ଧୋନିଙ୍କ ପାଇଁ ଚେନ୍ନାଇ ଚମକୁଛି

-ହର୍ଷ ଭୋଗଲେ-

ତ୍ର ୧୦ ଦିନ ହୋଇଛି, ଏତିକି ସମୟ ମଧ୍ୟରେ ଅନ୍ୟ ଦଳଗୁଡ଼ିକ ଚେନ୍ନାଇ ସୁପରକିଙ୍ଗ୍ସ କେମିତି ଲଗାତାର ସଫଳତା ପାଉଛି, ସେ ସୂତ୍ର ଜାଣିବାକୁ ବ୍ୟଗ୍ର। ମୋ ମତରେ ଚେନ୍ନାଇ ପାଖରେ ଥିବା ଖେଳାଳିଙ୍କ ଦକ୍ଷତା ତୁଳନାରେ ଏହି ଦଳ ଅଧିକ ସଫଳତା ପାଉଛି। ଚେନ୍ନାଇ ଖେଳାଳିଙ୍କୁ ଜଣକ ପରେ ଜଣେ ଏବଂ ବ୍ୟକ୍ତିଗତ ଭାବେ ତର୍ଜମା କଲେ, ଆପଣ ବି ଜାଣି ପାରିବେ ଯେ ସେମାନଙ୍କର ଢେର ଦୁର୍ବଳତା ରହିଛି। ସେମାନେ ଅନ୍ୟ ଦଳଗୁଡ଼ିକଠାରୁ ସେତେ ଅଧିକ ଶକ୍ତିଶାଳୀ ନୁହନ୍ତି। ଏହି ଦଳରେ ଏପରି ଦୁଇ ତିନି ଜଣ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ସହଜରେ ଡରାଇ ହେବ। ହେଲେ ଆଲେକ୍ସ ଫଗୁର୍ସନଙ୍କ ମାଞ୍ଚେଷ୍ଟର ୟୁନାଇଟେଡ୍ ଭଳି ଧୋନିଙ୍କ ସିଏସକେ ଏହି ଦୁର୍ବଳତାକୁ ଦୂର କରିବାର ବାଟ ପାଇ ଯାଇଛି। ମୁଁ ଦୀର୍ଘ ବର୍ଷ ଧରି କହି ଆସୁଛି ଯେ ଟ୍ବେଣ୍ଟି-୨୦ରେ ଜଣେ ଅଧିନାୟକ ଦୁଇ ଜଣ ଖେଳାଳିଙ୍କ ବରାବର। ଡାରେନ୍ ସାମି ଓ ଡାରେନ୍ ଗଙ୍ଗାଙ୍କ ଭଳି ଖେଳାଳିଙ୍କ ଟ୍ବେଣ୍ଟି-୨୦ ସଫଳତା ଏହାର ଜ୍ବଳନ୍ତ ଉଦାହରଣ। ମୋ ମନରେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଧୋନିଙ୍କ ପାଇଁ ହିଁ ସିଏସ୍‌କେ ତା’ ପାଖରେ ଥିବା ସମ୍ବଳଠାରୁ ଭଲ କରୁଛି। ଚେନ୍ନାଇ ଖେଳାଳିଙ୍କ ଉପରେ ସମ୍ଭବତଃ ଆଦୌ ଚାପ ନାହିଁ। ପ୍ରତ୍ୟେକ ଖେଳାଳି ମଧ୍ୟ ନିଜ ନିଜ ଭୂମିକାକୁ ଭଲ ଭାବରେ ଜାଣିଛନ୍ତି। ଧୋନି ସେମାନଙ୍କୁ ଦୃଢ଼ ସମଥର୍ନ କରୁଥିଲା ବେଳେ ଦଳରେ ଅଯଥା ଅଦଳ ବଦଳ କରୁ ନାହାନ୍ତି। ଫଳରେ ଖେଳାଳିଙ୍କ ମନରୁ ଅସୁରକ୍ଷିତ ଭାବନା ଦୂର ହୋଇ ଯାଉଛି। ସେମାନେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରି ପାରୁଛନ୍ତି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ମଧ୍ୟ ଜଣେ ଭଲ ଅଧିନାୟକ। ତିନିଟି ଆଇପିଏଲ୍ ଟ୍ରଫି ଜିତି ସେ ଏହାର ପ୍ରମାଣ ଦେଇ ସାରିଛନ୍ତି। ସେ ଏବେ ଭଲ ଫର୍ମରେ ଅଛନ୍ତି। ହେଲେ ନିଜ ବୋଲର, ବିଶେଷ କରି ସ୍ପିନରଙ୍କଠାରୁ ତାଙ୍କୁ ଆହୁରି ଭଲ ପ୍ରଦର୍ଶନ ବାହାର କରିବାକୁ ହେବ। ଚେନ୍ନାଇ ଏହି କ୍ଷେତ୍ରରେ ମୁମ୍ବାଇଠାରୁ ଆଗରେ ରହିଛି। ଦଳୀୟ ସନ୍ତୁଳନ ପାଇଁ ଚେନ୍ନାଇ ଫାଫ୍ ଡୁ ପ୍ଲେସିସଙ୍କ ଭଳି ଖେଳାଳିଙ୍କୁ ବାଦ୍ ଦେବାକୁ ମଧ୍ୟ ପଛାଉ ନାହିଁ। ଏଭଳି ସାହସିକ ନିଷ୍ପତ୍ତି ଅନ୍ୟ ଦଳଗୁଡ଼ିକୁ ନେବାକୁ ହେବ। ସେପଟେ ଚିନ୍ତା ଦୂର କରିବାକୁ ହେଲେ ଆସନ୍ତା ଦୁଇଟି ମ୍ୟାଚ୍‌ରେ ମୁମ୍ବାଇକୁ ଦୁଇଟି ବଡ଼ ବିଜୟର ଆବଶ୍ୟକତା ରହିଛି ବୋଲି ମୋର ହୃଦୟଙ୍ଗମ ହେଉଛି।

ସମ୍ବନ୍ଧିତ ଖବର