ମୋହାଲି ମ୍ୟାଚରେ ମାହିଙ୍କ ପାଦ ଛୁଇଁ ପ୍ରଣାମ କଲେ ଯୁବ ପ୍ରଶଂସକ

ମୋହାଲି: ଟିମ୍‌ ଇଣ୍ଡିଆର କାର୍ଯ୍ୟକାରୀ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅପରାଜିତ ଦ୍ୱିଶତକ(୨୦୮) ବଳରେ ଭାରତ ବୁଧବାର ଶ୍ରୀଲଙ୍କାକୁ ୧୪୧ ରନ୍‌ରେ ପରାସ୍ତ କରିଛି। ପଞ୍ଜାବର ମୋହାଲି ଷ୍ଟାଡିୟମରେ ୨ୟ ଦିନିକିଆରେ ରୋହିତଙ୍କ ବ୍ୟାଟିଂ ଯେତିକି ସ୍ମରଣୀୟ ହୋଇଛି, ମହେନ୍ଦ୍ର ସିଂହଙ୍କ ଲୋକପ୍ରିୟତାକୁ ସେତିକି ପ୍ରମାଣିତ କରିଛି। ଜଣେ ଯୁବ ପ୍ରଶଂସକ ପଡ଼ିଆ ଭିତରକୁ ଅଚାନକ ପ୍ରବେଶ କରି ଧୋନିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଘଟଣା କେତେ ଯେ ଆବେଗପୂର୍ଣ୍ଣ ଯେଉଁମାନେ ଦେଖିଛନ୍ତି, ସେମାନେ ହି ଅନୁଭବ କରି ପାରିଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ଧୋନିଙ୍କୁ ତାଙ୍କ ପ୍ରଶଂସକମାନେ ଯେତିକି ଭଲ ପାଆନ୍ତି ତାହା ଅବର୍ଣ୍ଣନୀୟ।

ଦ୍ୱିତୀୟ ଇନିଂସରେ ଭାରତ ଫିଲ୍ଡିଙ୍ଗ କରୁଥିବା ବେଳେ ସୁରକ୍ଷା ନିୟମ ଭଙ୍ଗ କରି ଜଣେ ଯୁବକ ପଡ଼ିଆକୁ ପ୍ରବେଶ କରିଥିଲେ। ସେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହଙ୍କ ପାଖକୁ ପହଞ୍ଚି ଥିଲେ। ଧୋନିଙ୍କ ପାଦକୁ ଛୁଇଁ ପ୍ରଣାମ କରିଥିଲେ। ଧୋନି ଏହି ପ୍ରଶଂସକଙ୍କୁ ଅବହେଳା କରି ନଥିଲେ। କିଛି ସମୟ କଥାବାର୍ତ୍ତା କରିଥିଲେ।

ଏହା ପୂର୍ବରୁ ଗତ ଜାନୁଆରିରେ ମହେନ୍ଦ୍ର ସିଂହ ଧୋନି ଇଂଲଣ୍ଡ ବିପକ୍ଷରେ ମୁମ୍ବାଇର ବ୍ରୋବୋର୍ଣ୍ଣ ଷ୍ଟାଡିୟମରେ ଓ୍ଵାର୍ମ-ଅପ୍‌ ମ୍ୟାଚ ଖେଳୁଥିଲେ। ବ୍ୟାଟିଂ ସମୟରେ ଜଣେ ବ୍ୟକ୍ତି ପଡ଼ିଆ ଭିତରକୁ ପ୍ରବେଶ କରି ଧୋନିଙ୍କ ପାଦ ସ୍ପର୍ଶ କରିଥିଲା। ସେହି ମ୍ୟାଚରେ ଧୋନି ଶେଷ ଥର ପାଇଁ ଅଧିନାୟକ ଥିଲେ। ସୂଚନାଯୋଗ୍ୟ, ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୬ ବର୍ଷରେ ବିଶ୍ୱର ସବୁଠାରୁ ସ୍ୱାସ୍ଥ୍ୟବାନ ଖେଳାଳି ଭାବରେ ପରିଚିତ।

ସମ୍ବନ୍ଧିତ ଖବର