ଡି’ଭିଲିୟର୍ସଙ୍କ ଆଇପିଏଲ୍‌ ଏକାଦଶରେ ଧୋନି ଅଧିନାୟକ

ନୂଆଦିଲ୍ଲୀ : ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଏବି ଡିଭିଲିୟର୍ସ ତାଙ୍କର ସର୍ବକାଳୀନ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଏକାଦଶ ଦଳ ବାଛିଛନ୍ତି। ଆଉ ଏହି ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ରଖିବାକୁ ସ୍ଥିର କରିଛନ୍ତି। ଧୋନି ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ନେତୃତ୍ବ ନେଉଥିଲା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳରେ ଖେଳୁଛନ୍ତି ଡିଭିଲିୟର୍ସ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏବଂ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ୪ ନମ୍ବରରେ ବ୍ୟାଟିଂ ପାଇଁ ବିକଳ୍ପ ଭାବେ ରଖିଥିଲା ବେଳେ ଡିଭିଲିୟର୍ସ କିନ୍ତୁ ଶେଷରେ ନିଜକୁ ସେହି ସ୍ଥାନ ପାଇଁ ମନୋନୀତ କରିଛନ୍ତି। ତଥାପି ଦଳର ପରିସ୍ଥିତିକୁ ଦେଖି ସେ ୪ ନମ୍ବର ଉପରେ ନିର୍ଣ୍ଣୟ ନେବେ ବୋଲି କହିଛନ୍ତି।

କ୍ରିକ୍‌ବଜ୍‌ ପାଇଁ ଭାଷ୍ୟକାର ହର୍ଷ ଭେଗ୍‌ଲେଙ୍କ ସହ ଏକ କଥୋପକଥନ ବେଳେ ଡିଭିଲିୟର୍ସ କହିଥିଲେ, ସେ ନିଜ ସହିତ ମୋଟ ୪ ଜଣ ବିଦେଶୀ ଖେଳାଳିଙ୍କୁ ତାଙ୍କ ଆଇପିଏଲ୍‌ ଏକାଦଶରେ ସ୍ଥାନ ଦେଇଛନ୍ତି। ପୁଣି ନିଜର ପୂର୍ବତନ ଦିଲ୍ଲୀ ଡେୟାର ଡେଭିଲ୍‌ସ ସାଥୀ ବୀରେନ୍ଦ୍ର ସେହବାଗ୍‌ଙ୍କୁ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବା ପାଇଁ ବାଛିଛନ୍ତି ଡିଭିଲିୟର୍ସ। ସେହିପରି ନିଜ ଆର୍‌ସିବି ଦଳୀୟ ସାଥୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ରଖିଛନ୍ତି। ଡିଭିଲିୟର୍ସଙ୍କ ପଛକୁ ଇଂଲଣ୍ଡର ଦକ୍ଷ ଅଲ୍‌ରାଉଣ୍ଡର ବେନ୍‌ ‌ଷ୍ଟୋକ୍ସ ପଞ୍ଚମ ଏବଂ ଅଧିନାୟକ ଧୋନି ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବେ। ଭାରତୀୟ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ସପ୍ତମ, ଆଫ୍‌ଗାନିସ୍ତାନର ତାରକା ସ୍ପିନର ରସିଦ୍‌ ଖାନ୍‌ ଅଷ୍ଟମ, ଦ୍ରୁତ ବୋଲର ଭୁବନେଶ୍ବର କୁମାର, ତାଙ୍କ ପୂର୍ବତନ ଦକ୍ଷିଣ ଆଫ୍ରିକା ଦଳ ସାଥୀ ତଥା ଦ୍ରୁତ ବୋଲର କାଗିସୋ ରବାଦା ଏବଂ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ନବମରୁ ଏକାଦଶ ମଧ୍ୟରେ ସ୍ଥାନ ଅକ୍ତିଆର କରିଛନ୍ତି।

ଡିଭିଲିୟର୍ସଙ୍କ ସର୍ବକାଳୀନ ଆଇପିଏଲ୍‌ ଏକାଦଶ:
ବୀରେନ୍ଦ୍ର ସେହବାଗ୍‌, ରୋହିତ ଶର୍ମା, ବିରାଟ କୋହଲି, କେନ୍‌ ୱିଲିୟମ୍‌ସନ୍‌/‌ଷ୍ଟିଭ୍‌ ସ୍ମିଥ୍‌/ଡିଭିଲିୟର୍ସ, ବେନ୍‌ ‌‌ଷ୍ଟୋକ୍ସ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ରବୀନ୍ଦ୍ର ଜାଦେଜା, ରସିଦ୍‌ ଖାନ୍‌, ଭୁବନେଶ୍ବର କୁମାର, କାଗିସୋ ରବାଦା, ଯଶ୍‌ପ୍ରୀତ୍‌ ବୁମ୍‌ରା।

ସମ୍ବନ୍ଧିତ ଖବର