ଦକ୍ଷିଣ କଶ୍ମୀର ଦାୟିତ୍ବରେ ଧୋନି: ଅଗ‌ଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କଶ୍ମୀରରେ ସାମରିକ ଘାଟି ଜଗିବେ

ନୂଆଦିଲ୍ଲୀ : ଟେରିଟୋରିଆଲ ଆର୍ମିର ୧୦୬ ପାରାଚୁଟ୍ ବାହିନୀରେ ଲେଫ୍ଟନାଣ୍ଟ୍‌ କର୍ନେଲ ଭାବେ ଯୋଗଦେଇଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନି ବୁଧବାର ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଅଗ‌ଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଆତଙ୍କବାଦ ପ୍ରବଣ ଦକ୍ଷିଣ କଶ୍ମୀରରେ ରହି ପାଟ୍ରୋଲିଂ କରିବା ସହ ସାମରିକ ଘାଟି ଜଗିବା କାର୍ଯ୍ୟ ଏବଂ ଅନ୍ୟ ସୈନିକଙ୍କ ପରି ସବୁ ଦାୟିତ୍ବ ନିର୍ବାହ କରିବେ।

ଲେଫ୍ଟନାଣ୍ଟ୍‌ କର୍ନେଲ ଧୋନି ବୁଧବାର ଏଠାକୁ ଆସି କାର୍ଯ୍ୟରେ ଯୋଗଦେଇଛନ୍ତି ବୋଲି ଆର୍ମିର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ସେ ଭିକ୍ଟର ଫୋର୍ସ ସହ ରହି ଏହି ଦାୟିତ୍ବ ତୁଲାଇବେ। ୩୮ ବର୍ଷୀୟ ଧୋନି ନିଜ ୟୁନିଟ୍‌ରେ ରହି କାମ କରିବାକୁ ଆର୍ମି ମୁଖ୍ୟ କାର୍ଯ୍ୟାଳୟକୁ ଅନୁରୋଧ କରିଥିଲେ। ଅନୁରୋଧକୁ ରକ୍ଷାକରି ମୁଖ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ତାଙ୍କୁ ଦୁଇ ସପ୍ତ‌ାହ ୟୁନିଟ୍‌ରେ ରହି କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା।

ସୂଚନାଯୋଗ୍ୟ ଯେ ୨୦୧୧ରେ ଆର୍ମିରେ ଧୋନିଙ୍କୁ ଏହି ସମ୍ମା‌ନଜନକ ପଦ ମିଳିଥିଲା। ସେ ମଧ୍ୟ ୫ ଥର ପାରାଚୁଟ୍‌ରୁ ଡେଇଁବା ଭଳି ପ୍ରଶିକ୍ଷଣକୁ ସଫଳତାର ସହ ପୂରଣ କରିଛନ୍ତି।

ସମ୍ବନ୍ଧିତ ଖବର