ନୂଆଦିଲ୍ଲୀ: ଆମ ଦେଶ ସ୍ବାଧୀନ ହେବାକୁ ୭୫ ବର୍ଷ ପୂରି ଯାଉଥିବା କାରଣରୁ ଏଥର ସ୍ବାଧୀନତା ଦିବସ ଟିକେ ବେଶି ସ୍ବତନ୍ତ୍ର। ଭାରତ ସରକାରଙ୍କ ନିର୍ଦ୍ଦେଶରେ ଏଥର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଦେଶବାସୀ ନିଜ ପ୍ରୋଫାଇଲ୍ ଫଟୋ ସ୍ଥାନରେ ତ୍ରିରଙ୍ଗାର ଫଟୋ ଦେବାରେ ଲାଗିଛନ୍ତି।
ଏହି କ୍ରମରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବି ଯୋଡ଼ି ହୋଇଛନ୍ତି। ସେ ତାଙ୍କ ଡିପିରେ ତ୍ରିରଙ୍ଗା ଲଗାଇଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଭାରତୀୟ ବୋଲି ନିଜକୁ ଭାଗ୍ୟବାନ ମଣୁଥିବା ବି ତାଙ୍କ ଡିପିରେ ଲେଖାଥିବା ଦେଖିବାକୁ ମିଳିଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଧୋନି ସୋସିଆଲ୍ ମିଡିଆରେ ରହି ମଧ୍ୟ ଖୁବ୍ କମ୍ ସକ୍ରିୟ ରହନ୍ତି। ଫେସ୍ବୁକ୍, ଟ୍ବିଟର୍ ଓ ଇନ୍ଷ୍ଟାଗ୍ରାମ୍ରେ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ସମୟ ଧରି କୌଣସି ପୋଷ୍ଟ କରନ୍ତି ନାହିଁ। ମାତ୍ର ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସେ ନିଜକୁ ସାମିଲ୍ କରି ଏବେ ଚର୍ଚ୍ଚା ପାଲଟିଛନ୍ତି।
ହର ଘର ତ୍ରିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଖୁବ୍ ଜୋର୍ରେ ଚାଲିଛି। ଗତ ୧୦ ଦିନ ମଧ୍ୟରେ ଦେଶରେ ୧ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି ହୋଇ ସାରିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ଏହି ୧୦ ଦିନ ମଧ୍ୟରେ ଭରତୀୟ ଡାକଘର ୧.୫ ଲକ୍ଷ ପୋଷ୍ଟ୍ ଅଫିସ୍ ଓ ଅନ୍ଲାଇନ ଜରିଆରେ ପ୍ରାୟ ୧ କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି କରି ସାରିଥିବା ସୂଚନା ରହିଛି।