାୟୀ ନୁହେଁ। ଏହା ବି ଜଣେ ପ୍ରଶିକ୍ଷକର କାହାଣୀ। ଯିଏ ଆଦିବାସୀ ବାଳିକା ମାନଙ୍କୁ ହକି ଶିଖାଇବା ପାଇଁ ନିଜର ସବୁ କିଛି ତ୍ୟାଗ କରି ଦେଇଛନ୍ତି। କିନ୍ତୁ ଏହି ଆଦିବାସୀ ବାଳିକା ହକି ଖେଳାଳି ମାନଙ୍କୁ ‌କେବଳ ବିପକ୍ଷ ଖେଳାଳିଙ୍କ ସହ ଯୁଝିବାକୁ ପଡ଼ୁ ନାହିଁ। ସେମାନଙ୍କୁ ନିଜର ଦାରିଦ୍ର୍ୟ, ଖେଳ ସାମଗ୍ରୀ ଓ ସୁବିଧାସୁଯୋଗର ଅଭାବ ସହ ବି ଲଢ଼ିବାକୁ ପଡ଼ୁଛି। ଏପରିକି ସେମାନଙ୍କୁ ଖେଳିବା ପାଇଁ ସମତଳ ଜମି ବି ମିଳୁ ନାହିଁ। କିନ୍ତୁ ହକି ଖେଳିବାର ଅହେତୁକ ଆଗ୍ରହ ସେମାନଙ୍କୁ ପାହାଡ଼ି ହକି ଖେଳାଳିରେ ପରିଣତ କରିଛି। ବାହାର ରାଜ୍ୟରୁ ଆସି ସମ୍ବଲପୁରରେ ରହୁଥିବା ଜଣେ ପୂର୍ବତନ ଜାତୀୟ ହକି ଖେଳାଳି ତଥା ବ୍ୟବସାୟୀ ଏହି ଆଦିବାସୀ ଖେଳାଳିଙ୍କୁ ନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରୁଛନ୍ତି। ଏଭଳି ଏକ ପ୍ରେରଣାଦାୟୀ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ମାଉଣ୍ଟେନ୍‌ ହକି’। ରାଜକିଶୋର ହୋତା, ମନୀଷ ଭୂଷଣ ମିଶ୍ର, ସୁଭ୍ରଜିତ ପ୍ରଧାନ ଏହି ଫିଲ୍ମର ନିର୍ମାତା ହୋଇଥିଲାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ପ୍ରଧାନ ଏବଂ ଦେବାଶିଷ ମହାପାତ୍ର। କହାଣୀ ଲେଖିଛନ୍ତି ଅବିନାଶ ପ୍ରଧାନ। ବ୍ରଜରାଜ ବେହେରା ଏହାର ସିନେମାଟୋଗ୍ରାଫି କରିଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଓଟିଟି ପ୍ଲାଟ୍‌ଫର୍ମରେ ‘ଡିଜ୍‌ନି ହଟ୍‌ଷ୍ଟାର୍‌’ରେ ଶୁଭମୁକ୍ତି ଲାଭ କରିବାକୁ ଯାଉଛି।

୨୦୧୮ ଓଡ଼ିଶା ହକି ବିଶ୍ବକପ୍‌ର ଅଭୂତପୂର୍ବ ସଫଳତା ପରେ ଏଭଳି ଏକ ପ୍ରାମାଣିକର ପରିକଳ୍ପନା କରାଯାଇଥିଲା। ସେତେବେଳେ ଭୁବନେଶ୍ବରରେ ସାହାରୁଖ୍‌ ଖାନ୍‌, ଏ ଆର୍‌ ରେହମାନଙ୍କ ସହ ଅନେକ ସେଲିବ୍ରିଟିଙ୍କ ଉପସ୍ଥିତି ଏହାକୁ ଉତ୍ସାହିତ କରିଥିଲା। ରାଜେନ୍ଦ୍ର କୁଜୁର ନାମକ ଜଣେ ବ୍ୟକ୍ତି ଉଚ୍ଚ ସ୍ତରରେ ହକି ଖେଳି ପାରିନଥିଲେ। କିନ୍ତୁ ନିଜ ଅବସୋସ ଓ ଅଭିଳାଷକୁ ସାକାର କରିବାକୁ ଯାଇ ସେ କିଭଳି ୪୦୦ ଆଦିବାସୀ ପିଲାଙ୍କୁ ପାହାଡ଼ ଉପରେ ହକି ଶିଖାଉଛନ୍ତି ତାହାର ନିଛକ କାହାଣୀ ଏହି ପ୍ରାମାଣିକରେ ରହିଛି। ସେମାନଙ୍କୁ ଜାତୀୟସ୍ତରରେ ପହଞ୍ଚାଇବାର କାମ କିଭଳି କରାଯାଉଛି ତାହା ଏଥିରେ ସ୍ଥାନ ପାଇଛି। ଜାତୀୟସ୍ତରର ହକି ଖେଳାଳି ତଥା ବ୍ୟବସାୟୀ ଜତିନ୍ଦର ଶର୍ମା ମଧ୍ୟ ସହାୟତାର ହାତ ବଢ଼ାଇ ଏହାକୁ ପ୍ରୋତ୍ସାହିତ କରିଛନ୍ତି। ଜରାବଗା ପଞ୍ଚାୟତ ଅନ୍ତର୍ଗତ ଅମଲିଖମନର ପାହାଡ଼ ପର୍ବତ ଘେରା ପରିବେଶରେ ଏହାର ସୁଟିଂ କରାଯାଇଛି। ହକି ଖେଳାଳିଙ୍କ ଜୀବନ ଭଳି ଏହି ପ୍ରାମାଣିକର ନିର୍ମାଣ ମଧ୍ୟ ସଂଘର୍ଷମୟ ଥିଲା। ଦର୍ଶକଙ୍କଠାରୁ ପାଣ୍ଠି ସଂଗ୍ରହ ସହିତ ପରିବାର ଓ ବଂଧୁଙ୍କଠାରୁ ବି ଆର୍ଥିକ ସହାୟତା ନେଇ ଏହା କରାଯାଇଛି। ଆର୍ଥିକ ସଙ୍କଟ ଓ କରୋନା ପ୍ରଭାବରୁ ଏହାର ନିର୍ମାଣ କାମ ପ୍ରଭାବିତ ହୋଇଥିଲେ ମଧ୍ୟ ଅନେକ ବ୍ୟକ୍ତିଙ୍କ ସହାୟତାରୁ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ‘‘ଏହା ନିଶ୍ଚିତ ଭାବେ ଭିନ୍ନ ଅଭିଜ୍ଞତା ଦେବ। ଏହାର ନିର୍ମାଣ ବି ଏଭଳି ଯାତ୍ରା ଥିଲା ଯାହା ସବୁଦିନ ମିଳିବ ନାହିଁ’’ ବୋଲି କହିଛନ୍ତି ପ୍ରଯୋଜକ ରାଜ କୁମାର ହୋତା।

ସମ୍ବନ୍ଧିତ ଖବର