ଚେନ୍ନାଇ: ପାଞ୍ଚଟି ମ୍ୟାଚ୍ରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍କା ଲାଗିଥିଲା। କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଚଳିତ ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ୍ଗୁଡ଼ିକରୁ ବାଦ୍ ପଡ଼ିଥିଲେ। ଫଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୁଣି ଥରେ ଅଧିନାୟକ ପଦକୁ ଫେରିବାକୁ ପଡ଼ିଥିଲା। ଋତୁରାଜଙ୍କ ଅଧିନାୟକତ୍ବରେ ଦଳ ୫ଟି ମ୍ୟାଚ୍ରୁ ୪ଟି ହାରିଥିଲା। ଏଭଳି ସ୍ଥିତିରେ ଧୋନିଙ୍କ ଅଧିନାୟକତ୍ବ ଦଳର ସ୍ଥିତି ସୁଧାରିବ ବୋଲି କୁହାଯାଉଛି।
ତେବେ ଅଧିନାୟକତ୍ବ ଫେରିପାଇବା ପରେ ଧୋନିଙ୍କ ପ୍ରତିକ୍ରିୟା କିଭଳି ଥିଲା, ତାହା ଜଣାଇଛନ୍ତି ସିଏସକେ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ। ସେ କହିଛନ୍ତି ଯେ, "ଅଧିନାୟକତ୍ବର ଅଫର ମିଳିବା ପରେ ସେ ଆମକୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ। ତାଙ୍କର କୌଣସି ଦ୍ୱିଧା ନଥିଲା। ଆଇପିଏଲ ଶେଷ ହେବା ପରେ ଆମେ ଅଧିନାୟକ ବଦଳ ବିଷୟରେ ବିଚାର କରିବୁ। ଦଳରେ କିଛି ଭଲ ଖେଳାଳି ଅଛନ୍ତି ଯେଉଁମାନେ କିଛି ସମୟ ଧରି ଆମ ସହିତ ଅଛନ୍ତି। ତେଣୁ ଆମେ ପ୍ରଥମେ ଦଳ ଭିତରୁ ଦେଖିବୁ। କିନ୍ତୁ ହଁ, ଆଗାମୀ ବର୍ଷଗୁଡ଼ିକରେ ଆମେ ଦଳକୁ କିପରି ଉନ୍ନତ କରିପାରିବୁ ତାହା ଦେଖିବାର ସୁଯୋଗ ଆମକୁ ଏବେ ମିଳିଛି। ଚଳିତ ଆଇପିଏଲ ଶେଷ ହେବା ପର୍ଯ୍ୟନ୍ତ ଧୋନି ହିଁ ସିଏସକେର ଅଧିନାୟକ ରହିବେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/04/11/Jb2295JuptZamYh3h9fR.jpg)