ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ ଧୋନି, ଆଇପିଏଲ୍‌ ମ୍ୟାଚ୍ ବେଳେ ଦୀପକ ଚହରଙ୍କୁ ଗାଳି

ହସିଙ୍କୁ ପୁନର୍ବାର ବ୍ୟାଟିଂ ସୁଯୋଗ ପରେ ଖୋଲା ଅସନ୍ତୋଷ, ପଡ଼ିଆରେ ପଶି ଅମ୍ପାୟାରଙ୍କ ସହ ଯୁକ୍ତି-ତର୍କ

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ‘କ୍ୟାପଟେନ୍ କୁଲ୍’ ଆଖ୍ୟା ମିଳିଛି। କ୍ରିକେଟ୍ ପଡ଼ିଆ ଭିତରେ ସେ ସର୍ବଦା ବରଫ ଭଳିଆ ଶାନ୍ତ ରୁହନ୍ତି। ପରିବେଶ ଓ ପରିସ୍ଥିତି ଯାହା ହେଉ ନା କହିଁକି, ଅଧିକାଂଶ ଭାବନ୍ତି ଧୋନି କେବେ ବି ନିଜ ଉପରୁ ନିୟନ୍ତ୍ରଣ ହରାଇ ନଥାଆନ୍ତି। ସେମାନେ ଭାବନ୍ତି ଧୋନିଙ୍କ ଜୀବନରେ ରାଗ, ରୋଷର କୌଣସି ସ୍ଥାନ ନାହିଁ। ତେବେ ଏମିତି ତିନିଟି ଉଦାହରଣ ଦିଆଯାଇପାରେ, ଯେଉଁଠି ଧୋନି ମଧ୍ୟ ନିଜ ଉଗ୍ର ସ୍ବଭାବର ଝଲକ ଦେଖାଇବାକୁ ପଛାଇ ନଥିଲେ। ଆସନ୍ତୁ ସେହି ହାତଗଣତି ତିନିଟି ଘଟଣା ଉପରେ ନଜର ପକାଇବା।

ଆଇପିଏଲ୍‌ର ଏକ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଶେଷ ଦୁଇ ଓଭରରେ ବିଜୟ ପାଇଁ ୩୯ ରନ୍‌ର ଦରକାର ଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମଧ୍ୟ ଏହି ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ଯ୍ୟ ଥିଲା। ଦୀପକ ଚହରଙ୍କ ହାତରେ ବଲ୍ ଥିଲା। ହେଲେ ସେ ଲଗାତାର ଦୁଇଟି ଅଣ୍ଟା ଉଚ୍ଚ ନୋ’ ବଲ୍ ପକାଇ ପ୍ରତିପକ୍ଷକୁ ସହଜରେ ରନ୍ କରିବାର ସୁଯୋଗ ପ୍ରଦାନ କରିଥିଲେ। ପ୍ରଥମ ବଲ୍ ଚୌକା ହେବା ସହ ଦ୍ବିତୀୟଟିରୁ ପଞ୍ଜାବ ଦୁଇ ରନ୍ ଚୋରାଇ ନେଇଥିଲା। କୌଣସି ଆଇନସମ୍ମତ ବଲ୍ ପଡ଼ିବା ପୂର୍ବରୁ ପଞ୍ଜାବ ୮ ରନ୍ ଅମଳ କରି ନେଇଥିଲା। ଧୋନି ଠିକ୍ ସେତିକି ବେଳେ ଚହରଙ୍କ ପାଖକୁ ଯାଇ ତାଙ୍କୁ ଏଥିଲାଗି ମନଇଚ୍ଛା ଗାଳି କରିଥିଲେ। ଯାହା କ୍ୟାମେରା ଫ୍ରେମରେ ରେକର୍ଡ ହୋଇ ଯାଇଥିଲା। ଧୋନିଙ୍କ ଗାଳି ପରେ କିନ୍ତୁ ଚହର ବହୁତ ଭଲ ବୋଲିଂ କରି ଆଉ ମାତ୍ର ୫ ରନ୍ ବ୍ୟୟ କରିଥିଲେ। ସେ ମଧ୍ୟ ଡେଭିଡ୍ ମିଲରଙ୍କ ଭଳି ବିପଜ୍ଜନକ ବ୍ୟାଟ୍‌ସମ୍ୟାନ୍‌ଙ୍କ ୱିକେଟ୍ ଅକ୍ତିଆର କରିଥିଲେ।

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ସୁରେଶ ରାଇନାଙ୍କ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମାଇକ୍ ହସିଙ୍କୁ ଅମ୍ପାୟାର ଷ୍ଟମ୍ପ ଆଉଟ୍ ଘୋଷଣା କରିଥିଲେ। ଟିଭି ଅମ୍ପାୟାରଙ୍କ ସହ ଢେର କିଛି ସମୟ ଆଲୋଚନା ପର୍ଯ୍ୟାଲୋଚନା କରିବା ପରେ ପଡ଼ିଆ ଅମ୍ପାୟାର ହସିଙ୍କୁ ଆଉଟ୍ ‌ଦେଇଥିଲେ। ନିଷ୍ପତ୍ତିକୁ ମାନି ହସି ପ୍ୟାଭିଲିୟନ ଫେରୁଥିଲା ବେଳେ ଅମ୍ପାୟାର ତାଙ୍କୁ ଅଚାନକ ସୀମା ରେଖା ପାଖରୁ ଫେରାଇ ନେଇ ନଟ୍‌ଆଉଟ୍ ସଙ୍କେତ ଦେଇଥିଲେ। ଏଥିନେଇ ଧୋନି ପଡ଼ିଆ ଭିତରେ ହିଁ ନିଜ ଅସନ୍ତୋଷ ଜାହିର କରିଥିଲେ। ଏହା ସତ୍ତ୍ବେ ଅମ୍ପାୟାର ନିଜ ନିଷ୍ପତ୍ତି ଆଉ ନବଦଳାଇ ହସିକୁ ବ୍ୟାଟିଂ ଜାରି ରଖିବାର ଅନୁମତି ଦେଇଥିଲେ। ତିନି ବଲ୍‌ରେ ଫୈସଲା ହେବାକୁ ଯାଉଥିଲା। ଚେନ୍ନାଇକୁ ବିଜୟ ପାଇଁ ୮ ରନ୍‌ର ଦରକାର ଥିଲା ବେଳେ ମିଚେଲ ସାଣ୍ଟନର ବ୍ୟାଟିଂ କରୁଥିଲେ। ବୋଲର ଥିଲେ ବେନ୍ ଷ୍ଟୋକ୍ସ। ଷ୍ଟୋକ୍ସ ଏକ ଫୁଲଟସ୍ ବଲ୍ ପକାଇଥିଲେ ଏବଂ ଅମ୍ପାୟାର ତୁରନ୍ତ ଏହାକୁ ନୋ’ ବଲ୍ ଡାକିଥିଲେ। ବ୍ୟାଟ୍ସମ୍ୟାନ୍ ଏଥିରୁ ୨ ରନ୍ ନେଇଥିଲେ। ହେଲେ ନାଟକୀୟ ଭାବେ ଅମ୍ପାୟାର ଏହା ପରେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏଥିନେଇ ନନଷ୍ଟ୍ରାଇକର ପଟେ ଥିବା ରବୀନ୍ଦ୍ର ଜାଦେଜା ଅମ୍ପାୟାରଙ୍କ ସହ ଯୁକ୍ତି ତର୍କ କରିଥିଲେ। ସୀମା ରେଖା ପାଖରେ ପଇଁତରା ମାରୁଥିବା ଧୋନି ମଧ୍ୟ ପଡ଼ିଆ ଭିତରକୁ ପଶି ଅମ୍ପାୟାରଙ୍କ ସହ ଢେର କିଛି ସହ ଯୁକ୍ତିତର୍କ କରିଥିଲେ। ଧୋନି ରାଗରେ ତମ ତମ ହେଲେ ମଧ୍ୟ ଅମ୍ପାୟାର ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ଶେଷରେ ସାଣ୍ଟନର ଏକ ବିଶାଳ ଛକା ମାରି ଚେନ୍ନାଇକୁ ବିଜୟୀ କରାଇଥିଲେ। ତେବେ ଧୋନି ମଧ୍ୟ କେବେ କେବେ ନିଜ ଉପରୁ ନିୟନ୍ତ୍ରଣ ହରାନ୍ତି, ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର