ଚେନ୍ନାଇ: ଆଇପିଏଲ୍ ୨୦୨୩ରେ, ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)କୁ ନିଜ ଘରୋଇ ପଡ଼ିଆରେ ହରାଇଥିଲା ରାଜସ୍ଥାନ ରୟାଲ୍ସ। ହାରିବା ପରେ ଚେନ୍ନାଇର କୋଚ୍ ଷ୍ଟିଫେନ୍ ଫ୍ଲେମିଂ ସିଏସକେ ପ୍ରଶଂସକଙ୍କୁ ଆଉ ଏକ ଝଟକା ଦେଇଥିଲେ। ରାଜସ୍ଥାନ ବିପକ୍ଷ ମ୍ୟାଚ୍ ପରେ ଫ୍ଲେମିଂ କହିଥିଲେ ଯେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଛି ଏବଂ ଏହା ତାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି।
ଟୁର୍ଣ୍ଣାମେଣ୍ଟର ଓପନିଂ ମ୍ୟାଚ୍ ଅର୍ଥାତ୍ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ସିଏସକେ ପ୍ରଥମ ମ୍ୟାଚ୍ ଖେଳିବା ସମୟରେ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରେ ପରବର୍ତ୍ତୀ କିଛି ମ୍ୟାଚ୍ ସମୟରେ ସେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଥିଲା। ତେବେ ଆଘାତ ପରେ ବି ସେ ଚାରୋଟି ମ୍ୟାଚ୍ ଖେଳିଛନ୍ତି। ସିଏସକେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ମଧ୍ୟରୁ ଦୁଇଟି ଜିତିଛି ଏବଂ ଦୁଇଟି ହାରିଛି।
ଏଥି ସହିତ କାଇଲ ଜେମିସନଙ୍କ ସ୍ଥାନରେ ଦଳରେ ଅନ୍ତର୍ଭୁକ୍ତ ଦକ୍ଷିଣ ଆଫ୍ରିକାର ପେସର ସିସାନ୍ଦା ମଗାଲା ମଧ୍ୟ ଆହତ ହେବାରୁ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି। ରାଜସ୍ଥାନ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ କ୍ୟାଚ୍ ନେବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।
ଉଲ୍ଲେଖଯୋଗ୍ୟ, ଏମ୍ଏ ଚିଦମ୍ବରମ ଷ୍ଟାଡିୟମ୍ରେ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩ ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା। ଏହାଫଳରେ ଅଧିନାୟକ ଭାବେ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳୁଥିବା ଧୋନିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୮ ୱିକେଟ୍ ବିନିମୟରେ ୧୭୫ ରନ୍ କରିଥିଲା ବେଳେ ଚେନ୍ନାଇ ନିର୍ଧାରିତ ଓଭର ସୁଦ୍ଧା ୧୭୨/୬ ସ୍କୋର କରିପାରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ବିନଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।