ଅବସର ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ବେଳେ ବିଲିୟାର୍ଡସ୍‌ର ମଜା ନେଲେ ଧୋନି

ରାଞ୍ଚି: ଚଳିତ ବର୍ଷ ବିଶ୍ବକପ୍‌ଠାରୁ କ୍ରିକେଟ୍‌ରୁ ବିରତି ନେଇ ଚାଲିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ବେଳେ ଏବେ ତାଙ୍କୁ ବିଲିୟାର୍ଡସ୍‌ ଖେଳର ମଜା ନେଉଥବା ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ସଂଘ (ଜେଏସ୍‌ସିଏ) ‌ଷ୍ଟାଡିୟମ୍‌ରେ ଧୋନି ବିଲିୟାର୍ଡସ୍‌ ଖେଳୁଥିବା ନଜରକୁ ଆସିଛି। ଷ୍ଟାଡିୟମ୍‌ର ଇନ୍‌ଡୋର କ୍ୟାମ୍ପସ୍‌ରେ ଧୋନି ବେଶ୍‌ ଆଶ୍ବସ୍ତ ମନରେ ସମୟ ବିତାଇଛନ୍ତି। ସେ ବିଲିୟାର୍ଡସ୍‌ ଖେଳୁଥିବାର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ଏହା ପୂର୍ବରୁ ୨୦୦୭ ଟ୍ବେଣ୍ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ଦଳର ଏହି ଅଧିନାୟକ ରାଞ୍ଚିରେ ଗଳିକନ୍ଦିରେ ଗଲି କ୍ରିକେଟ୍‌ ଖେଳୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପୁଣି ସେ ନିଜର ନୂଆ କାର୍‌ ଏବଂ ବାଇକ୍‌ର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଧୋନି ଚଳିତ ବର୍ଷ ନଭେମ୍ବର ପର୍ଯ୍ୟନ୍ତ ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇପାରିବେନି ବୋଲି ଜଣାଇ ଦେଇଛନ୍ତି। ତେଣୁ ଡିସେମ୍ବରରେ ହିଁ ଧୋନିଙ୍କୁ ଦେଖିବାକୁ ମିଳିପାରେ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଭାରତର ଘରୋଇ ସୀମିତ ଓଭର ଶୃଙ୍ଖଳାକୁ ସେ ଫେରିବେ ବୋଲି କହିଛନ୍ତି। ଡିସେମ୍ବର ୬ ତାରିଖରୁ ଏହି ଶୃଙ୍ଖଳା ଆରମ୍ଭ ହେବ। ଗତ ଜୁଲାଇ ମାସ ୧୦ ତାରିଖରେ ଧୋନି ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍‌ ଖେଳିଥିଲେ। ତାହା ଥିଲା ବିଶ୍ବକପ୍‌ ସେମିଫାଇନାଲ୍‌ ମ୍ୟାଚ୍‌। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ସେବେଠାରୁ ବିରତି ନେଇଚାଲିଛନ୍ତି ଧୋନି।

ସମ୍ବନ୍ଧିତ ଖବର