ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ : ଧୋନିଙ୍କୁ ନେଇ ଆଶଙ୍କା

ନୂଆଦିଲ୍ଲୀ : ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବା ନିଷ୍ପତ୍ତିକୁ ଟାଳି ଚାଲିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଖେଳିବା ନେଇ ଆଶଙ୍କା ଉପୁଜିଛି। ସେପ୍ଟେମ୍ବର ୧୫ ତାରିଖରୁ ଧର୍ମଶାଳାରେ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ପରର୍ବତୀ ଦୁଇ ମ୍ୟାଚ୍‌ ସେପ୍ଟେମ୍ବର ୧୮ (ମୋହାଲି) ଓ ସେପ୍ଟେମ୍ବର ୨୨ (ବେଙ୍ଗାଲୁରୁ)ରେ ଖେଳାଯିବ। ଏଥିପାଇଁ ସମ୍ଭବତଃ ସେପ୍ଟେମ୍ବର ୪ ତାରିଖରେ ଭାରତୀୟ ଦଳ ଘୋଷିତ ହେବ। ହେଲେ ଚଳିତ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ଦଳ ୩-୦ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୋଛି ନେଇଥିବାରୁ ମନୋନୟନକର୍ତାମାନେ ସେହି ଦଳକୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ବଜାୟ ରଖିବାକୁ ଚାହିଁବେ। ସେଭଳି କୌଣସି ଫିଟ୍‌ନେସ୍‌ ସମସ୍ୟା ନଉପୁଜିଲେ ଖେଳାଳି ପରିବର୍ତନ କରାଯିବନି ବୋଲି ମନୋନୟନ ସମିତି ଭାବିନେଇଛି। ଫଳରେ ଋଷଭ ପନ୍ତ୍‌ ୱିକେଟ୍‌ରକ୍ଷକ ଦାୟିତ୍ବ ତୁଲାଇବା ପ୍ରାୟତଃ ନିଶ୍ଚିତ। ଆଉ ସେହି ଦୃଷ୍ଟିରୁ ଧୋନିଙ୍କ ଦଳକୁ ଫେରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୁଣି ଟ୍ବେଣ୍ଟି-୨୦ ବିଶ୍ବ କପ୍‌ ପୂର୍ବରୁ ଭାରତ ହାତରେ ମାତ୍ର ୨୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ରହିଛି। ସେହି ଦୃଷ୍ଟିରୁ ଭବିଷ୍ୟତ ରଣନୀତି ନେଇ ଆଗକୁ ବଢ଼ିବାର ଅଛି ବୋଲି ମନୋନୟନ ସମିତି ଚିନ୍ତା କରିଛି। ତେଣୁ ପନ୍ତଙ୍କୁ ଆଉ ବସାଇବା ସପକ୍ଷରେ ନାହିଁ ଏହି ସମିତି। ଆଉ ପନ୍ତ ନବସିଲେ ଧୋନିଙ୍କ ଦଳକୁ ଫେରିବା ମଧ୍ୟ ସମ୍ଭବ ହେବନି ବୋଲି ଜଣାପଡ଼ିଗଲାଣି। ତଥାପି ସୀମିତ ଓଭର ଫର୍ମାଟ୍‌ (ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦) ପାଇଁ ତିନି ଜଣ ୱିକେଟ୍‌ରକ୍ଷକଙ୍କୁ ପ୍ରସ୍ତୁତ ରଖିବା ପାଇଁ ସମିତି ଯୋଜନା ରଖିଛି। ହେଲେ ଧୋନିଙ୍କ ସଂପର୍କରେ ସମିତି କିଛି ବି କହିନାହିଁ। କାରଣ ପନ୍ତ୍‌ଙ୍କ ସହିତ ସଞ୍ଜୁ ସାମ୍‌ସନ୍‌ ଏବଂ ଈଶାନ୍‌ କିଶନ୍‌ଙ୍କ ଉପରେ ଆଖି ରଖିଛି ମନୋନୟନ ସମିତି।

ଏଠାରେ ସୂଚନା‌ଯୋଗ୍ୟ, ଦିନିକିଆ ବିଶ୍ବ କପ୍‌ ପରେ ପରେ ଧୋନି ଅବସର ନେବାର କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଧୋନି ସମସ୍ତଙ୍କୁ ଦ୍ବନ୍ଦ୍ବରେ ରଖି ଅବସର ଘୋଷଣା ପରିବର୍ତେ ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ସେ ଟେରିଟୋରିଆଲ ଆର୍ମିରେ ଯୋଗଦେଇ ଜମ୍ମୁ କାଶ୍ମୀରରେ ସେନା ଦାୟିତ୍ବ ତୁଲାଇଥି‌ଲେ। ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ଖେଳିବାର ଆଶା ମଧ୍ୟ ରଖିଥିଲେ। ମାତ୍ର ଋଷଭ ପନ୍ତଙ୍କୁ ବିସିସିଆଇ ସର୍ବାଧିକ ପସନ୍ଦ କରୁଥିବାରୁ ଦଳରୁ ବାଦ୍‌ ପଡ଼ିବା ଆଶଙ୍କା ତାଙ୍କ କ୍ଷେତ୍ରରେ କମ୍‌ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର