ଟଫେଲଙ୍କୁ ଚକିତ କରିଥିଲା ଧୋନିଙ୍କ ପରିହାସ ‘ଭୁଲ୍‌ ହେଉ, ଚିନ୍ତାନାହିଁ; ମୁଁ ଗୋଟିଏ ମ୍ୟାଚ୍‌ରୁ ଛୁଟି ଚାହେଁ’

ନୂଆଦିଲ୍ଲୀ: କେପ୍‌ଟାଉନ୍‌ରେ ଅତୀତରେ ଏକ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ମନ୍ଥର ବୋଲିଂ ଅଭିଯୋଗକୁ ନେଇ ମହେନ୍ଦ୍ର ସିଂହ ଧୋନି କିପରି ମଜାଦାର ତଥା ଚକିତ କରିଦେଲା ଭଳି ମନ୍ତବ୍ୟ ରଖିଥିଲେ ସେ ସଂପର୍କରେ ନିକଟରେ ଏକ ବାର୍ତାଳାପ ଅବସରରେ ସ୍ମୃତିଚାରଣ କରିଛନ୍ତି ପୂର୍ବତନ ଆଇସିସି ଏଲିଟ୍‌ ପ୍ୟାନେଲ ଅମ୍ପାୟାର ସାଇମନ୍‌ ଟଫେଲ। ଧୋନି ଯେ କାହିଁକି ”କ୍ୟାପ୍‌ଟେନ୍‌ କୁଲ୍” ଭାବେ ଖ୍ୟାତ ସେହି ଘଟଣା ମଧ୍ୟ ତା’ର ଏକ କାରଣ ବୋଲି କହିଛନ୍ତି ଟଫେଲ। କ୍ରିକେଟ ପଡ଼ିଆରେ କୌଣସି ନିଷ୍ପତ୍ତି ଯଦି ବି ତାଙ୍କ ସପକ୍ଷରେ ନଯାଏ ତାହାଲେ ଧୋନି କ୍ଷୁବ୍ଧ ହେବା, ଦୁଃଖ କରିବା କିମ୍ବା ସନ୍ଦେହ କରିବା କ୍ବଚିତ ଦେଖାଯାଏ। ଏକରିକି ଦଳର ତ୍ରୁଟି ପାଇଁ ଜରିମାନା କିମ୍ବା ଦଣ୍ଡିତ ହେଲେ ମଧ୍ୟ ସେ ବିଚଳିତ ହୁଅନ୍ତିନି। ବିଶେଷକରି ପଡ଼ିଆ ଭିତରେ ତାଙ୍କ ଶାନ୍ତ ସ୍ବଭାବ ପ୍ରମାଣ ଦିଏ ଯେ ଧୋନି କଷ୍ଟକର ପରିସ୍ଥିତିରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ଯାହାକି ମ୍ୟାଚ୍‌ ଜିତିବାରେ ଦଳକୁ ସହାୟକ ହୋଇଥାଏ। ଆଉ ଧୋନିଙ୍କ ଏଭଳି ସ୍ବଭାବର ଫଳ ମଧ୍ୟ ସମସ୍ତଙ୍କୁ ‌ଗୋଚରରେ ରହିଛି।

କେବଳ ସେଇଥିପାଇଁ ଧୋନି ଏକମାତ୍ର ଅଧିନାୟକ ଯିଏକି ଆଇସିସିର ସମସ୍ତ ତିନିଟି ପ୍ରତିଯୋଗିତା ଜିତିବାର ବିରଳ କୀର୍ତ୍ତିମାନ ରଚିଛନ୍ତି। ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌, ୨୦୧୧ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ ଚାମ୍ପିଅନ୍‌ସ ଟ୍ରଫି ଜିତିଥିଲା। ପୁଣି ଧୋନି ମଧ୍ୟ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ବ ନେଇ ଦଳକୁ ୩ ଥର ବିଜେତା କରାଇଛନ୍ତି। ଏଭଳି ଜଣେ ସଫଳତମ ଅଧିନାୟକ ତଥା ଶାନ୍ତ ସ୍ବଭାବର କ୍ରିକେଟର୍‌ଙ୍କୁ ”କ୍ରିକେଟ୍‌ଏଜ୍” ସହ ଏକ ବାର୍ତାଳାପ ବେଳେ ପ୍ରଶଂସାରେ ପୋତି ପକାଇଛନ୍ତି ଟଫେଲ। କ୍ରିକେଟ୍‌ ପାଇଁ ମୁଁ ସାରା ବିଶ୍ବ ବୁଲିଥିଲେ ମଧ୍ୟ ଧୋନିଙ୍କ ଭଳି ଜଣେ ଉନ୍ନତ କ୍ରିକେଟ୍‌ ମସ୍ତିସ୍କ ବ୍ୟକ୍ତିଙ୍କୁ ଦେଖିନାହିଁ ବୋଲି କହିଛନ୍ତି ଟଫେଲ। ଅବଶ୍ୟ ସେ ଜଣେ ଭାରତୀୟ ବୋଲି ମୁଁ କହୁନାହିଁ; ବରଂ ତାଙ୍କୁ ଯେଭଳି ଭାବେ ଦେଖିଛି ସେହିଦୃଷ୍ଟିରୁ କହୁଛି ବୋଲି ଟଫେଲ କହିଛନ୍ତି। ଧୋନି ଜଣେ ଅବିଶ୍ବସନୀୟ ରଣକୌଶଳ ଭାବୁକ ଏବଂ ତାଙ୍କର ଖୁବ୍‌ ଉନ୍ନତ କ୍ରିକେଟ ମସ୍ତିସ୍କ। କିନ୍ତୁ ତାଙ୍କ ନିକଟରେ ମହାନ୍‌ ସ୍ବଭାବ ଏବଂ ପ୍ରଚୁର ମାନସିକ ସନ୍ତୁଳନ ଭରି ରହି ରହିଛି ବୋଲି ଟଫେଲ ଅନୁଭବ କରିଛନ୍ତି।

ଏହି ବାର୍ତାଳାପ ବେଳେ ଟଫେଲ କେପ୍‌ଟାଉନ୍‌ର ସେହି ଟେଷ୍ଟ୍‌ ମ୍ୟାଚ୍‌ ବେଳେ ଘଟିଥିବା ଘଟଣାକୁ ମନେ ପକାଇଥିଲେ। ସେହି ଟେଷ୍ଟ‌ରେ ଏସ୍‌ ଶ୍ରୀଶାନ୍ତଙ୍କ ପାଇଁ ଭାରତ ତଥା ଧୋନିଙ୍କ ବିରୋଧରେ ମନ୍ଥର ବୋଲିଂ ଅଭିଯୋଗ ହୋଇଥିଲା। ଶ୍ରୀଶାନ୍ତଙ୍କ ସହ ମୋର ଭଲ ବନ୍ଧୁତା ଥିଲା। ହେଲେ ସେହି ମ୍ୟାଚ୍‌ରେ ଶ୍ରୀଶାନ୍ତ ଗୋଟିଏ ଲେଖାଏଁ ଓଭର ବୋଲିଂ କରିବାକୁ ପ୍ରାୟତଃ ୭ରୁ ୮ ମିନିଟ୍‌ ସମୟ ନେଉଥିଲେ। ଯାହାର ପରିଣାମ ସ୍ବରୂପ ଧୋନିଙ୍କୁ ମନ୍ଥର ବୋଲିଂ ପାଇଁ ଜରିମାନା ଦଣ୍ଡ ମିଳିଥିଲା। ଅମ୍ପାୟାର ଏବଂ ଧୋନି ଡ୍ରେସିଂ ରୁମ୍‌ରେ ବସିଥାଆନ୍ତି। ଆମେ ମନ୍ଥର‌ ବୋଲିଂ ନେଇ ଧୋନିଙ୍କ ସହ କଥାବାର୍ତା ହେଉଥିଲୁ ବୋଲି ୪୯ ବର୍ଷ ବୟସ୍କ ଟଫେଲ ମନେ ପକାଇଥିଲେ। ଆମେ ତାଙ୍କୁ କହିଥିଲୁ, ଯଦି ପୁନର୍ବାର ଗୋଟିଏ ଟେଷ୍ଟ (ପରବର୍ତୀ ଟେଷ୍ଟ୍‌ ଡର୍ବାନ୍‌ରେ ହେବାର ଥାଏ)ରେ ସମାନ ଭୁଲ୍‌ ହୁଏ ତାହାଲେ ଦଣ୍ଡସ୍ବରୂପ ତୁମକୁ ପରବର୍ତୀ ଟେଷ୍ଟ୍‌ରୁ ଛୁଟି ମିଳିଯିବ। କିନ୍ତୁ ଏହାର ଉତ୍ତରରେ ଠିକ୍‌ ଅଛି ବୋଲି କହିଥିଲେ ଧୋନି। ମୁଁ ମଧ୍ୟ ଛୁଟି ଚାହେଁ। ସେଥିପାଇଁ ମୁଁ ଭୁଲ୍‌ କରି ଗୋଟିଏ ଟେଷ୍ଟ୍‌ରୁ ବିରତି ନେବାକୁ ଚାହିଁବି। କିନ୍ତୁ ଶ୍ରୀଶାନ୍ତ ପରବର୍ତୀ ଟେଷ୍ଟ୍‌ ଖେଳିବେନି, ‌ତେଣୁ ଚିନ୍ତା କରିବାର ନାହିଁ ବୋଲି ଧୋନି କହିଥିବା କଥା ଟଫେଲ ସ୍ମୃତି ଚାରଣ କରିଛନ୍ତି। ଧୋନିଙ୍କ ଏଭଳି ମନ୍ତବ୍ୟ ମୋତେ ଚକିତ କରିଥିଲା ବୋଲି ଟଫେଲ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଧୋନି ଭାରତ ପାଇଁ ୯୦ ଟେଷ୍ଟ୍‌ ଖେଳି ୪୮୭୬ ରନ୍‌ କରିଛନ୍ତି। ତାଙ୍କ ହାରାହାରି ୩୮.୧ ରହିଛି। ସେ ମଧ୍ୟ ୩୫୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୧୦,୭୭୩ ଏବଂ ୯୮ ‌ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୩୭.୬ ହାରରେ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର