ବିଶ୍ବକପ୍‌ ପରେ ଧୋନି ଅବସର ନେବା ଉଚିତ ଥିଲା: ଅଖ୍‌ତର

ଧୋନି ଓ ଯୁବି ଭାରତୀୟ ଦଳକୁ ବଦଳାଇଥିଲେ

ନୂଆଦିଲ୍ଲୀ : ୨୦୧୯ ବିଶ୍ବକପ୍‌ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେବା ଉଚିତ ଥିଲା। ସେ ଏତେ ଦିନ କ’ଣ ପାଇଁ ଅପେକ୍ଷା କରିଛନ୍ତି ମୁଁ ବୁଝି ପାରୁନି ବୋଲି ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖ୍‌ତର କହିଛନ୍ତି। ଏହି ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁଯାୟୀ ଦେଶ ପାଇଁ ସେବା କରିଛନ୍ତି। ସମ୍ମାନର ସହ ତାଙ୍କୁ ବିଦାୟ ଦେବା ଉଚିତ। ମୁଁ ଜାଣେ ନାହିଁ କାହିଁକି? ସେ ଏହାକୁ ଏତେ ଦିନ ପର୍ଯ୍ୟନ୍ତ ଟାଣି ନେଇଥିଲେ। ବିଶ୍ୱକପ୍‌ ପରେ ସେ ଅବସର ନେଇଯିବାର ଥିଲା। ମୋର ଆଶା ୩୮ ବର୍ଷୀୟ ଧୋନି ଭବିଷ୍ୟତକୁ ନେଇ ସଂପ୍ରତି ନିରବ ଅଛନ୍ତି ବୋଲି ଅଖ୍‌ତର କହିଛନ୍ତି। ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି, ମୁଁ ମୋର ଜୋତା ଟାଙ୍ଗି ଦେଇଥାନ୍ତି। ମୁଁ ତିନି ଚାରି ବର୍ଷ ପାଇଁ ଛୋଟ ଫର୍ମାଟ୍ ଖେଳି ପାରିଥାନ୍ତି। କିନ୍ତୁ ୨୦୧୧ ବିଶ୍ବକପ୍‌ ପରେ ୧୦୦ ପ୍ରତିଶତ ଖେଳ ନଥିବାରୁ ଅବସର ନେଇଥିଲି ବୋଲି ସେ କହିଛନ୍ତି।

ବିଶ୍ୱକପ୍ ସେମିଫାଇନାଲ୍‌ ପରାଜୟଠୁ ଧୋନି ଆଉ ଖେଳିନାହାନ୍ତି। ଆଇପିଏଲ୍‌ରେ ଫେରିବା ଲାଗି ଧୋନି ଅପେକ୍ଷା କରି ରହିଥିଲେ। ମହାମାରୀ କରୋନା ପାଇଁ ସଂପ୍ରତି ଆଇପିଏଲ୍‌ ଅନିଶ୍ଚିତତା ମଧ୍ୟରେ ରହିଛି। ଯଦି ଆଇପିଏଲରେ ସେ ଭଲ ପ୍ରଦର୍ଶନ କରିବେ, ତେବେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ତାଙ୍କର ଖେଳିବାର ସମ୍ଭାବନା ରହିବ। ଧୋନି ଭାରତୀୟଙ୍କ ମନ ଭିତରେ ଅଛନ୍ତି। ତାଙ୍କୁ ସମ୍ମାନର ସହ ବିଦାୟ ଦେବା ଦରକାର। ସେ ଭାରତ ପାଇଁ ବିଶ୍ବକପ୍‌ ଜିତିଛନ୍ତି। ସେ ଗୋଟିଏ ସମୟରେ ଜଣେ ଅଦ୍ଭୁତ ମଣିଷ ଥିଲେ। କିନ୍ତୁ ବର୍ତ୍ତମାନ ସେ ଅଟକି ଯାଇଛନ୍ତି। ୫୦ ଓଭରିଆ ବିଶ୍ବକପ୍‌ ବୋଲି ଅଖ୍‌ତର କହିଛନ୍ତି। ଯେତେବେଳେ ସେ ସେମିଫାଇନାଲରେ (ନ୍ୟୁଜିଲାଣ୍ଡ ବିପକ୍ଷରେ) ଖେଳ ଶେଷ କରିପାରିନଥିଲେ। ମୁଁ ଅନୁଭବ କଲି ଯେ ସେ ଅବସର ନେଇଯିବେ। କିନ୍ତୁ ସେ କାହିଁକି ଉତ୍ତର ଦେଉ ନାହାଁନ୍ତି। ବିଶ୍ୱକପ୍‌ ପରେ ସେ ଏକ ବିଦାୟୀ ଶୃଙ୍ଖଳା ଖେଳିବା ଉଚିତ ଥିଲା। ୨୦୧୩ ଚାମ୍ପିଅନ୍ସ ଟ୍ରଫି ପରଠାରୁ ଭାରତ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଜିତିବାରେ ବିଫଳ ହୋଇଛି। ପ୍ରତ‌ିଯୋଗିତା ଜିତିବା ଗୋଟିଏ କଥା କିନ୍ତୁ ଶୀର୍ଷରେ ରହିବା ଅନ୍ୟ ଏକ ବିଷୟ। ଭାରତ ତଥାପି ଶୀର୍ଷ ମାନ୍ୟତାପ୍ରାପ୍ତ ଟେଷ୍ଟ୍‌ ଦଳ ଏବଂ ସୀମିତ ଓଭର ଫର୍ମାଟରେ ଶ୍ରେଷ୍ଠ ଦଳ ମଧ୍ୟରେ ଅଛି। ତେଣୁ ଆମେ କେବଳ ସେମାନଙ୍କ ପ୍ରଦର୍ଶନକୁ ଆଇସିସିରେ ବିଚାର କରିବା ଉଚିତ ନୁହେଁ। ଅବଶ୍ୟ, ସେମାନେ ଆଇସିସି ପ୍ରତିଯୋଗିତା ଜିତିବା ଉଚିତ ବୋଲି ଅଖ୍‌ତର କହିଛନ୍ତି।

ଧୋନି ଓ ଯୁବି ଭାରତୀୟ ଦଳକୁ ବଦଳାଇଥିଲେ
ସର୍ବଦା ଭାରତୀୟ ଦଳ ଶ୍ରେଷ୍ଠ ୪ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ଭରସା କରେ। ସେମାନେ ଭଲ ନ କଲେ ଦଳ ପାଇଁ ସମସ୍ୟା ହୋଇଥାଏ। ଦଳକୁ ସବୁବେଳେ ଯୁବରାଜ ସିଂହ ‌ଓ ଧୋନିଙ୍କ ଭଳି ମ୍ୟାଚ୍‌ ବି‌ଜେତା ଆବଶ୍ୟକ ପଡ଼ିଥାଏ। ଆମେ ୧୯୯୮ରେ ଯେବେ ଭାରତ ଗସ୍ତ କରିଥିଲୁ, ସେତେବେଳେ ଭାବୁଥିଲୁ ଯେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ୱିକେଟ୍‌ ସଅଳ ନେଇଗଲେ ମ୍ୟାଚ୍‌ ଆମ ସପକ୍ଷରେ ରହିବ ବୋଲି ୪୪ ବର୍ଷୀୟ ଅଖ୍‌ତର କହିଛନ୍ତି। ହେ‌ଲେ ଧୋନି ଓ ଯୁବରାଜ ଦଳକୁ ଆସିବା ପରେ ଭାରତର ସ୍ଥିତି ବଦଳି ଯାଇଥିଲା। ଏହି ଦୁଇ ଜଣ ସବୁବେଳେ ମଧ୍ୟକ୍ରମକୁ ଦୃଢ଼ କରି ରଖୁଥିଲେ। ଯାହାର ଫଳସ୍ବରୂପ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ପାଇଁ ଏହି ଦୁଇ ଜଣଙ୍କୁ ଶ୍ରେୟ ମିଳିଥିଲା। ଯଦିଓ ଗୌତମ ଗମ୍ଭୀର, ସଚିନ୍ ‌ତେନ୍ଦୁଲକର, ଜାହିର ଖାନ୍‌ ଓ ବୀରେନ୍ଦ୍ର ସେହବାଗ୍‌ ନିଜ ନିଜର ସ୍ମରଣୀୟ ଅବଦାନ ରଖିଥିଲେ, କିନ୍ତୁ ଧୋନି ଓ ଯୁବରାଜ ମଧ୍ୟକ୍ରମରେ ଫିନିସର୍‌ ଭୂମିକା ତୁଲାଇନଥିଲେ ଭାରତୀୟ ଦଳର ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଅଖ୍‌ତାର କହିଛନ୍ତି। ଅନ୍ୟପକ୍ଷରେ ମହାମାରୀ କରୋନା ଆଗକୁ ୬-୮ ମାସ କ୍ରିକେଟ୍‌ କରାଇ ଦେବନି ବୋଲି ମୁଁ ଭାବୁଛି। ତଥାପି ଯଦି ଭାରତର ଅଷ୍ଟ୍ରେଲିଆ ଗସ୍ତ ହୁଏ ନିଶ୍ଚିତ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଅଶା ରଖିଛନ୍ତି ଅଖ୍‌ତର।

ସମ୍ବନ୍ଧିତ ଖବର