ଧୋନୀଙ୍କ ସହ ବିବାଦ କଥାକୁ ଅସ୍ବୀକାର କଲେ ହରଭଜନ; କହିଲେ ତାଙ୍କ ଫାର୍ମହାଉସ୍‌ ଉପରେ ଅଛି ଲୋଭ

ମୁମ୍ବାଇ: ଆମେ ସମସ୍ତେ ଜାଣନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଜନପ୍ରିୟ ଖେଳାଳି ହରଭଜନ ସିଂହଙ୍କ ମଧ୍ୟରେ ସଂପର୍କ ସେତେଟା ଭଲ ନୁହେଁ। ମାତ୍ର ନିକଟରେ ସେ କଥା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ହରଭଜନ ସିଂହ। ଧୋନୀଙ୍କ ସହ ତାଙ୍କର ତିକ୍ତ ସଂପର୍କ କଥାକୁ ସେ ଅସ୍ବୀକାର କରିଛନ୍ତି।

୨୦୧୧ ମସିହା ବିଶ୍ବକପ୍‌ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବରେ ଜବରଦସ୍ତ ମ୍ୟାଚ୍‌ ଖେଳିଥିଲେ ହରଭଜନ। ଭାରତକୁ ବିଶ୍ବକପ୍‌ ମିଳିବା ପଛରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ମାତ୍ର ବିଶ୍ବକପ୍‌ ମ୍ୟାଚ୍‌ ପରେ ହିଁ ଅଚାନକ ହରଭଜନ ଭାରତୀୟ କ୍ରିକେଟ୍‌ ଦଳରୁ ବାଦ୍‌ ପଡ଼ିଥିଲେ। ଯେଉଁଥି ପାଇଁ ଲୋକେ ଧୋନୀଙ୍କୁ ବଦନାମ କରିବା ଆରମ୍ଭ କରିଦେଲେ। ଯଦିଓ ଖୁବ୍ କମ୍‌ ବ୍ୟବଧାନରେ ସେ ପୁଣି ଥରେ ଦଳକୁ ଫେରିଥିଲେ, ‌ହେଲେ ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥିଲା।

କେବେ କେବେ ଏକଥା ବି ଶୁଣିବାକୁ ମିଳିଛି ଯେ ଧୋନୀଙ୍କ କାରଣରୁ ଭଜିଙ୍କ କ୍ୟାରିୟର୍‌ ଜଲ୍‌ଦି ଶେଷ ହୋଇଗଲା। ଧୋନୀଙ୍କ ସହ ମନୋମାଳିନ୍ୟ କାରଣରୁ ହିଁ ଭାରତୀୟ ସ୍ପିନରଙ୍କୁ ଟିମ୍‌ରୁ ବାହାରିବାକୁ ପଡ଼ିଲା ବୋଲି ଚର୍ଚ୍ଚା ହୋଇଥିଲା। ଆପଣ ଜାଣନ୍ତି ଯେ ୨୦୨୧ ମସିହାରେ ହରଭଜନ ସିଂହ ଭାରତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। ଏ ସଂପର୍କରେ ଏବେ ନିଜର ମତ ରଖିଛନ୍ତି ହରଭଜନ।

ସେ କହିଛନ୍ତି କି ଧୋନୀ ଓ ତାଙ୍କ ମଧ୍ୟରେ କେବେ ବି କିଛି ବିବାଦ ହୋଇନଥିଲା। ସେ ଆହୁରି ବି କହିଛନ୍ତି, ‘‘କାହିଁକି ଆମ ମଧ୍ୟରେ ବିବାଦ ହେବ? ଆମେ ସାଥୀ ହୋଇ ଅନେକ କ୍ରିକେଟ୍‌ ଖେଳିଛୁ। ସେ ମୋର ଜଣେ ବନ୍ଧୁ ଥିଲେ ଓ ଏ‌ବେ ବି ବନ୍ଧୁ ଅଛନ୍ତି। ସେ ତାଙ୍କ ଜୀବନରେ ବ୍ୟସ୍ତ ରହିଗଲେ ଓ ମୁଁ ବି ମୋ ଜୀବନରେ ବ୍ୟସ୍ତ ହୋଇଗଲି। ସେଥିପାଇଁ ଆମର ବେଶୀ କଥା ହୁଏ ନାହିଁ। ହେଲେ ଆମ ଭିତରେ ସବୁ କିଛି ଠିକ୍‌ ଅଛି।’’

ତା’ପରେ ସେ ହସି ହସି ଆହୁରି ବି କହିଛନ୍ତି, ‘‘ସେ ମୋର କୌଣସି ସଂପତ୍ତି ନେଇଯାଇନାହାନ୍ତି ଯେ ମୁଁ ରାଗିବି। ହଁ, ଅବଶ୍ୟ ମୋର ତାଙ୍କର କିଛି ସଂପତ୍ତି ଉପରେ ଲୋଭ ଅଛି, ତାଙ୍କ ଫାର୍ମହାଉସ୍‌ ଉପରେ ବହୁତ ଲୋଭ।’’

 

 

ସମ୍ବନ୍ଧିତ ଖବର