ପଞ୍ଚାନନ ଜେନା ସ୍ମାରକୀ ଟ୍ରଫି ଜିତିଲା ମୁକ୍ତେଶ୍ବର

ଭୁବନେଶ୍ବର: କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ସ ଦଳକୁ ପରାସ୍ତ କରି ଭୁବନେଶ୍ବରର ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌ ପଞ୍ଚାନନ ଜେନା ସ୍ମାରକୀ ଟ୍ରଫି ଜିତିନେଇଛି। ରାଜଧାନୀ ଉପକଣ୍ଠ କେଶୁରା ପଡ଼ିଆରେ ଚାଲିଥିବା ଦ୍ବିତୀୟ ବାର୍ଷିକ ପଞ୍ଚାନନ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଥିଲା ବେଳେ ଫାଇନାଲ୍‌ରେ ରାଇଜିଂ ଷ୍ଟୁଡେଣ୍ଟ୍ସକୁ ୮ ୱିକେଟ୍‌ରେ ହରାଇ ମୁକ୍ତେଶ୍ବର ବିଜେତା ଆଖ୍ୟା ହାସଲ କରିଛି। ବିଜେତା ଦଳ ଟ୍ରଫି ସହ ନଗତ ୩୦ ହଜାର ଟଙ୍କା ଏବଂ ଉପବି‌ଜେତା ଦଳ ଟ୍ରଫି ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିଥିଲା। ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଟ୍ରଫି ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ କେଶୁରା ଗ୍ରାମର ସଭାପତି ଶୁକଦେବ ସ୍ବାଇଁ, ଚୈତନ୍ୟ ସ୍ବାଇଁ, ପଞ୍ଚାନନ ଜେନା ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନା, ଉପାଧ୍ୟକ୍ଷ ପ୍ରମୋଦ କୁମାର ଜେନା ଉପସ୍ଥିତ ଥିଲେ।
ଟସ୍‌ ଜିତି ବ୍ୟାଟିଂ ନେଇଥିବା ରାଇଜିଂ ଷ୍ଟୁଡେଣ୍ଟ୍‌ସ ୩୪.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ କରିଥିଲା ୧୮୮ ରନ୍‌।

ଅବିନାଶ ନାୟକ ୪୦, ତାରାକାନ୍ତ ସାମଲ ୩୮*, ବିନିତ ମହାନ୍ତି ୩୫ ଓ ବିପ୍ଳବ ସାମନ୍ତରାୟ ୨୧ ରନ୍‌ କରିଥିଲେ। ମୁକ୍ତେଶ୍ବର ପକ୍ଷରୁ ଜୀବନ କୁମାର ଜେନା ୫ ୱିକେଟ୍‌ ସଫଳତା ପାଇଥିଲେ। ଜବାବରେ ପ୍ରିୟବ୍ରତ ପ୍ରିୟରଞ୍ଜନ (୮୪*) ଏବଂ ଅନୁରାଗ ଷଡ଼ଙ୍ଗୀ (୭୪)ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ମୁକ୍ତେଶ୍ବର ୩୧.୪ ଓଭରରେ ମାତ୍ର ୨ ୱିକେଟ୍‌ ହରାଇ ୧୯୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପ୍ରିୟବ୍ରତ ଓ ଅନୁରାଗ ଅତୁଟ ତୃତୀୟ ୱିକେଟ୍‌ରେ ୧୬୩ ରନ୍ ଯୋଡ଼ିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଅନୁରାଗ (୭୪* ରନ୍‌ ଓ ୧ ୱିକେଟ୍‌)ଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେହିପରି ବିପ୍ଳବ ସାମନ୍ତରାୟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ବିଭାଂଶୁ ରାୟ ଶ୍ରେଷ୍ଠ ବ୍ୟାଟର୍‌, ଜୀବନ କୁମାର ଜେନା ଶ୍ରେଷ୍ଠ ବୋଲର, ଗୌରିଶ ପାତ୍ର ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ହାସଲ କରିଥିଲେ। ଶରତ ଚନ୍ଦ୍ର ସାହୁ ଓ ଦିଲିପ ସାମଲ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ସୌରଭ ବିଶ୍ବାଳ ସ୍କୋରର୍‌ ରହିଥିଲେ।

ସମ୍ବନ୍ଧିତ ଖବର