ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଆଇପିଏଲ ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକତ୍ବ ଛାଡ଼ିବା ପରେ ଏବେ ସେ କ୍ରିକେଟର ଭାବେ ଟିମରେ ଖେଳିବା‌ ଜାରି ରଖିଛନ୍ତି। ୨୦୨୫ରେ ସେ ସିଏସକେ ପାଇଁ ଖେଳିଥିବା ବେଳେ ୨୦୨୬ରେ ସେ ଦଳରେ ରହି ଅ‌ାଇପିଏଲ ଖେଳିବେ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି। ଗତ ସିଜନରେ ମଧ୍ୟ, ଅଧିନାୟକ ଋତୁରାଜ ଗାୟକୱାଡ ଆଘାତ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ପରେ ସେ ପୁଣି ସିଏସକେର ନେତୃତ୍ୱ ନେଇଥିଲେ । ଏବେ ତାଙ୍କୁ ୪୪ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

ଧୋନି ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ୨୦୨୬ରେ ଖେଳିବା ନେଇ ନିଷ୍ପତ୍ତି ନେଇନାହାଁନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଏନେଇ ପ୍ରତିକ୍ରିୟା ଦେଇ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ାଉଛନ୍ତି। କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ,ଆଇପିଏଲ ୨୦୨୬ରେ ଖେଳିବା ବିଷୟରେ ପଚରାଯିବାରୁ, ସେ କହିଥିଲେ ଯେ, ତାଙ୍କ ପାଖରେ ନିଷ୍ପତ୍ତି ନେବା ପାଇଁ ପ୍ରଚୁର ସମୟ ଅଛି। କିନ୍ତୁ ସେ ସ୍ୱୀକାର କରିଥିଲେ ଯେ, ତାଙ୍କର ଆଣ୍ଠୁ ଯନ୍ତ୍ରଣା କ୍ରମଶଃ ଅସହ୍ୟ ହେବାରେ ଲାଗିଛି।

ଆଇପିଏଲ ୨୦୨୬ରେ ଖେଳିବା ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ, "ମୁଁ ଜାଣିନାହିଁ ମୁଁ ଖେଳିବି କି ନାହିଁ। ମୋ ପାଖରେ ନିଷ୍ପତ୍ତି ନେବା ପାଇଁ ସମୟ ଅଛି। ଡିସେମ୍ବର ପର୍ଯ୍ୟନ୍ତ ମୋ ପାଖରେ କିଛି ସମୟ ଅଛି। ତେଣୁ ମୁଁ ଆଉ କିଛି ମାସ ନେବି ଏବଂ ତା'ପରେ, ମୁଁ ମୋର ନିଷ୍ପତ୍ତି ନେବି।" ଧୋନିଙ୍କ ଏଭଳି ଉତ୍ତର ପରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ଜଣେ କହିଥିଲେ, "ଆପଣଙ୍କୁ ଖେଳିବାକୁ ହେବ, ସାର୍।" ଏହା ଶୁଣି ଧୋନି ହସି ହସି କହିଥିଲେ, "ଆଣ୍ଠୁରେ ଯେଉଁ ଯନ୍ତ୍ରଣା ହେଉଛି, ତା’ର ଯତ୍ନ କିଏ ନେବ।"