ରାଞ୍ଚି : ଆଉ ‌ଦେଖିବାକୁ ମିଳିବନି ହେଲିକପ୍ଟର ସଟ୍‌ କି ସ୍ଲଗ୍‌ଓଭରର ଗଗନଚୁମ୍ବି ଛକା। ୱିକେଟ୍‌ ପଛରେ ଆଖିପିଛୁଳାକେ ଷ୍ଟମ୍ପିଂ କି ଦୁଇ ୱିକେଟ୍‌ ମଝିରେ ଚିତା ଭଳି ଦୌଡ଼ ସ୍ବପ୍ନ ପାଲଟିଯିବ। ବିଶ୍ବର ଅନେକ ବଡ଼ ବଡ଼ ବୋଲରକୁ ଧୁଲେଇ କରି ଏବଂ ସଂକଟ ବେଳରେ ଜଣେ ସ୍ଥିତପ୍ରଜ୍ଞ ଅଧିନାୟକ ଭାବେ ବହୁ ସାହସିକ ନିଷ୍ପତ୍ତି ନେଇ ଅନେକ ଅସମ୍ଭବକୁ ସମ୍ଭବ କରିଥିବା ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନି ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏଥି ସହିତ ଭାରତୀୟ କ୍ରିକେଟରେ ଧୋନିଙ୍କ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ଆଉ ତାଙ୍କ ଅବସର ଘୋଷଣା ପରେ ସାରା ବିଶ୍ବରୁ ପ୍ରଶଂସାର ସୁଅ ଛୁଟିଛି। ଭାରତ ତଥା ବିଶ୍ବର ବହୁ ଖ୍ୟାତନାମା କ୍ରିକେଟର, ରାଜନେତା, ଅଭିନେତା, ସାମ୍ବାଦିକ ଓ ଅଗଣିତ ପ୍ରଶଂସକ ତାଙ୍କୁ ଦ୍ବିତୀୟ ପାଳି ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଶନିବାର ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିଲା ବେଳେ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଲୋକପ୍ରିୟ ଖେଳାଳି ଧୋନି ହଠାତ୍ ଏହି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଅଧିନାୟକ ଭାବେ ଭାରତକୁ ଦୁଇଟି ବିଶ୍ବକପ୍ ସହ ତିନିଟି ଆଇସିସି ଟ୍ରଫି ଜିତାଇଥିବା ଏହି କିଂବଦନ୍ତି କ୍ରିକେଟର ଶନିବାର ରାତି ୭ଟା ୨୯ ମିନିଟ୍‌ରେ ଟ୍ବିଟ୍ କରି ଅବସର ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସର ବାର୍ତ୍ତାରେ ଧୋନି ଏତେ ବର୍ଷର ଭଲପାଇବା ଓ ବିପୁଳ ସମର୍ଥନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ୬ ବର୍ଷ ତଳେ ଧୋନି ଟେଷ୍ଟ୍ କ୍ରିକେଟରୁ ଅବସର ନେଇ ସାରିଥିଲେ। ଏବେ ଦିନିକିଆ ଓ ଟ୍ବେଣ୍ଟି-୨୦କୁ ଅଲବିଦା କହିବା ଫଳରେ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ତାଙ୍କୁ ଭାରତୀୟ ଜର୍ସି ପିନ୍ଧି ପଡ଼ିଆରେ ଦେଖିବାକୁ ମିଳିବ ନାହିଁ।

Advertisment

୨୦୦୪ ମସିହାରେ ରାଞ୍ଚି ଭଳି ଏକ ଛୋଟ ସହରରୁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଧୋନି ବାଂଲାଦେଶ ବିପକ୍ଷରେ ଦିନିକିଆ ଏବଂ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ୨୦୦୬ରେ ସେ ନିଜର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳତମ ଅଧିନାୟକ ଭାବେ ପରିଚିତ ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍, ୨୦୧୧ରେ ଏକଦିବସୀୟ ବିଶ୍ବକପ୍ ଏବଂ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ସେହିଭଳି ଦୁଇ ଥର ଏସିଆ କପ୍ ଜିତିବା ସହ ଟେଷ୍ଟ୍ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲା। ବିଶ୍ବର ସଫଳତମ ୱିକେଟ୍ ରକ୍ଷକ ଏବଂ ଶ୍ରେଷ୍ଠ ଫିନିସର ଭାବେ ତାଙ୍କର ଖ୍ୟାତି ସର୍ବସ୍ବୀକୃତ ଥିଲା। ଧୋନି ତାଙ୍କ ୧୬ ବର୍ଷର କ୍ରିକେଟ କ୍ୟାରିରର ୯୦ଟି ଟେଷ୍ଟ୍ ଖେଳି ୬ ଶତକ ଓ ଗୋଟିଏ ଦ୍ବିଶତକ(୨୨୪) ସହ ୪୮୭୬ରନ୍ କରିଥିବାବେଳେ , ୩୫୦ଟି ଦିନିକିଆରୁ ୧୦ ଶତକ ସହ ୧୦,୭୭୩ ଏବଂ ୯୮ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ରୁ ୧୬୧୭ ରନ୍‌ କରିଛନ୍ତି। ଏହାଛଡ଼ା ଜଣେ ଅଧିନାୟକ ଭାବେ ସେ ଭାରତ ପାଇଁ ଉଲ୍ଲେଖନୀୟ ସଫଳତା ପାଇବା ସହ ବହୁ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି।