ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଦୁନିଆରେ ବେଶ ପରିଚିତ ଫିଜିଓଥେରାପିଷ୍ଟ୍ ମୁକ୍ତି ପ୍ରସାଦ ଦାଶ ଏବେ ଜାତୀୟ ଦାୟିତ୍ବ ତୁଳନାରେ ଓଡ଼ିଶାକୁ ଅଗ୍ରାଧିକାର ଦେଇଛନ୍ତି। ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫ୍ଏଫ୍)ର ୧୫ ବର୍ଷରୁ କମ୍ ଜାତୀୟ ଦଳର ଫିଜିଓ ଭାବେ ଚୁକ୍ତିବଦ୍ଧ ଥିବା ଶ୍ରୀ ଦାଶ ପୁନଃନବୀକରଣରୁ ବଞ୍ଚିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହ ଚୁକ୍ତିବଦ୍ଧ ଥିବା ଶ୍ରୀ ଦାଶ କହିଛନ୍ତି ‘ମୁଁ କ୍ରୀଡ଼ା ଛାତ୍ରାବାସ ଅନ୍ତେଃବାସୀ ଏବଂ ରାଜ୍ୟର ଅନ୍ୟ ପ୍ରମୁଖ କ୍ରୀଡ଼ାବିତ୍ଙ୍କ ଫିଟନେସ୍ ଓ ଇନଜ୍ୟୁରି ମ୍ୟାନେଜମେଣ୍ଟକୁ ଅଧିକ ସମୟ ଦେବାର ସୁଯୋଗ ପାଇବି। ଭାରତୀୟ କନିଷ୍ଠ ଫୁଟବଲ୍ ଦଳ (୧୫ ବର୍ଷରୁ କମ୍)ର ଫିଜିଓ ଭାବେ ବିଗତ ବର୍ଷକ ମଧ୍ୟରେ ଚୀନ୍, ନେପାଳ, ୟୁଏଇ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ଶ୍ରୀ ଦାଶ କିନ୍ତୁ ଭବିଷ୍ୟତରେ ଭାରତୀୟ ଫୁଟବଲ୍ ସହିତ ଯୋଡ଼ିହେବାର ପ୍ରତିଶ୍ରୁତି ପାଇଥିବା ସୂଚନା ଦେଇଛନ୍ତି। ଖେଳାଳିଙ୍କ ଦ୍ବାରା ଆଦୃତ ଏବଂ ନିଜ ପ୍ରଦର୍ଶନ ଆଧାରରେ ବିଗତ ଦେଢ଼ ଦଶନ୍ଧି ଭିତରେ ଶ୍ରୀ ଦାଶ ଭାରତୀୟ ପୁରୁଷ ଓ ମହିଳା ହକି, ଭାରତୀୟ ଦୌଡ଼କୁଦ, ଭାରତୀୟ ଫୁଟବଲ୍ ସହିତ ଜଡ଼ିତ ରହି ପ୍ରଚୁର ଅଭିଜ୍ଞତା ସାଉଁଟିଛନ୍ତି। ପାଖାପାଖି ୭୫ରୁ ଊର୍ଧ୍ବ ଜାତୀୟ, ଅନ୍ତର୍ଜାତୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସମ୍ପୃକ୍ତ ରହିବା ଏବଂ ରାଜ୍ୟର ପ୍ରାୟ ସମସ୍ତ ଆଗଧାଡ଼ିର ଖେଳାଳିଙ୍କ ଇନଜ୍ୟୁରି ମ୍ୟାନେଜମେଣ୍ଟ୍ କରି ଲୋକପ୍ରିୟତା ମଧ୍ୟ ଅର୍ଜନ କରିଛନ୍ତି। ଭାରତୀୟ ହକି ସହିତ ବିଶେଷ ଭାବେ ଜଡ଼ିତ ଥିବାରୁ ଗତ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍ ସମୟରେ ମଧ୍ୟ ନିଜ ଦାୟିତ୍ବକୁ ସୁଚାରୁରୂପେ ପରିଚାଳନା କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ନିଜସ୍ବ ସଂସ୍ଥା ‘ଗ୍ଲୋବାଲ୍ ଫିଜିଓଥେରାପି ସେଲ୍’ (ଜିପିସି) ଜରିଆରେ ୧୧ ବର୍ଷ ତଳେ ରାଜ୍ୟ ସରକାରଙ୍କୁ କ୍ରୀଡ଼ାରେ ଫିଜିଓଥେରାପିର ଗୁରୁତ୍ବ ବୁଝାଇଥିଲେ। କଳିଙ୍ଗ ଷ୍ଟାଡିୟମ୍ରେ ଏକ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଖୋଲିବା ଲାଗି ପ୍ରସ୍ତାବ ଦେଇଥିଲେ। ଗୋଟିଏ ଦଶନ୍ଧି ପରେ କ୍ରୀଡ଼ା ଓ ଯୁବସେବା ବିଭାଗ ‘ଅଭିନବ ବିନ୍ଦ୍ରା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର’ ପ୍ରତିଷ୍ଠା କରି ଗୁରୁତ୍ବକୁ ଉପଲବ୍ଧି କରିଥିବାରୁ ଶ୍ରୀ ଦାଶ ଖୁସି ହୋଇଛନ୍ତି।
ଜାତୀୟ ଦଳଠୁ ଦୂରେଇଲେ ମୁକ୍ତି ପ୍ରସାଦ
/sambad/media/post_attachments/wp-content/uploads/2019/04/Untitled-2-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)