ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯିବେ ନାହିଁ ଧୋନି, ୨ ମାସ ଯାଏଁ ନିଜର ରେଜିମେଣ୍ଟ ସହିତ ରହିବେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର ସ୍ପଷ୍ଟ ଭାବରେ କହିଛନ୍ତି, ସେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଉ ନାହାନ୍ତି। ଧୋନିଙ୍କ ଏହି ଘୋଷଣା ପରେ ଏହି ଓ୍ଵିକେଟ୍‌କିପର ବ୍ୟାଟସ୍‌ମ୍ୟାନ୍‌ଙ୍କ ଭବିଷ୍ୟତ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।

ଆଇସିସି ବିଶ୍ୱକପ୍‌ ୨୦୧୯ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ୩୮ ବର୍ଷିଅ ଧୋନି ୩୫୦ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଧୋନିଙ୍କ ପ୍ରଦର୍ଶନ ସେତେ ଭଲ ନଥିଲା। ଧୋନି ଟେଷ୍ଟ ମ୍ୟାଚ୍‌ରୁ ୨୦୧୪ରେ ସନ୍ୟାସ ନେଇଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଖେଳ ଜାରି ରଖିଛନ୍ତି। ଧୋନିଙ୍କୁ ଟେରିଟୋରିଆଲ ଆର୍ମି ପାରାସୁଟ ରେଜିମେଣ୍ଟରେ ଲେଫନାଣ୍ଟ କର୍ଣ୍ଣେଲ ଭାବରେ ନିଯୁକ୍ତି ମିଳିଛି।

ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଭାରତୀୟ ଟିମ୍‌ରେ ସାମିଲ ନ ହେବା ନେଇ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଧୋନି ନିଜେ ମନା କରିଛନ୍ତି। ଆଗାମୀ ୨ ମାସ ପାଇଁ ସେ ପରାମିଲିଟାରି ରେଜିମେଣ୍ଟ ସହିତ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ରବିବାର ମୁମ୍ବାଇରେ ଚୟନ କମିଟିର ବୈଠକ ବସିବ, ଯେଉଁଥିରେ ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଟିମ୍‌ ଚୟନ ହେବ। ଧୋନି ଏହି ଟିମ୍‌ରୁ ନିବୃତ୍ତ ରହିବା ପରେ ୩ ଫର୍ମାଟରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିପାରେ। ଓ୍ଵିକେଟକିପର ଭାବେ ଋଦ୍ଧିମାନ ଶାହା ମଧ୍ୟ ବିକଳ୍ପ ଭାବେ ଚୟନ ହୋଇପାରନ୍ତି।

ସମ୍ବନ୍ଧିତ ଖବର