କଟକ: ଗତ ୨୫ ତାରିଖରୁ ନିମପୁର କ୍ରିକେଟ ପଡ଼ିଆରେ ଆରମ୍ଭ ହୋଇଥିବା ଏମ୍‌ଏସ୍‌ ଧୋନି କ୍ରିକେଟ କ୍ଲିନିକ୍‌ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ସହିତ ପ୍ରୋଗ୍ରାମ ସିଡି ପ୍ରଦାନ କରାଯାଇଛି। ୭ ଦିନିଆ କ୍ଲିନିକ୍‌ ପରେ ପ୍ରଶିକ୍ଷାର୍ଥୀଙ୍କୁ ମାସକର ପ୍ରୋଗ୍ରାମ ସିଡି ଦିଆଯାଇଛି। କ୍ଲିନିକ୍‌ ବେଳେ ପ୍ରଶିକ୍ଷାର୍ଥୀଙ୍କର ଭିଡିଓ ବିଶ୍ଲେଷଣ କରାଯାଇ ସେମାନଙ୍କ ତ୍ରୁଟି ସୁଧରାଯାଇଥିଲା। ଏବେ ବିଭିନ୍ନ ନୂଆ ଟିପ୍ସ ସହିତ ପ୍ରଶିକ୍ଷାର୍ଥୀଙ୍କ ଭିଡିଓ ଫୁଟେଜ୍‌ ସମ୍ବଳିତ ସିଡି ସେମାନଙ୍କୁ ପ୍ରଦାନ କରାଯାଇଛି। ମାସେ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ କିମ୍ବା ଟେଲିଫୋନ୍‌ ମାଧ୍ୟମରେ ପ୍ରଶିକ୍ଷକମାନଙ୍କଠୁ ବିଭିନ୍ନ କୌଶଳ ବାବଦରେ ଶିକ୍ଷାଲାଭ କରିପାରିବେ ବୋଲି ଏକାଡେମି ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ଲିନିକ୍‌ରେ ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ତଥା ଏକାଡେମିର ମୁଖ୍ୟ ପ୍ରଶିକ୍ଷକ ସନ୍ଦୀପ ମିତ୍ର, କପୁରଚନ୍ଦ ଅଗ୍ରଵାଲ, ଅଭିଜିତ ଥଣ୍ତର, ସନ୍ଦୀପ ଦାସ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଶୁକ୍ରବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଏକାଡେମି ପ୍ରବନ୍ଧକ ଶେଖର ଚୌହାନ, ଏକାଡେମିର ଓଡ଼ିଶା କ୍ଷେତ୍ର ପ୍ରବନ୍ଧକ ବିଭୂ ଶତପଥୀ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଓ ସିଡି ପ୍ରଦାନ କରିଥିଲେ। ଖୁବ୍‌ ଶୀଘ୍ର ଓଡ଼ିଶାରେ ଏକ ନିୟମିତ ଏକାଡେମି ଖେଲାଯିବାକୁ ଯୋଜନା କରାଯାଇଥିବା ସମସ୍ତଙ୍କୁ ଅବଗତ କରାଯାଇଛି। ଆସନ୍ତା ୩ ତାରିଖରୁ ଭୁବନେଶ୍ବର ଓ ସମ୍ବଲପୁରରେ ଏକାଡେମିର କ୍ଲିନିକ୍‌ ଚାଲିବ ବୋଲି ସୂଚନା ଦିଆଯାଇଛି।