ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ‌ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ସିନେମା ‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରି’ ପୁଣି ଥରେ ମୁକ୍ତିଲାଭ କରିବ। ଆସନ୍ତା ୧୨ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଏହି ସିନେମା ପୁନଃ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଷ୍ଟାର୍‌ ଷ୍ଟୁ‌ଡିଓସ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ପୁନଃ ମୁକ୍ତିଲାଭ ଦ୍ବାରା ପ୍ରଶଂସକମାନେ ପୁଣି ଥରେ ବଡ଼ ପରଦାରେ କ୍ରିକେଟ୍‌ର ସେହି ଅଭୂଲା ମୁହୂର୍ତ୍ତଗୁଡ଼ିକର ଆନନ୍ଦ ଉଠାଇବା ପାଇଁ ସୁଯୋଗ ମିଳିବ ବୋଲି ଡିସ୍‌ନି ଷ୍ଟାର୍‌ ଷ୍ଟୁଡିଓସ୍‌ ମୁଖ୍ୟ ବିକ୍ରମ ଡୁଗଲ ସୂଚନା ଦେଇଛନ୍ତି। ଏହି ସିନେମା ପ୍ରଥମ ଥର ୨୦୧୬ରେ ମୁକ୍ତିଲାଭ କରିଥିଲା। ଯେଉଁଥିରେ ଧୋନିଙ୍କ ଚରିତ୍ରରେ ଅଭିନେତା ସ୍ବର୍ଗତଃ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରୁଥିବା ଦେଖାଯାଇଥିଲା।