ଧୋନିଙ୍କ ପାଇଁ ବଢ଼ିଥିଲା ଭାରତୀୟ ଖେଳାଳିଙ୍କ ସମୟାନୁବର୍ତ୍ତିତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୁର୍ବତନ ମାନସିକ ଦକ୍ଷତା ପ୍ରଶିକ୍ଷକ ପ୍ୟାଡି ଉପ୍ଟନ ତାଙ୍କ ପୁସ୍ତକ ‘ବେୟାରଫୁଟ’ରେ ଅନେକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ଏବଂ ଭାରତୀୟ ଖେଳାଳିଙ୍କୁ ନେଇ ପୂର୍ବରୁ ଜଣା ନଥିବା କେତେକ ରହସ୍ୟ ଉପରୁ ମଧ୍ୟ ସେ ପରଦା ଉଠାଇଛନ୍ତି। ବିଶେଷ କରି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହଙ୍କ ନେତୃତ୍ବ ଶୈଳୀ ଏବଂ ଦଳରେ ଶୃଙ୍ଖଳା ଆଣିବା ଲାଗି ସେ ନେଇଥିବା ‌କେତେକ ନିଆରା ପଦକ୍ଷେପ ବିଷୟରେ ଉପ୍ଟନ ନିଜ ବହିରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଯେତେବେଳେ ଭାରତୀୟ ଦଳରେ ଯୋଗ ଦେଇଥିଲି ଅନୀଲ କୁମ୍ବଲେ ଟେଷ୍ଟ ଏବଂ ଧୋନି ଦିନିକିଆ ଦଳର ଅଧିନାୟକ ଥିଲେ। ଆମେ ସ୍ବୟଂସାଶିତ ପରିଚାଳନା ପ୍ରକ୍ରିୟା ଅନୁସରଣ କରୁଥିଲୁ। ଅଭ୍ୟାସ ଅଧିବେଶନ ଏବଂ ଦଳୀୟ ବୈଠକକୁ ସମୟ ଅନୁସାରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ଆମେ ଥରେ ନିଷ୍ପତ୍ତି ନେଲୁ। ସମସ୍ତେ ଏଥିରେ ହଁ ଭରିଲେ। କୌଣସି ଖେଳାଳି ବିଳମ୍ବରେ ଆସିଲେ, ତାଙ୍କୁ କି ଦଣ୍ଡ ଦିଆଯିବ ସେ ନିଷ୍ପତ୍ତି ଆମେ ଅଧିନାୟକଙ୍କ ଉପରେ ଛାଡ଼ିଥିଲୁ। ବିଳମ୍ବରେ ଆସୁଥିବା ଖେଳାଳିଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ଦଣ୍ଡ ଦେବାକୁ କୁମ୍ବଲେ ପରାମର୍ଶ ଦେଇଥିଲେ। ଧୋନି ଏଥିରେ ଏକମତ ହୋଇଥିଲେ। ହେଲେ ଏହାକୁ ସେ ଟିକିଏ ମୋଡ଼ି ଦେଇଥିଲେ। ଧୋନି କହିଥି‌ଲେ, କୌଣସି ଖେଳାଳି ବିଳମ୍ବରେ ଆସିଲେ କେବଳ ସେ ନୁହଁ, ସମସ୍ତ ଖେଳାଳି ୧୦,୦୦୦ ଲେଖାଏଁ ଜରିମାନା ଦେବେ। ସେବେଠାରୁ ଆଉ କୌଣସି ଖେଳାଳି ବିଳମ୍ବରେ ଆସି ନଥିଲେ।

ଦ୍ରାବିଡ଼ଙ୍କୁ ଶ୍ରୀଶାନ୍ତ ଅପମାନ ଦେଇଥିଲେ
ଉପ୍ଟନ ମଧ୍ୟ ମ୍ୟାଚ୍ ଫିକ୍ସିଂ‌ରେ ଜଡ଼ିତ ହୋଇ ବିସିସିଆଇ ଦ୍ବାରା ଆଜୀବନ ବାସନ୍ଦ ହୋଇଥିବା ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ ଘଟାଇଥିବା ଏକ ବିବାଦୟ ଘଟଣା ବିଷୟରେ ସୂଚନା ଦେଇଛନ୍ତି। ୨୦୧୩ରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଥିଲା ବେଳେ ଶ୍ରୀଶାନ୍ତ କିଭଳି ଭାବେ ତାଙ୍କୁ ଏବଂ ଭାରତୀୟ କ୍ରିକେଟର ଅନ୍ୟତମ କିମ୍ବଦନ୍ତୀ ତାରକା ରାହୁଲ ଦ୍ରାବିଡ଼ଙ୍କୁ ଅପମାନିତ କରିଥିଲେ, ତା’ ଉପରୁ ପରଦା ଉଠାଇଛନ୍ତି ଉପ୍ଟନ। ଏକ ମ୍ୟାଚ୍‌ରେ ଚୂଡ଼ାନ୍ତ ଦଳରେ ସ୍ଥାନ ନପାଇବା ପରେ ଶ୍ରୀଶାନ୍ତ ମୋତେ ଏବଂ ଦ୍ରାବିଡ଼ଙ୍କୁ ଗାଳି ଗୁଲଜ କରିଥିଲେ। ଏହା ପରେ ତାଙ୍କୁ ଦଳରୁ ବରଖାସ୍ତ କରାଯିବା ସହ ୨୪ ଘଣ୍ଟା ଭିତରେ ହୋଟେଲ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ପରଦିନ ଅର୍ଥାତ୍ ମେ’ ୧୬ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ପୁଲିସ ଶ୍ରୀଶାନ୍ତଙ୍କୁ ଗିରଫ କରିଥିଲା। ସମସ୍ତେ କୁହନ୍ତି ଶ୍ରୀଶାନ୍ତ ଜଣେ ଭାବପ୍ରବଣ ବ୍ୟକ୍ତି। ଦଳରୁ ବାଦ ପଡ଼ିବା ପରେ ତାଙ୍କ ଭଳିଆ ଅନ୍ୟ କୌଣସି ଖେଳାଳି ଏମିତି କେବେବି ପ୍ରତିକ୍ରିୟା ଦେବାର ମୁଁ ଦେଖିନାହିଁ। ଉପ୍ଟନଙ୍କ ଅଭିଯୋଗକୁ କିନ୍ତୁ ଶ୍ରୀଶାନ୍ତ ଖଣ୍ଡନ କରିଛନ୍ତି। ଉପ୍ଟନ ଜଣେ ବଡ଼ ମିଛୁଆ। ମୁଁ କେବେ ବି ଏମିତି କିଛି କରି ନଥିଲି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର